କଳିଙ୍ଗରେ ଜାତୀୟ କନିଷ୍ଠ ଜଳକ୍ରୀଡ଼ା: ଦ୍ବିତୀୟ ଦିନରେ ୪ ନୂଆ ମିଟ୍‌ କୀର୍ତ୍ତିମାନ

Advertisment
କଳିଙ୍ଗରେ ଜାତୀୟ କନିଷ୍ଠ ଜଳକ୍ରୀଡ଼ା: ଦ୍ବିତୀୟ ଦିନରେ ୪ ନୂଆ ମିଟ୍‌ କୀର୍ତ୍ତିମାନ

ଭୁବନେଶ୍ବର: ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମସ୍ଥିତ ବିଜୁ ପଟ୍ଟନାୟକ ସନ୍ତରଣାଗାରଠାରେ ଚାଲିଥିବା ୪୮ତମ ଜାତୀୟ କନିଷ୍ଠ ଜଳକ୍ରୀଡ଼ାର ରବିବାର ଦ୍ବିତୀୟ ଦିନରେ ୪ ନୂଆ ମିଟ୍‌ ‌କୀର୍ତ୍ତିମାନ ‌ହୋଇଛି। ମହାରାଷ୍ଟ୍ରର ବେଦାନ୍ତ ମାଧବନ ବାଳକ ଗ୍ରୁପ୍‌-୧ ୧୫୦୦ ମିଟର ଫ୍ରିଷ୍ଟାଇଲ୍‌ରେ ନୂଆ ଜାତୀୟ କୀର୍ତ୍ତିମାନ କରିଥିଲେ। ବେଦାନ୍ତ ୧୬:୦୧.୭୩ ମିନିଟ୍‌ରେ ରେସ୍‌ ଶେଷ କରି ପୂର୍ବରୁ ଥିବା ନିଜ ରାଜ୍ୟର ଅଦ୍‌ଭିତ ପେଜ୍‌ (୧୬:୦୬:୪୩)ଙ୍କ କୀର୍ତ୍ତିମାନ ଭାଙ୍ଗିବା ସହ ସ୍ବର୍ଣ୍ଣ ପଦକ ଜିତିଥିଲେ। ଅଦ୍‌ଭିତ ୨୦୧୭ରେ ଏହି କୀର୍ତ୍ତିମାନ କରିଥିଲେ। କର୍ଣ୍ଣାଟକର ଅମୋଘ ଆନନ୍ଦ ଭେଙ୍କଟେଶ (୧୬:୨୧.୯୮) ରୌପ୍ୟ ଓ ବେଙ୍ଗଲର ଶୁଭୋଜିତ ଗୁପ୍ତା (୧୬:୩୪.୦୬) କାଂସ୍ୟ ଜିତିଥିଲେ।

୪୦୦ ମିଟର ଫ୍ରିଷ୍ଟାଇଲ୍‌ ଗ୍ରୁପ୍‌-୧ ବାଳିକାରେ କର୍ଣ୍ଣାଟକର ହର୍ଷିକା ରାମଚନ୍ଦ୍ର ୪:୨୯.୨୫ ସମୟ ସହ ନୂଆ ମିଟ୍‌ କୀର୍ତ୍ତିମାନ କରିଥିଲେ। କର୍ଣ୍ଣାଟକର ରଜୁଲା ଏସ୍‌ (୪:୩୯.୫୩) ରୌପ୍ୟ ଜିତିଥିଲେ। ହର୍ଷିତା ମଧ୍ୟ ଆଉ ଏକ ମିଟ୍‌ ‌କୀର୍ତ୍ତିମାନ ୨୦୦ ମିଟର ବଟରଫ୍ଲାଏ ଇଭେଣ୍ଟ୍‌ରେ କରିଥିଲେ। ସେ ୨:୨୩.୨୦ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ସହ ଅପେକ୍ଷା ଫର୍ଣ୍ଣାଣ୍ଡିଜ୍‌ (୨:୨୩.୬୭)ଙ୍କ ନାମରେ ଥିବା ୩ବର୍ଷ ତଳର କୀର୍ତ୍ତିମାନ ଭାଙ୍ଗିଥିଲେ। କର୍ଣ୍ଣାଟକର ତାନିଶୀ ଗୁପ୍ତା ଦ୍ବିତୀୟ ଓ ତେଲେଙ୍ଗାନାର ମୋକ୍ଷିଥା ଆଦାଙ୍କି ତୃତୀୟରେ ରହିଥିଲେ। ବାଳିକା ଗ୍ରୁପ୍‌-୧ ବ୍ରେଷ୍ଟ୍‌ ଷ୍ଟ୍ରୋକ୍‌ରେ ମହ‌ାରାଷ୍ଟ୍ରର ଅପେକ୍ଷା ଫର୍ଣ୍ଣାଣ୍ଡିଜ୍‌ ନୂଆ ମିଟ୍‌ ‌କୀର୍ତ୍ତିମାନ କରିବା ସହ ଏହି ପ୍ରତିଯୋଗିତାରେ ଦ୍ବିତୀୟ ସ୍ବର୍ଣ୍ଣ ଜିତିଥିଲେ। ସେ ୩୩.୪୯ ସେକେଣ୍ଡ ସମୟ ନେଇ ରେସ୍‌ ଶେଷ କରିଥିଲେ। ତାଙ୍କ ରାଜ୍ୟର ଜାରା ଜାବର (୩୫.୯୧) ଦ୍ବିତୀୟରେ ରହିଥିଲେ। ଦ୍ବିତୀୟ ଦିନ ଶେଷ ସୁଦ୍ଧା କର୍ଣ୍ଣାଟକ ୩୧ ପଦକ ସହ ତାଲିକାର ଶୀର୍ଷରେ ରହିଥିଲା ବେଳେ ମହାରାଷ୍ଟ୍ର (୧୭) ଓ ତେ‌ଲେଙ୍ଗାନା (୮) ଯଥାକ୍ରମେ ଦ୍ବିତୀୟ ଓ ତୃତୀୟରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe