ଖବର ନନ୍ଦନକାନନରୁ

Advertisment
ଖବର ନନ୍ଦନକାନନରୁ

ସୁରକ୍ଷା ଦୃଷ୍ଟିରୁ ମା’ଠୁ ଅଲଗା ହେଲା ବାଘଛୁଆ

publive-imageବାରଙ୍ଗ : ଗତ ୧୩ ତାରିଖ ଶନିବାର ରାତିରେ ନନ୍ଦନକାନନର ୨୮ ନମ୍ବର ‘ଗ’ଖୁଆଡ଼ ମଧ୍ୟରେ ସାଧାରଣ ଭାରତୀୟ ରଙ୍ଗର ବାଘୁଣୀ ଅଙ୍କିତା ପ୍ରଥମ ନିଜ ଗର୍ଭରୁ ଜନ୍ମ ଦେଇଥିବା ଶାବକଙ୍କ ଯତ୍ନ କିପରି ନିଆଯାଏ ଜାଣି ପରିଲା ନାହିଁ। ରହୁଥିବା ଖୁଆଡ଼ ବାହାର ପାଖରେ ଜଙ୍ଗଲି ହରିଣ ଓ ମାଙ୍କଡ଼ଙ୍କ ଡିଆଁରେ ସେ ଉତ୍‌କ୍ଷିପ୍ତ ହୋଇ ନିଜର ଏକ ପୁରୁଷ ଶାବକ ଉପରେ ଗୋଡ଼ ପକାଇ ଦେବାର ତାରୁ ମୃତ୍ୟୁ ହେଲା। ତେଣୁ ଅଙ୍କିତାକୁ ଛୁଆଙ୍କ ପାଖରୁ ଅଲଗା କରାଯିବା ପରେ ମୃତ ଛୁଆଟିକୁ ବାହରକୁ କଢ଼ା ଯାଇଥିଲା। ମୃତ ଶାବକଟି ଦେହରେ ଦାନ୍ତ ଗଳିଥିବା ଦାଗ ଦେଖିବାକୁ ମିଳିଥିଲା। ଶାବକଟି ବେଶ୍‌ ହୃଷ୍ଟପୃଷ୍ଟ ଓ ୧୩ ଶହ ଗ୍ରାମର ଓଜନ ହୋଇଥିବା ଜଣା ପଡ଼ିଥିଲା। ଜୀବିତ ଅନ୍ୟ ଏକ ଶାବକକୁ ନିରୀକ୍ଷଣ କରିବାରୁ ତା ଦେହରେ ମଧ୍ୟ ମା’ର ଦାନ୍ତ ଗଳିଥିବା ଦେଖିବାକୁ ମିଳିଥିଲା। ତେଣୁ ସୁରକ୍ଷା ଦୃଷ୍ଟିରୁ ମା’ ଅଙ୍କିତାଠାରୁ ତାକୁ ଅଲଗା କରା ଯାଇଥିଲା। ଛୁଆ ଜନ୍ମ ପରେ ସଦ୍ୟଜାତ ଶାବକଙ୍କୁ କିପରି ଦାନ୍ତରେ ଧରି ନିଆଯାଏ ସେକଥା ଅଙ୍କିତାକୁ ଜଣା ନଥିଲା। ଅଙ୍କିତା ପ୍ରଥମ ଥର ପାଇଁ ମା’ ହୋଇଥିବାରୁ ଏପରି କରିଛି। ଜନ୍ମ ପରେ ପିଲାମାନଙ୍କର ଯତ୍ନ କିପରି ନିଆଯାଏ ତାକୁ ଜଣା ନଥିବାରୁ କର୍ତୃପକ୍ଷ ଜୀବିତ ମାଈ ଛୁଆଟିକୁ ମା’ଠାରୁ ଅଲଗା କରି ରଖିଛନ୍ତି। ଛୁଆ ବାଘଟି ଏବେ କର୍ମଚାରୀଙ୍କ ତତ୍ୱାବଧାନରେ ରଖାଯାଇଛି। ତାକୁ ପ୍ରତିଷେଧକ ଦିଆଯିବା ସହିତ ଡ୍ରପରରେ କ୍ଷୀର ପିଆଯାଉଛି।

ଜନ୍ମ ହେଲା ମଣିପୁରୀ ହରିଣ ଶାବକ

ନନ୍ଦନକାନନର ୩୬ ନମ୍ବର ମଣିପୁରୀ ହରିଣ ଖୁଆଡ଼ ମଧ୍ୟରେ ଏକ ମଣିପୁରୀ ହରିଣ ଶାବକ ଜନ୍ମ ଲାଭ କରିଛି। ନବଜାତ ଶାବକଟି ରୋଗିଣା ଅଛି। ତାର ମା’ ମଧ୍ୟ ତାକୁ ଠିକ୍‌ ଭାବରେ ଯତ୍ନ ନେଇ ନପାରିବାରୁ ଅବସ୍ଥା ସଂକଟାପନ୍ନ ରହିଛି। ଶାବକଟି ଜନ୍ମଲାଭ ଫଳରେ ନନ୍ଦନକାନନର ମଣିପୁରୀ ହରିଣ ସଂଖ୍ୟା ୧୨କୁ ବୃଦ୍ଧି ହୋଇଛି।

ଭଦ୍ରକରୁ ଆସିଲା ଗାଡ଼ଭାଲୁ

ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଅଜି ଭଦ୍ରକ ଡିଭିଜନରୁ ଉଦ୍ଧାର କରାଯାଇଥିବା ଏକ ଗାଡ଼ଭାଲୁ ଆସିଛି। ଉଦ୍ଧାର ଗାଡ଼ ଭାଲୁଟି ପୁରୁଷ ଓ ଏହାର ବୟସ ପ୍ରାୟ ୬ ବର୍ଷ ହେବ। ତାକୁ ନନ୍ଦନକାନନ ଭେଟନାରି ପରିସରର କ୍ୱାରେନ୍‌ଟାଇନ୍‌ ମଧ୍ୟରେ ଆଶୁ ଚିକିତ୍ସା ଲାଗି ରଖାଯାଇଛି। ନନ୍ଦନକାନନର ମୋଟ ଗାଡ଼ଭାଲୁ ସଂଖ୍ୟା ୫କୁ ବୃଦ୍ଧି ହୋଇଛି। ଏମାନଙ୍କ ମଧ୍ୟରେ ୩ଟି ପୁରୁଷ ଓ ୨ଟି ମାଈ ଅଛନ୍ତି।

୧୫ ଦିନ ବନ୍ଦ ରହିବ ସଫାରି

ନନ୍ଦନକାନନର ବାଘ, ଭାଲୁ, ସିଂହ ଓ ତୃଣଭୋଜି ସମସ୍ତ ସଫାରି ବସ୍‌ ଆଗାମୀ ୧୫ ଦିନ ପର୍ଯ୍ୟନ୍ତ ବନ୍ଦ ରହିବ। ଟେଣ୍ଡର ପ୍ରକ୍ରିୟାରେ ଦେଖା ଦେଇଥିବା ସମସ୍ୟା ଲାଗି ଏଭଳି ପରିସ୍ଥିତି ଉପୁଜିଛି। ଗତ ବର୍ଷ ଠିକାଦାର ୧ କୋଟି ୧୯ ଲକ୍ଷ ଟଙ୍କାରେ ଟେଣ୍ଡର ଧରିଥିଲେ। ସମୟ ଅବଧି ଥିଲା ଡିସେମ୍ବର ୧୪ ତାରିଖ ପର୍ଯ୍ୟନ୍ତ। ଟେଣ୍ଡରଧାରୀଙ୍କୁ ଆଗକୁ ଏକ ମାସ ବଢ଼ାଇ ଜାନୁଆରି ୧୪ ପର୍ଯ୍ୟନ୍ତ ଦିଆଯାଇଥିଲା। ଗତ ଡିସେମ୍ବରରେ ଆଗାମୀ ବର୍ଷ ଲାଗି ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ଗତବର୍ଷଠାରୁ ଅଧିକ ମୋଟ ୧ କୋଟି ୩୨ ଲକ୍ଷ ଟଙ୍କାରେ ଜଣେ ଠିକାଦାରଙ୍କୁ ଟେଣ୍ଡର ମିଳିଥିଲା। ରବିବାର ପୁରୁଣା ଅବଧି ପୂର୍ଣ୍ଣ ହେବା ପରେ ଆଗାମୀ ବର୍ଷ ଲାଗି ଟେଣ୍ଡର ପାଇଥିବା ଠିକାଦାର ସୋମବାରରୁ ଦାୟିତ୍ୱ ନେବା କଥା। ମାତ୍ର କୌଣସି କାରଣ ବଶତଃ ଠିକା ପାଇଥିବା ଠିକାଦାର ଜଣକ ଆଜି ଦାୟିତ୍ୱ ଗ୍ରହଣ କରିବାକୁ ଆସିଲେ ନାହିଁ। ଯାହା ଫଳରେ ନିୟମାନୁସାରେ ଆଜି ଠିକା ରଦ୍ଦ ହୋଇଛି। ଠିକା ରଦ୍ଦ ହେବାରୁ ସଫାରି ବସ୍‌ ଚଳାଚଳରେ ବାଧା ଉପୁଜିଛି। ଏ ସଂକ୍ରାନ୍ତରେ ନନ୍ଦନକାନନ ଉପ ନିର୍ଦ୍ଦେଶକ ଜୟନ୍ତ ଦାସ କହିଛନ୍ତି, ପୁନଃ ଟେଣ୍ଡର ପରେ ସଫାରି ବସ୍‌ ଚାଲୁ ହେବ। ସେଥିଲାଗି ୧୫ ଦିନ ସମୟ ଲାଗିବ। ତା ଭିତରେ ସଫାରି ପରିସରରେ ସଫେଇ କାର୍ଯ୍ୟ ଚାଲୁ ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe