ବାରଙ୍ଗ: ଅନୁକୂଳ ବାତାବରଣ ଓ ବଂଶବୃଦ୍ଧି ଉପରେ ଲଗାମ୍ ଲଗାଇବାରେ ବିଫଳ ଯୋଗୁଁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଚିତ୍ରାହରିଣ ଓ କୁଟୁରାଙ୍କ ସଂଖ୍ୟା ହୁ’ହୁ ହୋଇ ବଢ଼ି ଚାଲିଛି। ୧୦ ବର୍ଷ ତଳେ ୨ଶହ ମଧ୍ୟରେ ସୀମିତ ଥିବା ଚିତ୍ରାହରିଣଙ୍କ ସଂଖ୍ୟା ଏବେ ୧୬ଶହରୁ ଅଧିକ ହୋଇଥିବା ବେଳେ କୁଟୁରାଙ୍କ ସଂଖ୍ୟା ୨୨ରୁ ବୃଦ୍ଧି ପାଇ ୭୦ ଅତିକ୍ରମ କଲାଣି। ଫଳରେ ଏହି ୨ ବନ୍ୟଜନ୍ତୁଙ୍କୁ ରଖାଯାଇଥିବା ଖୁଆଡ଼ ଓ ତୃଣଭୋଜି ସଫାରିରେ ଜାଗା ସଂକୀର୍ଣ୍ଣ ହେବାରେ ଲାଗିଛି। ଅପରପକ୍ଷେ ସଂକୀର୍ଣ୍ଣ ଜାଗା ଯୋଗୁଁ ଏମାନେ ପରସ୍ପର ମଧ୍ୟରେ ସଂଘର୍ଷ କରି ମୃତ୍ୟୁମୁଖରେ ପଡ଼ୁଛନ୍ତି। ସେହିପରି ଦିଆଯାଉଥିବା ଖାଦ୍ୟ, ପାନୀୟ ମଧ୍ୟ ସେମାନଙ୍କୁ ପର୍ଯ୍ୟାପ୍ତ ହେଉନାହିଁ। ଏ ସବୁ କଥାକୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ବିକଳ୍ପ ଚିନ୍ତା କରିଛନ୍ତି। ପର୍ଯ୍ୟଟକଙ୍କ ଦେଖିବା ଲାଗି ଖୁଆଡ଼ରେ ଅଳ୍ପ କିଛି କୁଟୁରା ଓ ହରିଣଙ୍କୁ ରଖି ଅନ୍ୟମାନଙ୍କୁ ସ୍ଥାନାନ୍ତର କରିବାକୁ ଯୋଜନା କରିଛନ୍ତି। ଏଥିଲାଗି ନନ୍ଦନକାନନ ପଛ ଗେଟ୍ ପାଖରୁ କାଞ୍ଜିଆ ହ୍ରଦ କୂଳକୁ ଲାଗି ତୃଣଭୋଜି ସଫାରି ପର୍ଯ୍ୟନ୍ତ ବିସ୍ତୃତ ଜଙ୍ଗଲିଆ ଅଞ୍ଚଳର ପ୍ରାୟ ଦଶ ଏକରୁ ଅଧିକ ଜାଗାକୁ ବଛା ଯାଇଛି। ସେହିଠାରେ ଚିତ୍ରାହରିଣ ଓ କୁଟୁରାଙ୍କୁ ଛଡ଼ାଯିବ। ସେଠାରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ଓ ପାନୀୟ ସେମାନଙ୍କ ପାଇଁ ଉପଲବ୍ଧ ହେବ ଓ ମୁକ୍ତ ବିଚରଣ କରି ଜୀବନଯାପନ କରିପାରିବେ।
ନନ୍ଦନକାନନ ଖବର: ବଂଶବୃଦ୍ଧି ସମସ୍ୟା ଅଣାୟତ୍ତ, ସ୍ଥାନାନ୍ତର ହେବେ ହରିଣ ଓ କୁଟୁରା
Advertisment
Follow Us