ଅର୍ଥନୀତିରେ ହସ୍ତତନ୍ତ ସାମଗ୍ରୀର ସ୍ୱତନ୍ତ୍ର ଭୂମିକା ରହିଛି: ରାଜ୍ୟପାଳ

Advertisment

ଆରମ୍ଭ ହେଲା ଜାତୀୟ ହସ୍ତତନ୍ତ ମେଳା

ଆରମ୍ଭ ହେଲା ଜାତୀୟ ହସ୍ତତନ୍ତ ମେଳା

ଅର୍ଥନୀତିରେ ହସ୍ତତନ୍ତ ସାମଗ୍ରୀର ସ୍ୱତନ୍ତ୍ର ଭୂମିକା ରହିଛି: ରାଜ୍ୟପାଳ

ଭୁବନେଶ୍ୱର : ବୟନ ଓ ହସ୍ତକଳାରେ ଆମର ଏକ ସମୃଦ୍ଧ ପରମ୍ପରା ରହିଛି। ଆମ ସଭ୍ୟତା ଯେତେ ପୁରୁଣା, ଏହି ହସ୍ତତନ୍ତ ମଧ୍ୟ ସେତିକି ପୁରୁଣା। ଏହି ପରମ୍ପରା ଆମ ସାଂସ୍କୃତିକ ସ୍ୱଭାବ ମଧ୍ୟ। ଏହା ମାଧ୍ୟମରେ ଦେଶର ସମୃଦ୍ଧି ଓ ବିଭିନ୍ନତା ତଥା ଆମ ବୁଣାକାରମାନଙ୍କ କଳାତ୍ମକ ଦିଗ ପରିପ୍ରକାଶ ହୁଏ। ଇତିହାସର ପୃଷ୍ଠାରେ ଏମିତି ଅନେକ ବୁଣାକାର ରହିଛନ୍ତି, ଯେଉଁମାନେ ଏହି ହସ୍ତକଳାକୁ ବିଶ୍ୱ ଦରବାରରେ ଉପସ୍ଥାପନ କରିଥିଲେ। ଏବେ ସେମାନଙ୍କ ବଂଶଜ ଏହାକୁ ଆଗେଇ ନେଉଛନ୍ତି। ଦେଶର ଅର୍ଥନୀତିରେ ଏହି ହସ୍ତତନ୍ତ ସାମଗ୍ରୀର ସ୍ୱତନ୍ତ୍ର ଭୂମିକା ରହିଛି। ସ୍ଥାନୀୟ ପ୍ରଦର୍ଶନୀ ପଡ଼ିଆଠାରେ ଆୟୋଜିତ ୧୫ଶ ଜାତୀୟ ହସ୍ତତନ୍ତ ମେଳାକୁ ଉଦ୍‌ଘାଟନ କରି ରାଜ୍ୟପାଳ ଏସ୍‌.ସି ଜମିର୍‌ ଏହା କହିଛନ୍ତି।

ଶ୍ରୀ ଜମିର୍‌ ଆହୁରି କହିଛନ୍ତି, ହସ୍ତତନ୍ତ କ୍ଷେତ୍ର ବର୍ତ୍ତମାନ ଅର୍ଥନୀତିର ଏକ ବୃହତ୍‌ ଅସଂଗଠିତ କ୍ଷେତ୍ର। ପୁଣି ବୁଣାକାରମାନେ ଆର୍ଥିକ ଅନଟନ ଦେଇ ଗତି କରୁଛନ୍ତି। ହସ୍ତଶିଳ୍ପ ଦେଶର ଅର୍ଥନୀତି ପାଇଁ ସ୍ୱତନ୍ତ୍ର ହୋଇଥିବାରୁ ବୁଣାକାରମାନଙ୍କ ଆର୍ଥିକ ବିକାଶ ପ୍ରତି ଗୁରୁତ୍ୱ ଦେବା ଉଚିତ। ଏଥିସହ ଯୁବ ବୁଣାକାରଙ୍କ ମଧ୍ୟରେ ଦକ୍ଷତା ବୃଦ୍ଧି, ଉଦ୍ୟୋଗଶୀଳତା, ଆଧୁନିକ ବୈଷୟିକ ବିଦ୍ୟା ତଥା ପରିଚାଳନା ପଦ୍ଧତିର ବ୍ୟବହାର, ମାନ ନିୟନ୍ତ୍ରଣ ନିମନ୍ତେ ବିଶେଷ ଉଦ୍ୟମ କରାଗଲେ ଏହି କ୍ଷେତ୍ରରେ ସଫଳ ଉଦ୍ୟୋଗୀ ବାହାରି ପାରିବେ ବୋଲି ସେ କହିଛନ୍ତି।

ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଏବଂ ‘ବୟନିକା’ର ମିିଳିତ ସହଯୋଗରେ ଆୟୋଜିତ ଏହି ମେଳାରେ ଅନ୍ୟ ଅତିଥିମାନଙ୍କ ମଧ୍ୟରେ ରାଜ୍ୟପାଳଙ୍କ ପତ୍ନୀ ଆଲେମଲା ଜମିର୍‌, ବିଭାଗୀୟ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ଭୁବନେଶ୍ୱର ସାଂସଦ ପ୍ରସନ୍ନ ପାଟ୍ଟଶଣୀ, ବିଧାୟକ ବିଜୟ ମହାନ୍ତି ଓ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ବିଭାଗୀୟ ସଚିବ ଶୁଭା ଶର୍ମା, ବୟନିକାର ଅଧ୍ୟକ୍ଷ ଶେଷ କୁମାର ମେହେର, ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପ୍ରସାଦ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ମେଳା ପରିସରରେ ୨୨ଟି ରାଜ୍ୟରୁ ପ୍ରାୟ ୧୫୦ଟି ଷ୍ଟଲ୍‌ ପଡ଼ିଥିବା ବେଳେ ଓଡ଼ିଶାରୁ କେବଳ ୫୦ଟି ଷ୍ଟଲ୍‌ ଖୋଲିଛି। ମେଳାର ମୁଖ୍ୟ ଆକର୍ଷଣ ସାଜିଛି ‘କୋଲକତାର ଭିକ୍ଟୋରିଆ ପ୍ୟାଲେସ୍‌’। ଏଥିରେ ଭୌଗୋଳିକ ସୂଚକ ରୂପେ ପଞ୍ଜୀକୃତ ତଥା ଜୈବିକ ରଙ୍ଗରେ ପ୍ରସ୍ତୁତ ଓଡ଼ିଶା ହସ୍ତତନ୍ତର ଉତ୍କଷ୍ଟ ମାନର ଶାଢ଼ି ତଥା ଅନ୍ୟାନ୍ୟ ବସ୍ତ୍ର ସଜ୍ଜିତ ହୋଇଛି।

ଓଡ଼ିଆ କାରିଗରମାନଙ୍କ ସହ ବିଭିନ୍ନ ରାଜ୍ୟର କାରିଗର ତଥା ଗ୍ରାହକଙ୍କ ଭାବ ବିିନିମୟ, ବୟନ ଶିଳ୍ପର ପ୍ରଚାର ପ୍ରସାର, ବୁଣାକାରଙ୍କୁ ବଜାର ସୁବିଧା ଯୋଗାଇବା, ଉପଯୁକ୍ତ ମୂଲ୍ୟରେ ସାମଗ୍ରୀ ବିକ୍ରି କରିବା ତଥା ଗ୍ରାହକଙ୍କୁ ଠିକ୍‌ ମୂଲ୍ୟରେ ବୟନ ସାମଗ୍ରୀ ପହଞ୍ଚାଇବା ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ ରହିଛି।

ଗତ ୧୪ ବର୍ଷ ଧରି ଏହି ମେଳାକୁ ବ୍ୟବସାୟିକ ସଫଳତା ସହ ଗ୍ରାହକୀୟ ସ୍ୱୀକୃତି ମିଳିଥିବା ବେଳେ ଗତ ବର୍ଷ ମେଳାକୁ ପ୍ରାୟ ୧୦ ଲକ୍ଷ ଗ୍ରାହକ ଆସିଥିଲେ। ଚଳିତ ବର୍ଷ ଏହି ସଂଖ୍ୟା ବୃଦ୍ଧି ପାଇବାର ଆଶା ରଖାଯାଇଛି। ଏଥିସହ ଗତ ବର୍ଷ ସାଢ଼େ ୧୨ କୋଟି ଟଙ୍କାର ବ୍ୟବସାୟ ହୋଇଥିବା ବେଳେ ଚଳିତ ବର୍ଷ ଏହା ୧୫ କୋଟି ଛୁଇଁବା ନେଇ ଆଶା ରହିଛି ବୋଲି ମନ୍ତ୍ରୀ ଶ୍ରୀମତି ଛୁରିଆ କହିଛନ୍ତି। ଆସନ୍ତା ୧୧ ତାରିଖ ଯାଏଁ ଚାଲିବାକୁ ଥିବା ଏହି ମେଳା ପ୍ରତିଦିନ ପୂର୍ବାହ୍ନ ସାଢ଼େ ୧୧ଟାରୁ ରାତି ସାଢ଼େ ୯ଟା ଯାଏଁ ଖୋଲା ରହିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe