ଆଶଙ୍କା ସତ ହେଲା: ବନ୍ୟା କରାଇଦେଲେ

Advertisment

ଏନ୍‌ଡିଏମ୍‌ଏ ଗାଇଡଲାଇନ୍‌ ଦୁଇ ବର୍ଷ ହେଲା ଲାଗୁ ହେଉନି

ଏନ୍‌ଡିଏମ୍‌ଏ ଗାଇଡଲାଇନ୍‌ ଦୁଇ ବର୍ଷ ହେଲା ଲାଗୁ ହେଉନି

ଆଶଙ୍କା ସତ ହେଲା: ବନ୍ୟା କରାଇଦେଲେ

????????????????????????????????????

ଭୁବନେଶ୍ୱର: ରାଜଧାନୀରେ ଆଜି ଯେଉଁ ପରିସ୍ଥିତି ଉପୁଜିଲା, ସେହିଭଳି ସ୍ଥିତି ପୂର୍ବରୁ ୨୦୧୩ରେ ଉତ୍ତରାଖଣ୍ଡରେ, ୨୦୧୪ରେ କଶ୍ମୀରରେ, ୨୦୧୫ରେ ବେଙ୍ଗାଲୁରରେ ସୃଷ୍ଟି ହୋଇଛି। ଏହାକୁ ନଜରରେ ରଖି ସହରାଞ୍ଚଳରେ ଯେପରି ବନ୍ୟା ପରିସ୍ଥିତି ସୃଷ୍ଟି ନହେବ, ବର୍ଷା ଜଳ ତୁରନ୍ତ ନିଷ୍କାସନ ହୋଇପାରିବ, ଲୋକ ଜଳବନ୍ଦୀ ନହେବେ ଏବଂ ବନ୍ୟାକୁ ଠିକ୍‌ ଭାବେ ମୁକାବିଲା କରିହେବ ସେଥିପାଇଁ ନ୍ୟାସନାଲ୍‌ ଡିଜାଷ୍ଟର ମ୍ୟାନେଜମେଣ୍ଟ ଅଥରିଟି (ଏନ୍‌ଡିଏମ୍‌ଏ)ଙ୍କ ପକ୍ଷରୁ ଦୁଇ ବର୍ଷ ହେଲା ଗାଇଡଲାଇନ୍‌ ଜାରି କରାଯାଇଛି। ଏପରିକି ରାଜଧାନୀରେ ଏହି ଗାଇଡଲାଇନ୍‌ ତୁରନ୍ତ ଲାଗୁ କରିବାକୁ କୁହାଯାଇଥିଲା। କିନ୍ତୁ କର୍ତ୍ତୃପକ୍ଷ ଏହାକୁ ଲାଗୁ କଲେନି। ବରଂ ଏହି ପ୍ରସ୍ତାବକୁ ମୋଡି ମକ୍‌ଚି ଡଷ୍ଟବିନ୍‌କୁ ଫୋପାଡ଼ି ଦେଇ ଆଜି ଭଳି ବର୍ଷାକୁ ଅପେକ୍ଷା କରିଥିଲେ। ସତେ ଯେମିତି ରାଜଧାନୀବାସୀଙ୍କୁ ଜଳଘେରି କରିବାକୁ ବିଏମ୍‌ସି କର୍ତ୍ତୃପକ୍ଷ ପୂରା ଯୋଜନା କରି ବସିଥିଲେ। ଲୋକ ହନ୍ତସନ୍ତ ହେଲେ ଆଶ୍ୱାସନା ଦେବାକୁ ଅଧିକାରୀ ଓ ନେତାମାନେ ସୁଯୋଗକୁ ଅପେକ୍ଷା କରିଥିଲେ। ଲୋକଙ୍କୁ ଅସୁବିଧାରେ ପକାଇ ନିଜ ଦକ୍ଷତା ଦେଖାଇବା ଚକ୍କରରେ ଆଜି ରାଜଧାନୀକୁ ବୁଡ଼ାଇଦେଲେ। ଏନଡିଏମ୍‌ଏ ନିୟମାବଳୀ ସମ୍ପର୍କରେ ‘ସମ୍ବାଦ’ ଦୁଇ ଥର ଖବର ପ୍ରକାଶ କରିବା ସହ ଏହା ନହେଲେ କ’ଣ ସମସ୍ୟା ହେବ ତାହା ଦେଖାଇଥିଲା। କିନ୍ତୁ ବଡ଼ ବାବୁମାନେ ଏହାକୁ ଖାତିର କଲେନି। ବନ୍ୟା ପାଇଁ ଷଡ଼ଯନ୍ତ୍ର କରି ବସି ପଡ଼ିଲେ। ସ୍ଥାୟୀ ସମାଧାନ କରିଦେଲେ ଜରୁରୀକାଳୀନ ଖର୍ଚ୍ଚ ଦେଖାଇ ଅର୍ଥ ବାଟମାରଣା କରିହେବନି ବୋଲି ଏହି ଗାଇଡଲାଇନ୍‌କୁ କାର୍ଯ୍ୟକାରୀ କରାଯାଉନି ବୋଲି ଅଭିଯୋଗ ହେଲାଣି।

କ’ଣ ରହିଛି ଏନ୍‌ଡିଏମ୍‌ଏ ନିୟମାବଳୀ
ସାଧରଣତଃ ଡ୍ରେନ୍‌ ସମସ୍ୟା, କଠିନ ବର୍ଜ୍ୟବସ୍ତୁ ପରିଚାଳନାରେ ତ୍ରୁଟି, ସହରାଞ୍ଚଳରେ ବିଭିନ୍ନ ପ୍ରକଳ୍ପ ନିର୍ମାଣରେ ତ୍ରୁଟି, କେତେ ବର୍ଷା ହେଲେ ସହରାଞ୍ଚଳରେ ବନ୍ୟା ହେବ ଏବଂ ଏହାର ପ୍ରତିକାର ନେଇ ଉପାୟ ସ୍ଥିର ନ କରିବା, ଜବରଦଖଲ ସମସ୍ୟା ଯୋଗୁଁ ସହରାଞ୍ଚଳରେ ବନ୍ୟା ହେଉଥିବା ଏନଡିଏମ୍‌ଏ ପକ୍ଷରୁ କୁହାଯାଇଛି। ଏହାର ଉଦାହରଣ ହେଲା ୨୦୧୩ରେ ଉତ୍ତରାଖଣ୍ଡରେ ବନ୍ୟା, ୨୦୧୪ରେ ଜମ୍ମୁ ଓ କଶ୍ମୀରରେ ବନ୍ୟା ଏବଂ ୨୦୧୫ରେ ଚେନ୍ନାଇରେ ବନ୍ୟା। ତେଣୁ ସହରାଞ୍ଚଳରେ ବନ୍ୟା ହେବା ପୂର୍ବରୁ ଏହାର କିପରି ମୁକାବିଲା କରାଯିବ ସେଥିପାଇଁ ପ୍ରତ୍ୟେକ ସହରାଞ୍ଚଳ କର୍ତ୍ତୃପକ୍ଷ ତିନିଟି ପର୍ଯ୍ୟାୟରେ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ଏଥିରେ ୨୦୧୬-୨୦୨୦ ପର୍ଯ୍ୟନ୍ତ ସ୍ୱଳ୍ପକାଳୀନ, ୨୦୨୦-୨୦୨୫ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀକାଳୀନ ଏବଂ ୨୦୨୫-୨୦୩୦ ପର୍ଯ୍ୟନ୍ତ ଦୀର୍ଘକାଳୀନ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବାକୁ କୁହାଯାଇଥିଲା। ହେଲେ ବିଏମ୍‌ସି କର୍ତ୍ତୃପକ୍ଷ ନାହିରେ ତେଲ ପକାଇ ଶୋଇପଡ଼ିଲେ। ଏପରିକି ବିଏମ୍‌ସିର ବିପର୍ଯ୍ୟୟ ପରିଚାଳନା ବିଭାଗ ବି ଏନଡିଏମ୍‌ଏ ଗାଇଡଲାଇନ୍‌ ନେଇ ପୂରା ଅଜ୍ଞ। ଏତିକି ନୁହେଁ ଡ୍ରେନେଜ୍‌ ଡିଭିଜନ ବି ଏମିତି କିଛି ଅଛି ବୋଲି ଜାଣିନି। କର୍ତ୍ତୃପକ୍ଷ କହୁଛନ୍ତି ଆମେ ଡ୍ରେନ୍‌ କରୁଛୁ। ପାଣି ନିଷ୍କାସନ ହୋଇଯିବ।

ଗାଇଡଲାଇନ୍‌ଠାରୁ ବହୁ ଦୂରରେ ବିଏମ୍‌ସି
ଏବେ ରାଜଧାନୀରେ ଅଧ ଘଣ୍ଟା ୫୦ ମିଲିମିଟର ବର୍ଷା ହେଲେ ଅଧା ରାଜଧାନୀ ଜଳାର୍ଣ୍ଣବ ହୋଇଯାଉଛି। ଆଜି ତ ବଡ଼ ବର୍ଷା ଥିଲା। ତେଣୁ ରାଜଧାନୀରେ ଯେପରି କଶ୍ମୀର ଓ ଚେନ୍ନାଇ ଭଳି ସ୍ଥିତି ନ ଉପୁଜିବ ସେଥିପାଇଁ ପଦକ୍ଷେପ ନେବାକୁ ଗାଇଡଲାଇନ୍‌ରେ କୁହାଯାଇଛି। ଏଥିରେ ଏକ ବୈଷୟିକ ଜ୍ଞାନ ଥିବା ଅଧିକାରୀମାନଙ୍କୁ ନେଇ ଏକ ଅର୍ବାନ୍‌ ଫ୍ଲଡ୍‌/ଫ୍ଲଡ୍‌ ମ୍ୟାନେଜମେଣ୍ଟ ସେଲ୍‌ ଗଠନ କରିବାକୁ କୁହାଯାଇଛି। ସହରର ଭୌଗୋଳିକ ସ୍ଥିତି (ପାହାଡିଆ ଅଞ୍ଚଳ, ନଦୀ ଘେରରେ/ନିକଟବର୍ତ୍ତୀ ଅଞ୍ଚଳ, ଡ୍ୟାମ ନିକଟବର୍ତ୍ତୀ ଅଞ୍ଚଳ, ଉପକୂଳବର୍ତ୍ତୀ ଅଞ୍ଚଳ) ଦେଖି ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଛି। ଏଥିରେ ସହରର ସଫେଇ, ପରିମଳ ସହ ସଂପୃକ୍ତ ଓ ଅନ୍ୟାନ୍ୟ ଷ୍ଟେକ୍‌ ହୋଲଡର୍‌ମାନଙ୍କୁ ନେଇ ମୌସୁମୀ ଆସିବା ପୂର୍ବରୁ ପ୍ରସ୍ତୁତି ବୈଠକ କରିବାକୁ ହେବ ଏବଂ ଆବଶ୍ୟକୀୟ ଦକ୍ଷତା ବିକାଶ କରିବାକୁ ପଡ଼ିବ। ସହରର ପ୍ରତି ଓ୍ଵାର୍ଡର ଲୋକଙ୍କୁ ସଚେତନ କରାଯିବ। ଏଥିପାଇଁ ଆବାସିକ କଲୋନି/ଗୋଷ୍ଠୀର ତାଲିକା ପ୍ରସ୍ତୁତ କରି ମହାନଗର ନିଗମ ରଖିବ। ଆଉ ସମସ୍ତଙ୍କୁ ବିଭିନ୍ନ କାର୍ଯ୍ୟରେ ସଂପୃକ୍ତ କରାଇବ। ମୌସୁମୀ ଆସିବାର ଯଥେଷ୍ଟ ପୂର୍ବରୁ ଡ୍ରେନ୍‌ ସଫା ହେବ। ବିଭିନ୍ନ ଜଳାଶୟର ମ୍ୟାପିଂ କରିବା ସହିତ କାହା ମାଲିକାନାରେ ଅଛି, ତାହାର ମଧ୍ୟ ସୂଚନା ରଖିବେ। ଯେଉଁଠି ପାଣି ଜମୁଛି, ସେଠାରୁ ଯେପରି କମ୍‌ ସମୟରେ ପାଣି ନିଷ୍କାସନ ହେବ ସେଥିପାଇଁ ପାଣି ମୋଟର ରଖିବେ। କିନ୍ତୁ ବିଏମ୍‌ସି ଏହି ସବୁ ଯୋଜନାଠାରୁ ବହୁ ଦୂରରେ। ବର୍ଷାରେ ଜଳବନ୍ଦୀ ହେବା ପରେ ଯୋଜନା ପ୍ରସ୍ତୁତ ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe