ନୂଆ ଫଗିଙ୍ଗ୍‌ ମେସିନ୍‌ ଅଚଳ ପ୍ରସଙ୍ଗ: ମଶାଧୂଆଁରେ କର୍ମଚାରୀ ଅଣନିଶ୍ବାସୀ

Advertisment
ନୂଆ ଫଗିଙ୍ଗ୍‌ ମେସିନ୍‌ ଅଚଳ ପ୍ରସଙ୍ଗ: ମଶାଧୂଆଁରେ କର୍ମଚାରୀ ଅଣନିଶ୍ବାସୀ

ଭୁବନେଶ୍ବର: ସ୍ବାୟତ୍ତ ଶାସନ ଦିବସରେ ଭୁବନେଶ୍ବର ବାସିନ୍ଦାଙ୍କ ପାଇଁ ବିଏମ୍‌ସି ଉତ୍ସର୍ଗ କରିଥିବା ୫ଟି ବ୍ୟାଟେରି ଚାଳିତ ଫଗିଙ୍ଗ୍‌ ଗାଡ଼ି (ଅଟୋ) ଅଚଳ ହୋଇଯାଇଛି। ବିଏମ୍‌ସି କୋଠାର ବେସ୍‌ମେଣ୍ଟରେ ରଖାଯାଇଛି। ଏଥିରେ ‘ଟେକ୍‌ନିକାଲ ଫଲ୍ଟ’ ଥିବାରୁ ଚାଲିବା ସମ୍ଭବ ହେଉନାହିଁ। ଏନେଇ ‘ସମ୍ବାଦ’ରେ ଖବର ପ୍ରକାଶ ପରେ ବିଏମ୍‌ସି ସଫେଇ ଦେଇଛି କି ଏଥିରେ ଟେକ୍ନିକାଲ୍‌ ଫଲ୍ଟ ନାହିଁ। ଏହାକୁ ପ୍ରମାଣ କରିବାକୁ ଯାଇ ଆଜି ଏହି ନୂଆ ଗାଡ଼ିରେ ମଶା ଧୂଆଁ ଦେଇଛି। ତେବେ ଏଭଳି ସଫେଇ ଦେଇ ବିଏମ୍‌ସି ଫସି ଯାଇଛି। ଏଥିରେ ଥିବା ତ୍ରୁଟି ଜଳ ଜଳ ଦିଶୁଛି।

ଅଟୋର ଡାଲାରେ ଫଗିଙ୍ଗ୍‌ ମେସିନ୍‌ ଖଞ୍ଜା ଯାଇଛି। ମେସିନ୍‌ ଚାଲିବା ପରେ ଧୂଆଁସବୁ ଡାଲାରେ ଭର୍ତ୍ତି ହୋଇଯାଉଛି। ଏହି ଡାଲାରେ ମେସିନ୍‌ ଅପରେଟର ମଧ୍ୟ ବସୁଛି। ଫଳରେ ଅପରେଟର ଅଣନିଶ୍ବାସୀ ହୋଇପଡ଼ୁଛି। ଉଦ୍‌ଘାଟନ ଦିନ ଏଭଳି ଅବସ୍ଥା ହେବାରୁ ଏହି ଗାଡ଼ିଗୁଡ଼ିକ ବ୍ୟବହାର କରାଯାଉନଥିଲା। ବିଏମ୍‌ସି କୋଠାର ବେସ୍‌ମେଣ୍ଟ‌ରେ ରଖା ଯାଇଥିଲା। ଆଜି ଏହି ସମସ୍ୟା ନେଇ ଖବର ପ୍ରକାଶ ପାଇବା ପରେ ବିଏମ୍‌ସି ପ୍ରତିକ୍ରିୟା ପ୍ରକାଶ କରିବା ସହ ପରିସ୍ଥିତି ଯାହା ବି ହେଉ ଏହି ନୂଆ ଗାଡ଼ିକୁ ବୁଲାଇବା ପାଇଁ କଡ଼ା ନିର୍ଦ୍ଦେଶ ଦେଇଥିଲା। ଫଳରେ ଆଜି ବି ସେହିଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଅପରେଟର ଗାଡ଼ି ଭିତରେ ବାରମ୍ବାର ଅଣନିଶ୍ବାସୀ ହୋଇପଡ଼ୁଥିଲା। ଏଣୁ ସେ ବେଳେବେଳେ ଗାଡ଼ି ବାହାରକୁ ମୁହଁ କାଢ଼ି ଦମ୍‌ ନେଉଥିବା ଦେଖା ଯାଇଥିଲା।
ଜଣେ ଟେକ୍ନିସିଆନ୍‌ଙ୍କ ମତରେ, ଅନ୍ୟ ମଶା ଧୂଆଁ ଗାଡ଼ିରେ ଧୂଆଁ ବାହାରୁଥିବା ପାଇପ୍‌ ଗାଡ଼ି ଠାରୁ ଦୂରରେ ଥାଏ। ଫଳରେ ଧୂଆଁ ସହିତ ଅପରେଟର ସିଧାସଳଖ ସଂସ୍ପର୍ଶରେ ଆସେନାହିଁ। କିନ୍ତୁ ଏହି ଗାଡ଼ିର ଡାଲାରେ ହିଁ ଧୂଆଁ ବାହାରୁଥିବା ପାଇପ୍‌ ରହିଛି। ଗାଡ଼ି ଟିକିଏ ଧିମା ହେଲେ ଧୂଆଁ ଡାଲାରେ ଭର୍ତ୍ତି ହୋଇଯାଉଛି। ଫଳରେ ଡାଲାରେ ବସୁଥିବା ଅପରେଟର ଧୂଆଁ ଭିତରେ ଅଣନିଶ୍ବାସୀ ହୋଇପଡ଼ୁଛି। ଏଠାରେ ସୂଚାଇ ଦିଆଯାଇପାରେ, ଯେତେବେଳେ ଏହି ଗ‌ାଡ଼ି ପରୀକ୍ଷାମୂଳକ ଭାବରେ ଚଳା ଯାଉଥିଲା ସେତେବେଳେ ଅପରେଟର ଏହି ସମସ୍ୟା କଥା କହିଥିଲେ। ଏଭଳି ନିୟମିତ ହେଲେ ଅପରେଟର ଜୀବନ ପ୍ରତି ବିପଦ ଥିବା ବିଶେଷଜ୍ଞମାନେ ଆଶଙ୍କା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe