ମିଳିବ ୧୫୦ କାରିଗର, ୯୦ ବୁଣାକାରଙ୍କ ଉତ୍ପାଦ

Advertisment

ଆଜିଠୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

ଆଜିଠୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା

ମିଳିବ ୧୫୦ କାରିଗର, ୯୦ ବୁଣାକାରଙ୍କ ଉତ୍ପାଦ

ଭୁବ‌ନେଶ୍ବର: ସୋମବାରଠାରୁ ଏପ୍ରିଲ ୧୦ ତାରିଖ ଯାଏ ଭୁବନେଶ୍ବରସ୍ଥିତ ଜନତା ମଇଦାନଠାରେ ଆୟୋଜିତ ହେବ ଷୋଡ଼ଶ ‘ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା’। ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ହେବାକୁ ଯାଉଥିବା ଏହି ୧୪ ଦିନିଆ ମେଳାରେ ଦେଶର ବିଭିନ୍ନ ସ୍ଥାନରୁ କାରିଗର ଓ ବୁଣାକାର ଅଂଶଗ୍ରହଣ କରି ସେମାନଙ୍କର ପାରମ୍ପରିକ ତଥା ସମସାମୟିକ ହସ୍ତତନ୍ତ ଓ ହସ୍ତଶିଳ୍ପ ଉତ୍ପାଦ ପ୍ରଦର୍ଶନ କରିବେ। ଚଳିତ ବର୍ଷ ମେଳାରେ ୩୯୦ଟି ହସ୍ତତନ୍ତ ଓ ହସ୍ତଶିଳ୍ପ ଷ୍ଟଲ୍‌ ସ୍ଥାନିତ ହେବ।

ଏଥିରେ ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶାଳୟ ପକ୍ଷରୁ ୧୫୦ କାରିଗର, ରାଜ୍ୟ ହସ୍ତତନ୍ତ ନିର୍ଦ୍ଦେଶାଳୟ ପକ୍ଷରୁ ୯୦ ବୁଣାକାରଙ୍କ ସହ ଦେଶର ବିଭିନ୍ନ ରାଜ୍ୟରୁ ୧୫୦ ବୁଣାକାର/କାରିଗର, ବିକାଶ ଆୟୁକ୍ତ (ହସ୍ତତନ୍ତ), ବିକାଶ ଆୟୁକ୍ତ (ହସ୍ତଶିଳ୍ପ)କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରାୟୋଜିତ ହୋଇଛନ୍ତି। ଖରାକୁ ନଜରରେ ରଖି ପ୍ରତିଦିନ ଅପରାହ୍ନ ୩ଟାରୁ ରାତି ୧୦ଟା ଯାଏ ମେଳା ଖୋଲା ରହିବ। ଏଥିସହ ମେଳାର ଅନ୍ୟତମ ଆକର୍ଷଣ ପାଲଟିବ ‘ଫୁଡ୍‌ ଜୋନ୍‌’। ଓଡ଼ିଆ ପାରମ୍ପରିକ ଖାଦ୍ୟ ସହ ସମସ୍ତ ପ୍ରକାର ସୁସ୍ବାଦୁ ଖାଦ୍ୟର ମଜା ଉଠାଇବା ନିମନ୍ତେ ମେଳା ପରିସରରେ ଖୋଲିବ ୩୦ଟି ଖାଦ୍ୟ ଷ୍ଟଲ। ଗ୍ରୀଷ୍ମକୁ ନଜରରେ ରଖି ମେଳା ପରିସରରେ ଶୀତ ତାପ ନିୟନ୍ତ୍ରିତ ବିଶ୍ରାମ ଗୃହ ଓ ପ୍ରଚୁର ଶୀତଳ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି ବୋଲି ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ସମ୍ମିଳନୀ କକ୍ଷରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ପଦ୍ମିନୀ ଦିଆନ ସୂଚନା ଦେଇଛନ୍ତି।

ଖୋଲିବ ୩୯୦ ଷ୍ଟଲ, ଅପରାହ୍‌ଣ ୩ଟାରୁ ରାତି ୧୦ଟା ଯାଏ ମେଳା

ମନ୍ତ୍ରୀ ଶ୍ରୀମତୀ ଦିଆନ କହିଛନ୍ତି, ବୁଣାକାର ଓ ହସ୍ତଶିଳ୍ପ କାରିଗରମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀ ବିକ୍ରି ନିମନ୍ତେ ଆବଶ୍ୟକୀୟ ବଜାର ସୃଷ୍ଟି କରି ସେମାନଙ୍କୁ ସ୍ବାବଲମ୍ବୀ କରିବା, ରାଜ୍ୟରେ କାର୍ଯ୍ୟରତ ଶିଳ୍ପୀ, କାରିଗର, ବୁଣାକାର ତଥା ତତ୍‌ସମ୍ବନ୍ଧୀୟ ଅଭିଜ୍ଞ ବ୍ୟକ୍ତିମାନଙ୍କ ମଧ୍ୟରେ ଭାବଗତ ଆଦାନପ୍ରଦାନର ସୁଯୋଗ ସୃଷ୍ଟି, ଭାରତୀୟ ପାରମ୍ପରିକ କଳା, ହସ୍ତଶିଳ୍ପ ଓ ହସ୍ତତନ୍ତର ସଂରକ୍ଷଣ କରିବା ଏବଂ କାରିଗର ଓ ବୁଣାକାରମାନଙ୍କ ସାମଗ୍ରୀର ପ୍ରସ୍ତୁତି କୌଶଳ ଓ ସୃଜନାତ୍ମକ ଜଟିଳତାକୁ ଲୋକମାନଙ୍କ ମଧ୍ୟ‌ରେ ସଚେତନ ସୃଷ୍ଟି କରିବା ହେଉଛି ଏହି ମେଳାର ମୁଖ୍ୟ ଉଦ୍ଦେଶ୍ୟ। ଚଳିତ ବର୍ଷ ମେଳାର ‘ଥିମ୍‌ ପାଭିଲିଅନ୍‌’ରେ ସଂକଳ୍ପ ଜାତୀୟ ପ୍ରକଳ୍ପ ଅଧୀନରେ କେନ୍ଦ୍ରାପଡ଼ା କାଇଁଚ ହସ୍ତଶିଳ୍ପକୁ ପ୍ରଦର୍ଶିତ କରାଯିବ। ଏଥିସହ ବୃଦ୍ଧ ଓ ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ରହିବ। ମା’ ଓ ଶିଶୁଙ୍କ ନିମନ୍ତେ ଏକ ସ୍ବତନ୍ତ୍ର ଶିଶୁ ଯତ୍ନ ଗୃହର ମଧ୍ୟ ପରିକଳ୍ପନା କରାଯାଇଛି।

ଜନଗହଳିକୁ ଏଡ଼ାଇବା ପାଇଁ ଉଚ୍ଚମାନର ସାଂସ୍କୃତିକ କାର୍ଯ୍ୟକ୍ରମଳ ଆୟୋଜିତ ହେବ ନାହିଁ। ଧୁଡୁକି, କେନ୍ଦରା, ଦାଶକାଠିଆ, ପାଲା, କୀର୍ତ୍ତନ ଓ ସ୍ଥାନୀୟ ଲୋକନୃତ୍ୟ ଆଦି ଛୋଟ ତଥା ପାରମ୍ପରିକ ସାଂସ୍କୃତିକ କାର୍ଯ୍ୟକ୍ରମ ଏଥର ଆୟୋଜିତ ହେବ।

ଗତବର୍ଷ ତୋଷାଳି ମେଳାରେ ପ୍ରାୟ ୧୪ ଲକ୍ଷ ଲୋକଙ୍କ ସମାଗମ ହୋଇଥିବା ବେଳେ ୧୨ କୋଟି ୩୮ ଲକ୍ଷ ଟଙ୍କାର ବ୍ୟବସାୟ ହୋଇଥିଲା। ବିଭାଗ ପକ୍ଷରୁ ଚଳିତ ବର୍ଷ ମେଳାରେ ୧୫ କୋଟି ଟଙ୍କାର କାରବାର ଲକ୍ଷ୍ୟ ରଖାଯାଇଛି। ବିଭାଗ ପକ୍ଷରୁ ଏହି ମେଳା ଆୟୋଜନ ପାଇଁ ୨ କୋଟି ୬୦ ଲକ୍ଷ ଟଙ୍କାର ବ୍ୟୟ ଅଟ୍ଟକଳ ପ୍ରସ୍ତୁତ ହୋଇଛି ବୋଲି ବିଭାଗୀୟ ସଚିବ ଶୁଭା ଶର୍ମା ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe