ଆଜି ଶ୍ରାଦ୍ଧ ଦିବସ: ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଏମିତି, ଅଳିଆଗଦାରେ ନେହରୁଙ୍କ ପ୍ରତିମୂର୍ତ୍ତି

Advertisment
ଆଜି ଶ୍ରାଦ୍ଧ ଦିବସ: ପ୍ରଥମ ପ୍ରଧାନମନ୍ତ୍ରୀଙ୍କୁ ସମ୍ମାନ ଏମିତି, ଅଳିଆଗଦାରେ ନେହରୁଙ୍କ ପ୍ରତିମୂର୍ତ୍ତି

ଭୁବନେଶ୍ବର: ଦିନେ ସୁନ୍ଦର ପାର୍କ ଭିତରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଶୋଭା ପାଉଥିଲା। ରାଜଧାନୀର ପ୍ରମୁଖ ମୁଖଶାଳା ରେଳଷ୍ଟେସନ ସାମ୍ନା ମାଷ୍ଟରକ୍ୟାଣ୍ଟିନରେ ଦଣ୍ଡାୟମାନ ହୋଇଥିବା ପ୍ରତିମୂର୍ତ୍ତି ଓ ସୁନ୍ଦର ପାର୍କ ପର୍ଯ୍ୟଟକ ଓ ରାଜଧାନୀବୀସଙ୍କ ପାଇଁ ଏକ ଆକର୍ଷଣ ଥିଲା। ଏହାକୁ ଦେଖିବା ମାତ୍ରେ ଯାତ୍ରୀଟିଏ ଅଟକି ଯାଉଥିଲା ଆଉ ମୋବାଇଲ୍‌ରେ ଫଟୋ ନେଉଥିଲା। ମାତ୍ର ପରିତାପର କଥା ଆଜି ସେହି ମହାପୁରୁଷ ଅଳିଆଗଦାରେ ଠିଆ ହୋଇଛନ୍ତି। ଏଠାରେ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହରୁ ଓ ଭାରତରେ ‘ସଂପୂର୍ଣ୍ଣ କ୍ରାନ୍ତି’ ଆନ୍ଦୋଳନର ପୁରୋଧା ଲୋକନାୟକ ଜୟପ୍ରକାଶ ନାରାୟଣଙ୍କ ପ୍ରତିମୂର୍ତ୍ତି ରହିଛି। ଦୁଇ ପାର୍ଶ୍ବରେ ଥିବା ଏହି ଦୁଇ ପ୍ରତିମୂର୍ତ୍ତି ଏବେ କିନ୍ତୁ ବଡ଼ କଦର୍ଯ୍ୟ ପରିବେଶରେ ଅଲୋଡ଼ା ହୋଇ ଠିଆ ହୋଇଛନ୍ତି।

ରେଳଷ୍ଟେସନ ସାମ୍ନା ମାଷ୍ଟରକ୍ୟାଣ୍ଟିନ ଛକରେ ରହିଥିବା ଏହି ପ୍ରତିମୂର୍ତ୍ତି ପାଖରେ ନିଶାଡ଼ିମାନଙ୍କ ଆସର ଜମୁଛି। ଏହି ମହାପୁରୁଷଙ୍କ ପ୍ରତିମୂର୍ତ୍ତି ତଳେ ନିଶାଡ଼ିମାନେ ନିଶା ସେବନଠାରୁ ଆରମ୍ଭ କରି ଜୁଆ ଖେଳୁଛନ୍ତି। ଏସବୁକୁ ପୁଲିସ ଦେଖି ନଦେଖିଲା ପରି ଚାଲିଯାଉଛି। ଷ୍ଟେସନ ପାଖରେ ଭିକ୍ଷା ବୃତ୍ତି କରୁଥିବା ଓ ବାହାର ଯାତ୍ରୀଙ୍କ ପାଇଁ ଏହି ସ୍ଥାନ ମଧ୍ୟ ଶୌଚାଳୟ ପାଲଟିଛି। ରାଜଧାନୀକୁ ହଜାର ହଜାର ଯାତ୍ରୀ ଆସୁଛନ୍ତି। ଭାରତର ଏହି ମହାପୁରୁଷଙ୍କ ପ୍ରତିମୂର୍ତ୍ତିର ଏଭଳି ଦୁରବସ୍ଥା ଦେଖି ଖୁବ୍‌ ବ୍ୟଥିତ ହେଉଛନ୍ତି। ଆସନ୍ତାକାଲି ପଣ୍ଡିତ ନେହରୁଙ୍କର ଶ୍ରାଦ୍ଧ ଦିବସ। ମାତ୍ର ଏହି ସ୍ଥାନକୁ ଦେଖିଲେ ଲାଗୁଛି ଯେମିତି ମହାପୁରୁଷଙ୍କୁ ଅଳିଆଗଦାକୁ ଠେଲି ଏମିତି ସମ୍ମାନ ଦିଆଯାଇଛି।
ସୂଚନାଯୋଗ୍ୟ, ଭୁବନେଶ୍ବର ରେଳଷ୍ଟେସନକୁ ବିଶ୍ବସ୍ତରୀୟ କରିବା ପାଇଁ ବିଭିନ୍ନ ଯୋଜନା କରାଯିବା ପରେ ଏହି ପାର୍କକୁ ଭଙ୍ଗା ଯାଇଥିଲା। ପାର୍କକୁ ଭାଙ୍ଗିବା ପରେ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଚାରିପାଖକୁ ଟିଣରେ ଘୋଡ଼ାଯାଇଥିଲା। ମାତ୍ର ଏହାକୁ ସ୍ଥାନୀୟ କବାଡ଼ିଆମାନେ କାଟି ନେଇଗଲେଣି।

ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ସ୍ଥାନାନ୍ତରିତ, ରକ୍ଷଣାବେକ୍ଷଣ ଦାୟିତ୍ବ ବିଏମ୍‌ସିର। କିନ୍ତୁ ଏହାକୁ ଏପର୍ଯ୍ୟନ୍ତ ଏହାକୁ ସ୍ଥାନାନ୍ତର ତ ଦୂରର କଥା ଏହାର ଯତ୍ନ ମଧ୍ୟ ନିଆଯାଉନି। ଫଳରେ ନେହରୁଙ୍କ ପ୍ରତିମୂର୍ତ୍ତିରୁ ରଙ୍ଗ ଛାଡ଼ି ଗଲାଣି ଏବଂ ଆଖପାଖରେ ଅଳିଆ ଆବର୍ଜନା ଜମା ହେଲାଣି। କେବଳ ଜୟନ୍ତୀ ଏବଂ ଶ୍ରାଦ୍ଧ ଦିବସରେ ସଂସ୍କୃତି ବିଭାଗ ଏବଂ ସ୍ଥାନୀୟ କିଛି ଅନୁଷ୍ଠାନ ଏହି ସ୍ଥାନକୁ ଧେଇ ପୁଷ୍ପମାଲ୍ୟ ଅର୍ପଣ କରୁଛନ୍ତି। ଏନେଇ ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗର ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା କହିଛନ୍ତି, ସଂସ୍କୃତି ବିଭାଗର କାମ ମହାପୁରୁଷଙ୍କ ଜୟନ୍ତୀ ଓ ଶ୍ରାଦ୍ଧଦିବସରେ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବ। ଏହାକୁ ସଂସ୍କୃତି ବିଭାଗ ସୂଚାରୁ ରୁପେ କରୁଛି ବୋଲି ଶ୍ରୀ ବେହେରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe