ଆଉଟ୍‌ରିଚ୍‌ ପକ୍ଷରୁ ଜାତୀୟ ପ୍ରସାରଣ ଦିବସ : ‘ରେଡିଓର ଗୁରୁତ୍ୱ ସବୁ ସମୟରେ ରହିଛି’

ଆଉଟ୍‌ରିଚ୍‌ ପକ୍ଷରୁ ଜାତୀୟ ପ୍ରସାରଣ ଦିବସ : ‘ରେଡିଓର ଗୁରୁତ୍ୱ ସବୁ ସମୟରେ ରହିଛି’

ଭୁବନେଶ୍ୱର : ଟେଲିଭିଜନ୍‌ ନ ଥିବା ସମୟରେ ଲୋକଙ୍କ ନିକଟରେ କଥା ପହଞ୍ଚାଇବାର ମାଧ୍ୟମ ଥିଲା ରେଡିଓ। ଲୋକଙ୍କୁ ଖବର ଦେବା ପାଇଁ ହେଉ କି ମନୋରଞ୍ଜନ, ରେଡିଓର ଭୂମିକା ସବୁବେଳେ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଟେଲିଭିଜନ, ମୋବାଇଲ ଫୋନ୍‌, କମ୍ପ୍ୟୁଟର ଓ ଇଣ୍ଟରନେଟ୍‌ର ଚାହିଦା ଥିଲେ ମଧ୍ୟ ରେଡିଓର ସ୍ଥାନ କେହି ନେଇପାରିବେ ନାହିଁ। ରେଡିଓର ଗୁରୁତ୍ୱ ସବୁବେଳେ ରହିଛି। ‘ଆଉଟ୍‌ରିଚ୍‌’ ପକ୍ଷରୁ ଜୟଦେବ ଭବନରେ ଜାତୀୟ ପ୍ରସାରଣ ଦିବସ ପାଳନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରତାପ ଜେନା ଏହା କହିଛନ୍ତି।

ଉତ୍ସବରେ ମୁଖ୍ୟବକ୍ତା ଭାବେ ବିଶିଷ୍ଟ କଥାକାର ଗୌରହରି ଦାସ ଯୋଗଦେଇ କହିଲେ, ରେଡିଓର ଚାହିଦା ସର୍ବଦା ରହିଆସିଛି। ରେଡିଓକୁ ସାଙ୍ଗରେ ଧରି ଯା’ଆସ କରି ହେଉଥିବା ବେଳେ ଟେଲିଭିଜନ୍‌କୁ ସାଙ୍ଗରେ ଧରି ଯିବା ଅସମ୍ଭବ। ମୁଦ୍ରଣ ଓ ଶ୍ରବଣ ମାଧ୍ୟମର ପ୍ରଭାବ ଅନେକ ସମୟରେ ଟେଲିଭିଜନ୍‌ଠାରୁ ଅଧିକ। ତା’ସହିତ ରେଡିଓ ଆମ ମନ ଭିତରେ ଲକ୍ଷେ ଭାବନାକୁ ସୃଷ୍ଟି କରୁଥିବା ବେଳେ ଟେଲିଭିଜନ୍‌ ଜଣଙ୍କ ପାଖରେ ଲକ୍ଷ୍ୟ ସୀମିତ ରଖିଥାଏ। ଆଜିକାଲି ଏଫଏମ୍‌ ରେଡିଓଗୁଡ଼ିକ ହିନ୍ଦୀ ସିନେମାର ଗୀତ ଉପରେ ନିର୍ଭର କରି ବଞ୍ଚି ରହୁଛନ୍ତି କିନ୍ତୁ ଏଥିରେ ଆହୁରି ପରିବର୍ତ୍ତନ ହେବା ଆବଶ୍ୟକ। ସମ୍ମାନିତ ଅତିଥି ଭାବେ ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର ଯୋଗଦେଇ କହିଲେ, ରେଡିଓଠାରୁ ଦୂରେଇ ଯାଇଥିବା ଯୁବପିଢ଼ି ଏବେ ପୁଣି ରେଡିଓ ପ୍ରତି ଆକୃଷ୍ଟ ହେଲେଣି। ରେଡିଓକୁ ପୂର୍ବ ପରି ଜନପ୍ରିୟ କରାଇବାର ଆବଶ୍ୟକତା ରହିଛି। ଆଉଟରିଚ୍‌ର ମୁଖ୍ୟ ସୁବ୍ରତ କୁମାର ପତି ଏଥିରେ ସଭାପତିତ୍ୱ କରିଥିଲେ।

କାର୍ଯ୍ୟକ୍ରମରେ ବହୁ ରେଡିଓ ପ୍ରସାରକ, ଶ୍ରୋତା ଓ ରେଡିଓପ୍ରେମୀ ଯୋଗ ଦେଇଥିଲେ। ଏହି ଅବସରରେ ରେଡିଓ ସଂପର୍କିତ ୨୧ଟି ବିଷୟକୁ ନେଇ ବିଭିନ୍ନ ରାଜ୍ୟସ୍ତରୀୟ ପ୍ରତିଯୋଗିତା କରାଯାଇଥିଲା। କୃତୀ ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ। ଏଥିରେ ସୁନ୍ଦରଗଡ଼ ଜିଲ୍ଲା ଗଣେଇର ମମତା ପାତ୍ରଙ୍କୁ ସମ୍ମାନୀତ କରାଯାଇଥିଲା। ରଙ୍ଗଶାଳାର କଳାକାରମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe