ଅବହେଳିତ ବୁଦ୍ଧନାଥ ପୀଠ ରାସ୍ତା, କଲଭର୍ଟ ଖାଲ ପାଲଟିଛି ମରଣଯନ୍ତା

ଅବହେଳିତ ବୁଦ୍ଧନାଥ ପୀଠ ରାସ୍ତା, କଲଭର୍ଟ ଖାଲ ପାଲଟିଛି ମରଣଯନ୍ତା

ବାଲିପାଟଣା : ବାଲିପାଟଣା ବଜାରରୁ ଗାରେଡ଼ିପାଞ୍ଚଣସ୍ଥିତ ପ୍ରାଚୀନ ଓ ପ୍ରସିଦ୍ଧ ଶୈବପୀଠ ଶ୍ରୀଶ୍ରୀ ବୁଦ୍ଧନାଥ ମହାଦେବଙ୍କ ମନ୍ଦିରକୁ ସଂଯୋଗ କରୁଥିବା ରାସ୍ତା ମରଣଯନ୍ତା ପାଲଟିଛି। ଦୀର୍ଘବର୍ଷ ହେଲା ନବୀକରଣ କିମ୍ବା ମରାମତି ହେଉନଥିବାରୁ ରାସ୍ତା ଅବସ୍ଥା ଅତି ଶୋଚନୀୟ ହୋଇପଡ଼ିଛି। ଖାଲଖମାରେ ଭର୍ତ୍ତି ଏହି ରାସ୍ତାରେ ପ୍ରତିଦିନ ଛୋଟମୋଟ ଦୁର୍ଘଟଣା ଘଟୁଛି। ସ୍ଥାନୀୟ ଜନସାଧାରଣ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କରି ନିରାଶ ହୋଇଛନ୍ତି। ରାଜଧାନୀ ଉପକଣ୍ଠରେ ବାରଶହ ଶତାବ୍ଦୀର କାରୁକାର୍ଯ୍ୟପୂର୍ଣ୍ଣ ଏହି ମନ୍ଦିର ପର୍ଯ୍ୟଟକଙ୍କ ଆକର୍ଷଣ ହୋଇଥିଲେ ବି ଭଲ ରାସ୍ତା ଅଭାବରୁ ସମସ୍ତଙ୍କ ଦୃଷ୍ଟି ଅଢ଼ୁଆଳରେ ରହିଛି।

ବାଲିପାଟଣା ବଜାରରୁ ଗାରେଡ଼ିପାଞ୍ଚଣ ଗ୍ରାମକୁ ସଂଯୋଗ କରୁଥିବା ଏହି ରାସ୍ତାରେ ଦଶଟି ମୌଜାର ଲୋକେ ବୁଦ୍ଧନାଥ ମହାଦେବଙ୍କ ମନ୍ଦିରକୁ ଆସିବା ପାଇଁ ନିର୍ଭର କରନ୍ତି। ପିରିଖାପାଟଣା, ମିଶ୍ରସାହି, ଶିଶୁମଠ ସାହି, ବାରିଲୋ, ଗିରିଙ୍ଗ, ସରିପୁର, କାକରୁଦ୍ରପୁର, କିଆଯୋଡ଼ି, ଚମ୍ପାବସ୍ତ, ନୂଆସାହି, ଖମଙ୍ଗ ପ୍ରଭୃତି ଗାଁର ଲୋକେ ଏହି ରାସ୍ତାରେ ମନ୍ଦିରକୁ ଆସନ୍ତି। ସେହିଭଳି ଗାରେଡ଼ିପାଞ୍ଚଣ, ବିଶ୍ବନାଥପୁର, ମଧୁବନ, ତରଡ଼ପଡ଼ା ପ୍ରଭୃତି ଅଞ୍ଚଳର ଲୋକେ ଏବଂ ବ୍ୟବସାୟୀ ଏହି ରାସ୍ତାରେ ସ୍ଥାନୀୟ ସାପ୍ତାହିକ ହାଟକୁ ଯା’ଆସ କରନ୍ତି। ଏହାବାଦ୍‌ ବାଲିପାଟଣା ଥାନା, ବ୍ଲକ, ତହସିଲ, ଜଳସେଚନ କାର୍ଯ୍ୟାଳୟ, ପୋଷ୍ଟ ଅଫିସ, ସବ୍‌ରେଜେଷ୍ଟ୍ରି କାର୍ଯ୍ୟାଳୟ, ପ୍ରାଣୀ ଚିକିତ୍ସାକେନ୍ଦ୍ର, ବୁଦ୍ଧନାଥ ହାଇସ୍କୁଲ, ବାଳିକା ବିଦ୍ୟାଳୟ, ପୋଷ୍ଟ ଅଫିସ, ସୋସାଇଟି, ପଞ୍ଚାୟତ କାର୍ଯ୍ୟା‌ଳୟ, ଶିଶୁ ଅନନ୍ତ ମହାବିଦ୍ୟାଳୟ, ଶିଶୁ ଅନନ୍ତଙ୍କ ପୀଠକୁ ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ଶହଶହ ଲୋକ ଯାଆନ୍ତି।

publive-image

ସୂଚନାଯୋଗ୍ୟ ପ୍ରାୟ ଏକ କିଲୋମିଟର ଦୈର୍ଘ୍ୟର ଏହି ରାସ୍ତାଟି ଆଜି ପର୍ଯ୍ୟନ୍ତ କଚ୍ଚା ରାସ୍ତା ହୋଇ ରହିଛି। ଏକ ପ୍ରାଚୀନ କୀର୍ତ୍ତିରାଜିପୂର୍ଣ୍ଣ ପୀଠକୁ ଲମ୍ବିଥିବା ରାସ୍ତାକୁ କଂକ୍ରିଟ୍‌ କରାଯାଇ ପାରିନାହିଁ। ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାଠାରୁ ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନା ପର୍ଯ୍ୟନ୍ତ ମାଳମାଳ ଯୋଜନା ରହିଛି। କିନ୍ତୁ କୌଣସି ଯୋଜନାର ସୁଫଳ ମିଳିପାରୁନାହିଁ। ସେହିଭଳି ବ୍ଲକ ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରତିବର୍ଷ ମୋରମ୍ ବିଛାଇବା ପାଇଁ ବ୍ୟବସ୍ଥା କରାଯାଉନାହିଁ। ତେଣୁ ରାସ୍ତାର ବହୁ ଅଂଶରେ ମୋରମ୍‌ ଧୋଇ ଯାଇଥିବାରୁ ବଡ଼ବଡ଼ ପଥର ସବୁ ବାହାରି ଆସିଛି। କେଉଁଠି ପଥର ବାହାରକୁ ମୁହଁ ଦେଖାଇଛି ତ କେଉଁଠି ବଡ଼ବଡ଼ ଖାଲ। ଖାଲରେ ବର୍ଷା ଜଳ ଜମି ରହିବାରୁ ଲୋକେ ଯାତାୟାତ ବେଳେ ବହୁ ସମସ୍ୟାରେ ପଡ଼ୁଛନ୍ତି। ଏହି ଅଞ୍ଚଳ ବନ୍ୟାପ୍ଲାବିତ ହୋଇଥିବାରୁ ବର୍ଷା ଦିନରେ ଉକ୍ତ ରାସ୍ତାରୁ ମାଟି ଧୋଇଯାଉଛି। ରାସ୍ତା ମଝିରେ ଠାଏଠାଏ ବିରାଟ ଗର୍ତ୍ତ ସୃଷ୍ଟି ହୋଇ ସେମିତି ରହିଛି। ସ୍ଥାନୀୟ ଲୋକେ ସେହି ଗାତରେ ନଡ଼ିଆ ବାହୁଙ୍ଗା ପକାଇ ଯାତ୍ରୀମାନଙ୍କୁ ସତର୍କ କରାଇଲେ ବି ରାତିରେ ଗାତରେ ପଡ଼ି ଲୋକେ ଆହତ ହେଉଛନ୍ତି। ସେହିଭଳି ଏକ ବୁଲାଣି ମୁଣ୍ଡ କଲଭର୍ଟ ନିକଟରେ ବଡ଼ ଗାତଟିଏ ରହିଛି। ବନ୍ୟା ଜଳ ରାସ୍ତା ଖାଇ ଯାଇଥିବାରୁ ଏଭଳି ଅବସ୍ଥା ହୋଇଛି।

ସରପଞ୍ଚ ସୌମ୍ୟରଞ୍ଜନ ମହାନ୍ତି କହିଛନ୍ତି, ଏହି ରାସ୍ତାର ନବୀକରଣ ବାବଦରେ ପଞ୍ଚାୟତ ସମିତି ବୈଠକରେ ସେ ପ୍ରସ୍ତାବ ଦେଇଛନ୍ତି। ରୋଡ୍‌ସ ଆଣ୍ଡ ବିଲ୍‌ଡିଂ ପାଣ୍ଠିରେ ଟଙ୍କା ମଧ୍ୟ ମହଜୁଦ୍‌ ଅଛି। ରାସ୍ତା ପୁନରୁଦ୍ଧାର ଲାଗି ସେହି ଟଙ୍କା ମଞ୍ଜୁର କରିବା ପାଇଁ ବ୍ଲକ ପ୍ରଶାସନକୁ ସେ ଜଣାଇଛନ୍ତି। ହେଲେ କୌଣସି ସୁଫଳ ମିଳୁନାହିଁ। ଜୟଦେବ ବିଧାୟକ ଅରବିନ୍ଦ ଢାଲିଙ୍କ ସୂଚନା ଅନୁଯାୟୀ ଉକ୍ତ ରାସ୍ତା ସମ୍ପର୍କରେ ସେ ଅଭିଯୋଗ ପାଇଛନ୍ତି। ଗ୍ରାମ୍ୟ ଉନୟନ୍ନ ବିଭାଗକୁ ଏହି ରାସ୍ତାର ପୁନରୁଦ୍ଧାର ପାଇଁ ସେ ଚିଠି ମାଧ୍ୟମରେ ଜଣାଇଛନ୍ତି। ସୂଚନାଯୋଗ୍ୟ ବାରଶହ ଶତାବ୍ଦୀରେ ରାଜା ଚୋଡ଼ଗଙ୍ଗ ଦେବଙ୍କ ଦ୍ବାରା ନିର୍ମିତ ଏହି ବୁଦ୍ଧନାଥ ମନ୍ଦିରର କାରୁକାର୍ଯ୍ୟ ଏକାମ୍ର କ୍ଷେତ୍ରର ବହୁ ମନ୍ଦିରରେ ଦେଖାଯାଏ। ତେଣୁ ବାଲିପାଟଣା ଅଞ୍ଚଳକୁ ଆସୁଥିବା ବାହାର ପର୍ଯ୍ୟଟକ ଏହି ମନ୍ଦିର ଦେଖିବାକୁ ଆସୁଥିଲେ ବି ରାସ୍ତା ଅବସ୍ଥା ଦେଖି ଅଧାରୁ ଫେରିଯାଉଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe