ସ୍ଥଳଭାଗ ଆଡ଼କୁ ଘୁଞ୍ଚୁଛି ହେନ୍ତାଳ ବଣ: ଖଏଙ୍ଗା, ଇଲିସି ପ୍ରତି ବିପଦ ବଢ଼ୁଛି

Advertisment

‘ଜଳବାୟୁ ପରିବର୍ତ୍ତନ ଓ ଶିଳ୍ପ’ ଶୀର୍ଷକ ଜାତୀୟ ସମ୍ମିଳନୀ 

‘ଜଳବାୟୁ ପରିବର୍ତ୍ତନ ଓ ଶିଳ୍ପ’ ଶୀର୍ଷକ ଜାତୀୟ ସମ୍ମିଳନୀ 

ସ୍ଥଳଭାଗ ଆଡ଼କୁ ଘୁଞ୍ଚୁଛି ହେନ୍ତାଳ ବଣ: ଖଏଙ୍ଗା, ଇଲିସି ପ୍ରତି ବିପଦ ବଢ଼ୁଛି

ଭୁବନେଶ୍ବର: କ୍ରମାଗତ ଭାବେ ବୃଦ୍ଧି ପାଉଥିବା ତାପମାତ୍ରା ଏବେ ସମଗ୍ର ବିଶ୍ବ ପାଇଁ ଚିନ୍ତାର କାରଣ ପାଲଟିଛି। ବିଶ୍ବ ତାପନ ଫଳରେ ‌ଗ୍ଲେସିୟର୍‌ ତରଳିବା ସହ ସମୁଦ୍ର ଜଳସ୍ତର ବୃଦ୍ଧି ପାଉଛି ଏବଂ ସମୁଦ୍ର ଉପକୂଳ ଆଡ଼କୁ ମାଡୁଛି। ସମୁଦ୍ରର ଜଳସ୍ତର ବୃଦ୍ଧି ଯୋଗୁଁ ହେନ୍ତାଳ ବଣ ଧ୍ବଂସାଭିମୁଖୀ ହେବାରେ ଲାଗିଛି। କାଳକ୍ରମେ ହେନ୍ତାଳ ଜଙ୍ଗଲ ସ୍ଥଳଭାଗ ଆଡ଼କୁ ଘୁଞ୍ଚି ଆସୁଥିବା ଲକ୍ଷ୍ୟ କରାଯାଉଛି। ସେହିଭଳି ସମୁଦ୍ରର ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ନଦୀ ଓ ସମୁଦ୍ରର ମିଳନସ୍ଥଳର ପରିସଂସ୍ଥା ବିଗୁଡ଼ୁଛି। ଫଳରେ ନଦୀ ଓ ସମୁଦ୍ରର ସଙ୍ଗମସ୍ଥଳରେ ବସବାସ କରୁଥିବା ଜୀବଜନ୍ତୁ ବ୍ୟାପକ ଭାବେ ପ୍ରଭାବିତ ହେଉଛନ୍ତି। ତାପମାତ୍ରା ବୃଦ୍ଧି ପ୍ରଭାବରେ ଖଏଙ୍ଗା ଓ ଇଲିସି ଭଳି ବିରଳ ପ୍ରଜାତିର ମାଛ ପ୍ରତି ବିପଦ ସୃଷ୍ଟି ହୋଇଛି। ଓଡ଼ିଶା ସରକାରଙ୍କ ଜଙ୍ଗଲ ଓ ପରିବେଶ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ସେଣ୍ଟର୍‌ ଫର୍‌ ରୁରାଲ ଡେଭଲପମେଣ୍ଟ ପକ୍ଷରୁ ଆଜି ଭୁବନେଶ୍ବରସ୍ଥିତ ହୋଟେଲ୍‌ ନିଉ ମାରିଅନ୍‌ରେ ‘ଜଳବାୟୁ ପରିବର୍ତ୍ତନ ଓ ଶିଳ୍ପ’ ଶୀର୍ଷକ ଦୁଇଦିନିଆ ଜାତୀୟ ସମ୍ମିଳନୀରେ ଯୋଗଦେଇ ବୈଜ୍ଞାନିକମାନେ ଶିଳ୍ପାୟନ ଯୋଗୁଁ ନିୟମିତ ବୃଦ୍ଧି ପାଉଥିବା ବିଶ୍ବ ତାପମାତ୍ରା ନେଇ ଚିନ୍ତା ପ୍ରକଟ କରିଛନ୍ତି। ସମ୍ମିଳନୀକୁ ଉଦ୍‌ଘାଟନ କରି ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ସଦସ୍ୟ ସଚିବ ଦେବୀଦତ୍ତ ବିଶ୍ବାଳ ତାପମାତ୍ରା ବୃଦ୍ଧି ଯୋଗୁଁ ପାଣିପାଗରେ ଦେଖାଦେଇଥିବା ପରିବର୍ତ୍ତନ ସଂପର୍କରେ ଗୁରୁତ୍ବାରୋପ କରିଛନ୍ତି। ତାପମାତ୍ରା ବୃ୍ଦ୍ଧିକୁ ରୋକିବାକୁ ଶିଳ୍ପ ସଂସ୍ଥାମାନଙ୍କର ଗୁରୁଦାୟିତ୍ବ ରହିଛି ବୋଲି ଶ୍ରୀ ବିଶ୍ବାଳ ମତବ୍ୟକ୍ତ କରିଛନ୍ତି। ସେହିଭଳି ଅନ୍ୟତମ ଅତିଥି ଭାବେ ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଭାରତର କେଦାରନାଥ, ଚେନ୍ନାଇ, କେରଳ ଏବଂ ନିକଟରେ ଦକ୍ଷିଣ ଓଡ଼ିଶାର ଗଜପତି ଜିଲ୍ଲାରେ ଦେଖା ଦେଇଥିବା ବନ୍ୟା ଓ ବାତ୍ୟା ତାପମାତ୍ରା ବୃଦ୍ଧିର ଫଳ ବୋଲି କହିଛନ୍ତି।

କାର୍ଯ୍ୟକ୍ରମରେ ବିଭିନ୍ନ ଅଧିବେଶନରେ ପରିବେଶବିତ୍‌ ତଥା ଓଡ଼ିଶା ବିଜ୍ଞାନ କଂଗ୍ରେସର ସଭାପତି ଜେ.କେ. ପାଣିଗ୍ରାହୀ, ସେଣ୍ଟର୍‌ ଫର୍‌ ରୁରାଲ ଡେଭ୍‌ଲପମେଣ୍ଟର ପ୍ରତିନିଧି ପ୍ରଫେସର ଉପେନ୍ଦ୍ର ପାଢ଼ୀ, ସି-ଟ୍ରାନ୍‌ର ଅଶୋକ ସିଂହ, ଏନ୍‌ଟିପିସିର ଭି. ରବିବାବୁ, ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟର ଯୁଗ୍ମ ନିର୍ଦ୍ଦେଶକ ଅମିତ କୁମାର ଗୁପ୍ତା, ଆଇଏମ୍‌ଏମ୍‌ଟିର ଏସ୍.ଏନ୍‌. ଦାଶ, ପୂର୍ବତନ ପାଣିପାଗ ନିର୍ଦ୍ଦେଶକ ଶରତ କୁମାର ସାହୁ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ବୋର୍ଡର ପରିବେଶ ବୈଜ୍ଞାନିକ ଡ. ଏନ୍‌.ଆର୍‌. ସାହୁ, ପି.‌କେ. ପୃଷ୍ଟି, ଡି.କେ. ବେହେରା ପ୍ରମୁଖ ଯୋଗଦେଇ ବିଶ୍ବ ତାପନର ଭୟାବହତା ସଂପର୍କରେ ନିଜ ନିଜର ମତ ରଖିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe