ଓଡ଼ିଶା ପାଵାର ଇଞ୍ଜିନିୟର୍ସ ଫେଡେରେସନ୍‌ର ଜାତୀୟ ଆଲୋଚନାଚକ୍ର : ବିଶ୍ବ ପାଇଁ ଶକ୍ତି, ବାୟୁ ଓ ଜଳ ସମସ୍ୟା

Advertisment
ଓଡ଼ିଶା ପାଵାର ଇଞ୍ଜିନିୟର୍ସ ଫେଡେରେସନ୍‌ର ଜାତୀୟ ଆଲୋଚନାଚକ୍ର : ବିଶ୍ବ ପାଇଁ ଶକ୍ତି, ବାୟୁ ଓ ଜଳ ସମସ୍ୟା

ଭୁବନେଶ୍ବର : ଶକ୍ତି, ବାୟୁ ଓ ଜଳ ଏବେ ସାରା ବିଶ୍ବ ପାଇଁ ସମସ୍ୟା ସୃଷ୍ଟି କରିଛି। ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚିନ୍ତା ବଢ଼ାଇଥିବା ବେଳେ ଓଡ଼ିଶାରେ ଜଳ ପାଇଁ ବିବାଦ ଦେଖାଦେଲାଣି। ଶକ୍ତି ଉତ୍ପାଦନ ଓ ବଣ୍ଟନରେ ବି ବିଭିନ୍ନ ସମସ୍ୟା ସୃଷ୍ଟି ହେଉଛି। ଏହି ସବୁ ସମସ୍ୟାର ସମାଧାନ କିଭଳି ହୋଇପାରିବ ସେନେଇ ଆଲୋଚନା କରାଯିବାର ଆବଶ୍ୟକତା ରହିଛି ବୋଲି ସାଂସଦ ତଥା ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ଅଲ୍‌ ଓଡ଼ିଶା ପାଵାର ଇଞ୍ଜିନିୟର୍ସ ଫେଡେରେସନ୍‌ ପକ୍ଷରୁ ନାଲ୍‌କୋ ପ୍ରେକ୍ଷାଳୟରେ ଅନୁଷ୍ଠିତ ‘ବିଦ୍ୟୁତ୍‌ ବଣ୍ଟନ: ଘରୋଇକରଣ ସବୁ ସମସ୍ୟାର ସମାଧାନ ନୁହେଁ’ ଶୀର୍ଷକ ଆଲୋଚନାକୁ ଉଦ୍‌ଘାଟନ କରି ସେ ଏହା କହିଛନ୍ତି।

ଶ୍ରୀ ପଟ୍ଟନାୟକ କହିଲେ, ଶକ୍ତି କ୍ଷେତ୍ର ସୃଷ୍ଟି ହେଉଥିବା ସମସ୍ୟାର ସମାଧାନ କରିବା ଦିଗରେ ପାୱାର ଇଞ୍ଜିନିୟରମାନଙ୍କ ପ୍ରମୁଖ ଭୂମିକା ରହିଛି। ସେମାନେ ଏକାଠି ହୋଇ ଉପଯୁକ୍ତ ପ୍ରସ୍ତାବ ଉପସ୍ଥାପନ କଲେ ଯେକୌଣସି ସରକାର, ରାଜନେତା ଶୁଣିବେ। ଏବେ ଓଡ଼ିଶାରେ ଏକାଧିକ କମ୍ପାନି ହେବା ଦ୍ବାରା ସମସ୍ୟା ସୃଷ୍ଟି ହେଉଛି ବୋଲି କୁହାଯାଉଛି। ତାହାର ସମାଧାନ ପାଇଁ ପ୍ରସ୍ତାବ ଦେବା ପୂର୍ବର କିଛି ବିଷୟ ଉପରେ ଚିନ୍ତା କରିବାର ଆବଶ୍ୟକତା ରହିଛି। ଆଗରୁ ବି ଓଡ଼ିଶାରେ ଗୋଟିଏ କମ୍ପାନି ହାତରେ ବିଦ୍ୟୁତ୍‌ ବ୍ୟବସ୍ଥା ରହିଥିଲା। କ’ଣ ଅସୁବିଧା ହେଲା, କ’ଣ ଲାଗି ଅଲଗା ଅଲଗା କରାଗଲା, କାହିଁକି ସଂସ୍କାର ଆଣିବା କଥା ପଡ଼ିଲା ସେନେଇ ଯଦି ଆଲୋଚନା କରା ନ ଯିବ ତେବେ ସମସ୍ୟାର ସମାଧାନ ହୋଇପାରିବ ନାହିଁ।

ଅଲ୍‌ ଓଡ଼ିଶା ପାଵାର ଇଞ୍ଜିନିୟର୍ସ ଫେଡେରେସନ୍‌ ଅଧ୍ୟକ୍ଷ ବିଶ୍ବରଞ୍ଜନ ମିଶ୍ରଙ୍କ ଅଧ୍ୟକ୍ଷତା‌ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଲ୍‌ ଇଣ୍ଡିଆ ପାଵାର ଇଞ୍ଜିନିୟର୍ସ ଫେଡେରେସନର ସର୍ବଭାରତୀୟ ଅଧ୍ୟକ୍ଷ ଶୈଳେନ୍ଦ୍ର ଦୁବେ ଘରୋଇକରଣ ବିରୋଧରେ ଆହ୍ବାନ ଦେଇଥିଲେ। ସେ କହିଲେ ‌ଗୁଜୁରାଟ ସରକାର ବିଦ୍ୟୁତ୍‌ ଘରୋଇକରଣ କରିନାହାନ୍ତି। ସରକାରୀ ସଂସ୍ଥାଙ୍କ ହାତ‌େର ରହି ସେଠାରେ ସଫଳତାର ସହିତ ବିଦ୍ୟୁତ୍‌ ଯୋଗାଣ ଚାଲିଛି। ବିଦ୍ୟୁତ୍‌ ବ୍ୟବସ୍ଥାର ଘରୋଇକରଣ ନ କରିବାକୁ ସେଠାକାର ସରକାର କେନ୍ଦ୍ରକୁ ଚିଠି ଲେଖିଛନ୍ତି। ଅନ୍ୟ ରାଜ୍ୟମାନେ ଗୁଜୁରାଟ ବ୍ୟବସ୍ଥାକୁ ଅନୁକରଣ କରନ୍ତୁ। ଦୁଇଟି ଘରୋଇ କମ୍ପାନି ଓଡ଼ିଶାର ବିଦ୍ୟୁତ୍‌ ବ୍ୟବସ୍ଥାକୁ ବୁଡ଼ାଇ ଦେଇ ଛାଡ଼ି ଚାଲିଯାଇଛନ୍ତି। ସେମାନଙ୍କୁ କାହିଁକି ବ୍ଲାକ ଲିଷ୍ଟ କରାଯାଇନି ବୋଲି ସେ ପ୍ରଶ୍ନ କରିଛନ୍ତି। ବ୍ଲାକଲିଷ୍ଟ କରା ନଯିବା ଫଳରେ ସମ୍ପୃକ୍ତ ସଂସ୍ଥା ଅନ୍ୟ ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ପାଇଁ ସୁଯୋଗ ପାଇବେ। ‌ଏଥିପ୍ରତି ଦୃଷ୍ଟି ଦେବାକୁ ସେ ଆହ୍ବାନ କରିଥିଲେ। ପୂର୍ବତନ ଅର୍ଥମନ୍ତ୍ରୀ ତଥା ଓଡ଼ିଶା ବିଦ୍ୟୁତ୍‌ ଉପଭୋକ୍ତା ମହାସ˚ଘ ସଭାପତି ପଞ୍ଚାନନ କାନୁନ୍‌ଗୋ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦ୍ୟୁତ୍‌ ବଣ୍ଟନର ପ୍ରସ୍ତାବିତ ଘରୋଇକରଣକୁ ବିରୋଧ କରିଥିଲେ।

ସେସୁର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ସୁଦର୍ଶନ ନାୟକ, ପାଵାର ଇଞ୍ଜିନିୟର୍ସ ଫେଡେରେସନର ସର୍ବଭାରତୀୟ ଅଧ୍ୟକ୍ଷ ଶୈଳେନ୍ଦ୍ର ଦୁବେ, ମହାସଚିବ ରତ୍ନାକର ରାଓ, ସମ୍ପାଦକ ବ୍ରହ୍ମପ୍ରକାଶ ପାଇଟାଲ ଓ ଅଲ୍‌ ଇଣ୍ତିଆ ପାଵାର ଏମ୍ପ୍ଲଇଜ୍‌ ଫେଡେରେସନ୍‌ ସହାସଚିବ ମୋହନ ଶର୍ମା, ଇଂ. କେ ଅଶୋକ ରାଓ ପ୍ରମୁଖ ବକ୍ତାଭାବେ ଯୋଗଦେଇ କହିଲେ ପୁଞ୍ଜି ବିନିଯୋଗ, ଯାନ୍ତ୍ରିକ ଓ ବୈଷୟିକ କ୍ଷତି ପହଞ୍ଚାଇବା, ଆର୍ଥିକ ପରିଚାଳନା ଓ ଉପଭୋକ୍ତାଙ୍କୁ ଉତ୍ତମ ସେବା ଯୋଗାଇବାରେ ସମ୍ପୂର୍ଣ୍ଣ ବିଫଳ ହେବା ପରେ ଓଡ଼ିଶା ବିଦ୍ୟୁତ ନିୟାମକ ଆୟୋଗ ଘରୋଇ କମ୍ପାନିମାନଙ୍କୁ ବିତାଡ଼ିତ କରିଛି। କିନ୍ତୁ ସମାନ ଦଶାରେ ଥିବା ଫ୍ରାଞ୍ଚାଇଜ୍‌ଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ। ବୈଷୟିକ କ୍ଷେତ୍ରକୁ ରୁଗ୍‌ଣ କରାଯିବା ଦ୍ବାରା ଉପଭୋକ୍ତାଙ୍କୁ ଉତ୍ତମ ସେବା ଯୋଗାଯାଇ ପାରୁନି। ବୈଷୟିକ ଓ ବାଣିଜ୍ୟିକ ‌େକ୍ଷତ୍ରରେ ପାଖାପାଖି ୪୦% କ୍ଷତି ହେଉଛି। ଶକ୍ତି କ୍ରୟ ବାବଦରେ ବକେୟା ୮୦୦ କୋଟିରେ ପହଞ୍ଚିଲାଣି। ଗତ ୪ ବର୍ଷରେ ସରକାରୀ ପୁଞ୍ଜି ବିନିଯୋଗ ପ୍ରାୟ ୭୦୦ କୋଟିରେ ପହଞ୍ଚିଛି। ବିଦ୍ୟୁତ୍‌ ଭିତ୍ତିଭୂମି ବିକାଶରେ ଏତେ ପରିମାଣ ଅର୍ଥ ବିନିଯୋଗ ପରେ ଘରୋଇକରଣର ଆବଶ୍ୟକତା ନାହିଁ। ୧୮ ବର୍ଷର ଘରୋଇକରଣ ଓ ୨୫ ବର୍ଷର ବିଦ୍ୟୁତ୍‌ ସ˚ସ୍କାର କାର୍ଯ୍ୟକ୍ରମର ପୁନଃ ମୂଲ୍ୟାୟନ ଜରୁରୀ ହୋଇପଡ଼ିଛି।

ବକ୍ତାମ‌ନେ ପ୍ରସ୍ତାବ ଦେଇଛନ୍ତି ଯେ ଘରୋଇକରଣ ପରିବର୍ତ୍ତେ ଶତ ପ୍ରତିଶତ ମିଟର ଯୋଗାଣ, ଚୋରି ରୋକିବା ପାଇଁ କେବୁଲ୍‌ ବ୍ୟବସ୍ଥାର ପ୍ରବର୍ତ୍ତନ, ବିଦ୍ୟୁତ୍‌ ବିଲ୍‌ ଆଦାୟ ପାଇଁ ପଞ୍ଚାୟତ, ମ୍ୟୁନିସିପାଲଟି ଓ ସ୍ବୟ˚ ସହାୟକ ସ˚ସ୍ଥାମାନଙ୍କୁ ଦାୟିତ୍ବ ପ୍ରଦାନ, ଓଡ଼ିଶାରେ ୪ଟି ବଣ୍ଟନ କମ୍ପାନି ବଦଳରେ ଏକକ ବିଦ୍ୟୁତ୍‌ କମ୍ପାନି କରି ପରିଚାଳନା କରିବାକୁ ବକ୍ତାମାନେ ପ୍ରସ୍ତାବ ଦେଇଥିଲେ। ବିଦ୍ୟୁତ୍‌ ବଣ୍ଟନର ପ୍ରସ୍ତାବିତ ଘରୋଇକରଣ ବିରୋଧରେ ଯଦି ସରକାର କୌଣସି ପଦକ୍ଷେପ ନ ନେବେ ତେବେ ସତ୍ୟାଗ୍ରହ କରିବାକୁ ଫେଡେରେସନର କାର୍ଯ୍ୟକାରିଣୀ ବୈଠକରେ ସ୍ଥିର ହୋଇଥିବା ଫେଡେରେସନ୍‌ ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe