କେନାଲ ମରାମତିରେ ଅବହେଳା: ୩୦୦ ଏକର ଧାନଚାଷ ପ୍ରଭାବିତ

Advertisment
କେନାଲ ମରାମତିରେ ଅବହେଳା: ୩୦୦ ଏକର ଧାନଚାଷ ପ୍ରଭାବିତ

ବାଲିଅନ୍ତା ବଜାର: ବାଲିଅନ୍ତା ବ୍ଲକ୍‌ ଅଧୀନ ବେଣୁପୁର ପଞ୍ଚାୟତର ଏକ ମାଇନର୍‌ କେନାଲ ଅଧପନ୍ତରିଆ ଭାବେ ମରାମତି ହୋଇଥିବାରୁ ଧାନଚାଷ ପ୍ରଭାବିତ ହେଉଛି। ବାଳକାସାହିରୁ ତୋଟାସାହି ଦେଇ ଇଟାଗାଡ଼ିଆ ପର୍ଯ୍ୟନ୍ତ ଲମ୍ବିଥିବା ଏହି ମାଇନର୍‌ର ରକ୍ଷଣାବେକ୍ଷଣ ଠିକ୍‌ ହେଉନଥିବାରୁ ପ୍ରାୟ ୩୦୦ ଏକର ଧାନଚାଷ କ୍ଷତିଗ୍ରସ୍ତ ହେବା ଆଶଙ୍କା ସୃଷ୍ଟି ହୋଇଛି। ତେଣୁ ବିହିତ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଚାଷୀମାନେ ପ୍ରାଚୀ ଡିଭିଜନ୍‌ ଅଧିକାରୀମାନଙ୍କ ଦୃଷ୍ଟି ଆକର୍ଷଣ କରିଥିବା କହିଛନ୍ତି।

ଏହି ମାଇନର୍‌ ଗୋପ ମୁଖ୍ୟ କେନାଲରୁ ବାଳକାସାହିଠାରୁ ବାହାରି ଚନ୍ଦନବସ୍ତ ଗାଁ ଦେଇ ଇଟାଗାଡ଼ିଆ ପର୍ଯ୍ୟନ୍ତ ଲମ୍ବିଛି। ବାଳକାସାହିଠାରୁ ତୋଟାସାହି ପର୍ଯ୍ୟନ୍ତ ମାଇନର୍‌ ସାରା ଅନାବନା ଗଛଲତା ମାଡ଼ିଗଲାଣି। ସଫେଇ ହୋଇନଥିବାରୁ ଗଛଲତା ମାଡ଼ିଯାଇଛି ଏବଂ ଜଳପ୍ରବାହ ବାଧାପ୍ରାପ୍ତ ହେଉଛି। ସେହିଭଳି କେନାଲର ଗୋଟିଏ ପାର୍ଶ୍ୱରେ ସିମେଣ୍ଟ ଆଡ଼ି ବାଡ଼ ନିର୍ମାଣ କରାଯାଇଛି ଏବଂ ଅପରପାର୍ଶ୍ବ ମାଟି ହୁଡ଼ା ଅଛି। ବହୁ ସ୍ଥାନରେ ମାଟି ହୁଡ଼ା ଭାଙ୍ଗି ଯାଇଥିବାରୁ ପାଣି ନଷ୍ଟ ହେଉଛି ଏବଂ ତଳ ମୁଣ୍ଡକୁ ଯାଉନାହିଁ। ସେହିଭଳି ଢିପ ଜମିକୁ ପାଣି ମାଡ଼ିବା ସମ୍ଭବ ହେଉନାହିଁ। ସେହିଭଳି ସିମେଣ୍ଟ ବାଡ଼ ପଟେ ବହୁ ସ୍ଥାନରେ ସୋଠ ବା ହୋଲ୍‌ ମାଟିରେ ପୋତି ହୋଇଯାଇଥିବାରୁ ବିଲକୁ ପାଣି ମାଡ଼ି ପାରୁନାହିଁ। ଏବେ ଚାଷୀମାନେ ଧାନ ତଳି ରୁଆଇବାକୁ ବସିଛନ୍ତି। କିନ୍ତୁ ଢିପ ଜମିଗୁଡ଼ିକରେ ପାଣି ଅଭାବ ଥିବାରୁ ରୁଆ ବେଉଷଣ ହୋଇପାରୁନାହିଁ। ସ୍ଥାନୀୟ ଚାଷୀ ହରେକୃଷ୍ଣ ମଙ୍ଗରାଜ, ସନାତନ ଜେନା, ମହାଦେବ ଲେଙ୍କା ଓ ସୁରେଶ ଜେନା ପ୍ରମୁଖ କହିଛନ୍ତି ଯେ ପ୍ରତିବର୍ଷ ପ୍ରାଚୀ ଡିଭିଜନ୍‌କୁ ଏନେଇ ଅଭିଯୋଗ କରାଯାଉଛି। କିନ୍ତୁ ବିଭାଗୀୟ ଅଧିକାରୀମାନଙ୍କ ଅବହେଳାରୁ ଏହି ମାଇନର୍‌ର ଅବସ୍ଥାରେ ସୁଧାର ଆସିପାରୁନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe