ନନ୍ଦିଘୋଷର ୪୪ତମ ସାମ୍ବତ୍ସରିକ ଉତ୍ସବ: ‘ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କ ଜୀବନୀକୁ ସମସ୍ତେ ଜାଣିବା ଉଚିତ’

Advertisment

ଡ. ବୈଦ୍ୟନାଥ ମିଶ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଡ. ବୈଦ୍ୟନାଥ ମିଶ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ନନ୍ଦିଘୋଷର ୪୪ତମ ସାମ୍ବତ୍ସରିକ ଉତ୍ସବ: ‘ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କ ଜୀବନୀକୁ ସମସ୍ତେ ଜାଣିବା ଉଚିତ’

ବୋଲଗଡ଼: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ବୋଲଗଡ଼ସ୍ଥିତ କଳା ସାହିତ୍ୟ ଓ ସଂସ୍କୃତି ବିକାଶ ପ୍ରତିଷ୍ଠାନ ‘ନନ୍ଦିଘୋଷ’ର ୪୪ତମ ସାମ୍ବତ୍ସରିକ ଉତ୍ସବ ଓ ଅନୁଷ୍ଠାନର ପ୍ରତିଷ୍ଠାତା ସଭାପତି ସ୍ବର୍ଗତ ଡ. ବୖଦ୍ୟନାଥ ମିଶ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି। ନନ୍ଦିଘୋଷ ପରିସରରେ ଅନୁଷ୍ଠାନର ସଭାପତି ତଥା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ଓଡ଼ିଶା ବିଧାନସଭାର ସରକାରୀ ଦଳର ମୁଖ୍ୟ ସଚେତକ ଅମରପ୍ରସାଦ ଶତପଥୀ ଯୋଗଦେଇ କହିଥିଲେ, ସ୍ବର୍ଗତ ଡ. ବୈଦ୍ୟନାଥ ମିଶ୍ର ଓ ସେହି ସମୟର ପ୍ରତିଷ୍ଠାତା ସହଯୋଗୀଙ୍କ ଯୋଗୁ ନନ୍ଦିଘୋଷ ପରି ଏକ ଅନୁଷ୍ଠାନ ଗଢ଼ାଯାଇପାରିଥିଲା, ଯାହା କଳା ସାହିତ୍ୟ ସଂସ୍କୃତି ଓ ଭାଷାର ବିକାଶ ପାଇଁ ସମର୍ପିତ। କଳା, ସାହିତ୍ୟ, ସଂସ୍କୃତି ଓ ଭାଷାର ଉନ୍ନତି ଦିଗରେ କାର୍ଯ୍ୟ କରୁଥିବା ସୌମ୍ୟରଂଜନ ପଟ୍ଟନାୟକଙ୍କୁ ଏହାର ସଭାପତି ଦାୟିତ୍ବ ଦିଆଯାଇଥିବାରୁ ସେ ଖୁସି ବ୍ୟକ୍ତ କରିବା ସହିତ ଅନୁଷ୍ଠାନର ଉ‌ତ୍ତରୋତ୍ତର ଉନ୍ନତି କମନା କରିଥିଲେ।

ସଭାପତି ତଥା ବିଧାୟକ ଶ୍ରୀ ପଟ୍ଟନାୟକ ବୈଦ୍ୟନାଥ ମିଶ୍ର ଏବଂ ଗୋଦବରୀଶ ମିଶ୍ରଙ୍କ ଜୀବନୀର ଅବତାରଣା କରିବା ସହିତ ବନ୍ଧୁତ୍ବର ପରିଭାଷା ବିଷୟରେ ଆଲୋଚନା କରିଥିଲେ। ବନ୍ଧୁତା କିପରି ଦୀର୍ଘବର୍ଷ ଧରି ରହିପାରେ ତାହାର ଉଦାହାରଣ ସ୍ବରୂପ ସ୍ବର୍ଗତ ବୈଦ୍ୟନାଥ ମିଶ୍ରଙ୍କ ସହିତ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କର ବନ୍ଧୁତାକୁ ମନେପକାଇଥିଲେ। ବୈଦ୍ୟନାଥଙ୍କ ଶ୍ରଦ୍ଧା ଦିବସକୁ ସତ୍‌ସଙ୍ଗ ଦିବସ ବିବେଚନା କରି କହିଥିଲେ ଯେ, ପ୍ରତ୍ୟେକ ସଫଳ ବ୍ୟକ୍ତିଙ୍କ ଜୀବନୀକୁ ସମସ୍ତେ ଜାଣିବାର ଆବଶ୍ୟକତା ରହିଛି। ତେଣୁ ଏଭଳି କାର୍ଯ୍ୟକ୍ରମଗୁଡ଼ିକରେ ଯୁବକ ଏବଂ ପିଲାମାନେ ଯୋଡ଼ିହେବା ପାଇଁ ସେ ଆହ୍ବାନ ଦେଇଥିଲେ। ସମାଜସେବୀ ସଞ୍ଜୟ କୁମାର ସୁବୁଦ୍ଧି ପ୍ରାରମ୍ଭିକ ସୂଚନା ଦେବା ପରେ ଡ.. କୃଷ୍ଣଚନ୍ଦ୍ର ପଟ୍ଟନାୟକ ସ୍ବାଗତ ସଙ୍ଗୀତ ଗାନ କରିଥିଲେ। ସମ୍ପାଦକ ଗୁଣନିଧି ହୋତା ସମ୍ପାଦକୀୟ ବିବରଣୀ ପାଠ କରିଥିବା ବେଳେ ଉପସଭାପତି ହରିବନ୍ଧୁ ସାହୁ ଅତିଥି ପରିଚୟ ପ୍ରଦାନ କରିଥିଲେ। ଐତିହାସିକ ରବୀନ୍ଦ୍ର କୁମାର ପରିଡ଼ା ଅନୁଷ୍ଠାନ ଏବଂ ବୋଲଗଡ଼ର ଐତିହ୍ୟ ବିଷୟରେ ସୂଚନା ପ୍ରଦାନ କରିଥିଲେ। ସ୍ବର୍ଗତ ବୈଦ୍ୟନାଥଙ୍କ ସୁପୁତ୍ର ଇମ୍ଫାଗ୍ରୁପ୍‌ର ପୂର୍ବତନ ନିର୍ଦ୍ଦ‌େଶକ ଜୟନ୍ତ କୁମାର ମିଶ୍ର ଯୋଗଦେଇ ତାଙ୍କ ପିତାଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ। ପ୍ରଫୁଲ୍ଲ କୁମାର ମହାନ୍ତି ଉପସ୍ଥିତ ଥିବା କଳା ଓ ସାହିତ୍ୟପ୍ର‌େମୀଙ୍କୁ ଧନ୍ୟବାଦ ଦେଇଥିଲେ। ପରିଶେଷରେ ନୀଳଶୈଳ ନୃତ୍ୟାଞ୍ଜଳି ଅନୁଷ୍ଠାନର କଳାକାରମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe