New Indian Express
ଭୁବନେଶ୍ୱର: ସୁପ୍ରିମ୍ କୋର୍ଟଙ୍କ ରାୟ ପରିପ୍ରେକ୍ଷୀରେ ରାଜ୍ୟ ସରକାର ସମୁଦାୟ ସ୍କୁଲ ଫି’ର ୧୫ପ୍ରତିଶତ ଛାଡ଼ କରିବା ପାଇଁ ଘରୋଇ ସ୍କୁଲଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ମାତ୍ର ନିର୍ଦ୍ଦେଶନାମାରେ ସ୍କୁଲ୍ କର୍ତ୍ତୃପକ୍ଷ କେମିତି ଓ କେଉଁ ଭିତ୍ତିରେ ଏହି ୧୫ ପ୍ରତିଶତ ଫି’ ଛାଡ଼ କରିବେ, ସେନେଇ ସ୍ପଷ୍ଟ ନିର୍ଦ୍ଦେଶ ନଥିବାରୁ ଏହାର ଫାଇଦା ନେଇ ସ୍କୁଲଗୁଡ଼ିକ ପିଲା ଓ ଅଭିଭାବକଙ୍କୁ ଲୁଟିବା ଆରମ୍ଭ କରିଛନ୍ତି। ତେଣୁ ଉକ୍ତ ନିର୍ଦ୍ଦେଶନାମାରେ ପରିବର୍ତ୍ତନ କରିବାକୁ ଓଡ଼ିଶା ଅଭିଭାବକ ମହାସଂଘ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ସଚିବଙ୍କ ନିକଟରେ ଦାବି କରିଛି। ଆସନ୍ତା ୧୭ ତାରିଖ ମଧ୍ୟରେ ପରିବର୍ତ୍ତିତ ନିର୍ଦ୍ଦେଶନାମା ପ୍ରକାଶ କରା ନଗଲେ, ୧୮ରୁ ଗଣଶିକ୍ଷା ମନ୍ତ୍ରୀ ଓ ସଚିବଙ୍କ ଘର ଆଗରେ ମହାସଂଘ ଆମରଣ ଅନଶନ କରିବ ବୋଲି ମହାସଂଘର ଅଧ୍ୟକ୍ଷ ବାସୁଦେବ ଭଟ୍ଟ ଚେତାବନୀ ଦେଇଛନ୍ତି।
ଶ୍ରୀ ଭଟ୍ଟ ଆହୁରି କହିଛନ୍ତି ଯେ ଲକ୍ଡାଉନ୍ ଯୋଗୁଁ ଏବେ ବି ଅନେକ ଅଭିଭାବକ ରୋଜଗାର ହରାଇ ଘରେ ବସିଛନ୍ତି। ଏପରି ସ୍ଥଳେ ଅଗଷ୍ଟ ସୁଦ୍ଧା ସେମାନେ ସ୍କୁଲର ବକେୟା ଫି’ ମଧ୍ୟ ଦେବାକୁ ଅସମର୍ଥ। ତେଣୁ ବକେୟା ପଇସା ଆସନ୍ତା ବର୍ଷରେ ପଇଠ କରିବା ପାଇଁ ଉକ୍ତ ନିର୍ଦ୍ଦେଶନାମାରେ ମଧ୍ୟ ଉଲ୍ଲେଖ କରାଯାଉ। ଏହା ବ୍ୟତୀତ ବିଦ୍ୟାଳଗୁଡିକରେ ନିୟମ ନ ମାନି କରିଥିବା ଆର୍ଥିକ ଅନିୟମିତତାର ଭିଜିଲାନ୍ସ ତଦନ୍ତ ଓ ସ୍କୁଲର ପରିଚାଳନା ଦାୟିତ୍ବ ଜିଲ୍ଲାପାଳଙ୍କ ହାତରେ ନ୍ୟସ୍ତ କରିବାକୁ ଦାବି କରାଯାଇଥିବା ମହାସଂଘର ସଦସ୍ୟ ଭୁମୋହନ ପଟ୍ଟନାୟକ, ପ୍ରସନ୍ନ ବିଷୋୟୀ, ଶଙ୍କର ସାମନ୍ତରାୟ, କାର୍ତ୍ତିକ ସାହୁ, ଦେବଶିଷ ପଟ୍ଟନାୟକ, ସତ୍ୟଜିତ ଦାଶ, ଅନନ୍ତ ରାଉତ, ଅଶୁରଞ୍ଜନ ମହାନ୍ତି ପ୍ରମୁଖ ସୂଚନା ଦେଇଛନ୍ତି।
Follow Us