ରାଜଧାନୀରେ ପ୍ରତୀକ ସିଂଙ୍କ ନୂଆ ଇଂନିସ୍‌

Advertisment
ରାଜଧାନୀରେ ପ୍ରତୀକ ସିଂଙ୍କ ନୂଆ ଇଂନିସ୍‌

ଭୁବନେଶ୍ବର: ରାଜ୍ୟର ଜଣାଶୁଣା ଆଇପିଏସ୍‌ ପ୍ରତୀକ ସିଂ ଭୁବନେଶ୍ବରର ଡିସିପି ଦାୟିତ୍ବ ନେବାକୁ ଯାଉଛନ୍ତି। ଆଜି ଆଇପିଏସ୍‌ସ୍ତରରେ ହୋଇଥିବା ଅଦଳବଦଳ ପ୍ରକ୍ରିୟାରେ ତାଙ୍କୁ ଏହି ପଦବି ଦାୟିତ୍ବ ମିଳିଛି। କନ୍ଧମାଳ, ମାଲକାନଗିରି ଭଳି ମାଓପ୍ରବଣ ଅଞ୍ଚଳରେ ଏସ୍‌ପି ଭାବେ ଦକ୍ଷତାର ସହ କାମ କରିଥିବା ପ୍ରତୀକ ବ୍ରହ୍ମପୁର ଏସ୍‌ପି ଦାୟିତ୍ବ ମଧ୍ୟ ସୂଚାରୁରୂପେ ତୁଲାଇଥିଲେ। ଗତ ଦୁଇ ବର୍ଷ ହେଲା ସେ କଟକ ଡିସିପି ଭାବେ କାମ କରିଛନ୍ତି। ଏବେ ରାଜଧାନୀରେ ସେ ତାଙ୍କ ନୂଆ ଇଂନିସ୍‌ ଖେଳିବେ। ସମ୍ପ୍ରତି ରାଜଧାନୀରେ ଘଟୁଥିବା ଅପରାଧକୁ ନିୟନ୍ତ୍ରଣ କରିବା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ୍‌ ହେବ ବୋଲି କୁହାଯାଉଛି। ଭିଭିଆଇପିଙ୍କ ସୁରକ୍ଷା ବ୍ୟବସ୍ଥାର ଚାପ ରହୁଥିବା ରାଜଧାନୀର ଆଇନଶୃଙ୍ଖଳା ପରିସ୍ଥିତି ରାଜ୍ୟର ଅନ୍ୟ ସହରମାନଙ୍କ ତୁଳାନରେ ସ୍ବତନ୍ତ୍ର ହୋଇଥିବାରୁ ପ୍ରତୀକଙ୍କ ପାଇଁ ଏଠାରେ ବିଭିନ୍ନ ସମୟରେ ନୂଆ ନୂଆ ଆହ୍ବାନ ରହିବ। ତେଣୁ ଭୁବନେଶ୍ବରରର ଷଷ୍ଠ ଡିସିପି ଭାବେ ଦାୟିତ୍ବ ନେବାକୁ ଯାଉଥିବା ପ୍ରତୀକ ସବୁ ଆହ୍ବାନକୁ କିଭଳି ମୁକାବିଲା କରିବେ, ତାହା ରାଜଧାନୀବାସୀଙ୍କ ପାଇଁ ଉତ୍କଣ୍ଠାର କଥା ହୋଇରହିଛି।

ରାଜଧାନୀରେ ନିଶା କାରବାର ବଢ଼ିବାରେ ଲାଗିଛି। ଗଳିଗଳିରେ ବ୍ରାଉନ୍‌ସୁଗାର ବେପାରଠାରୁ ଆରମ୍ଭ କରି କୋକେନ୍‌ କାରବାର ଆରମ୍ଭ ହୋଇଯାଇଛି। କୋକେନ୍‌ ବେପାରର ଚେର ବିଦେଶକୁ ଲମ୍ବିଛି। ସେହିଭଳି ରାଜଧାନୀରେ ସାଇବର ଠକେଇ ବଢ଼ିବାରେ ଲାଗିଛି। ସାଇବର ଠକଙ୍କ ଟାର୍ଗେଟ୍‌ରେ ରହିଛି ରାଜଧାନୀ। ହେଲେ ଏହି ମାମଲାରେ କମିସନରେଟ୍‌ ପୁଲିସ ଆଖିଦୃଶିଆ ସଫଳତା ହାସଲ କରିପାରିନାହିଁ। ଏଠାରେ ସବୁଠୁ ବେଶି ଆତଙ୍କ ଖେଳାଉଛନ୍ତି ଲୁଟେରା ଦଳ। ବର୍ତ୍ତମାନ ରାଜଧାନୀରେ ହତ୍ୟାକାଣ୍ଡ ଠାରୁ ଆରମ୍ଭ କରି ଲୁଟ୍‌, ଛିନ୍‌ତାଇ, ଡକାୟତି ଓ ଗୁଳିକାଣ୍ଡ ବହୁତ ବଢ଼ିଯାଇଛି।

ପ୍ରତିଦିନ ଦିନ ଦି’ପହରରେ ରାସ୍ତାରେ ଲୋକ ଲୁଟ୍‌ ଓ ଛିନ୍‌ତାଇର ଶିକାର ହେଉଛନ୍ତି। ଅନ୍ୟପକ୍ଷରେ ରାଜଧାନୀରେ ବି ବହୁ ଥାନାରେ କର୍ମଚାରୀ ଓ ଅଧିକାରୀ ଅଭାବ ରହିଛି। ବହୁ ଥାନ‌ାରେ ଅଧିକାରୀ ନାହାନ୍ତି। ତେଣୁ କର୍ମଚାରୀ ଅଭାବକୁ ନେଇ ସେ କିଭଳି ସନ୍ତୁଳନ ରକ୍ଷା କରିବେ, ତାହା ବଡ଼ ଚ୍ୟାଲେଞ୍ଜ ହେବ। ସେ ଭୁବନେଶ୍ବର ଡିସିପି ଭାବେ ଯୋଗଦେବା ପରେ ତାଙ୍କର ନୂଆ ଟିମ୍‌ ଗଠନ କରିବେ ବୋ‌ଲି ଅନୁମାନ କରାଯାଉଛି।

ସୂଚନାଯୋଗ୍ୟ, ୧୯୮୮ ମସିହାରେ ରାଜସ୍ଥାନ ଯୋଧପୁରରେ ଜନ୍ମିତ ପ୍ରତୀକ ୨୦୧୦ ରେ ଇଂଜିନିୟରିଂ ଶିକ୍ଷା ହାସଲ କରିବା ପରେ ୨୦୧୪ରେ ଆ‌ଇପିଏସ୍‌ ହୋଇଥିଲେ। ୨୦୨୦ ଜୁଲାଇ ୨୦ ରେ କଟକ ଡିସିପି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସେଠାରେ ବ୍ରାଉନସୁଗାର ବେପାର ନିୟନ୍ତ୍ରଣ ହୋଇଥିଲା। ୭୦ ରୁ ଅଧିକ ଚୋରା ବନ୍ଧୁକ ଜବତ ହୋଇଛି ଓ ଫେରାର୍‌ ଥିବା ଦୁର୍ଦାନ୍ତ ଅପରାଧୀଙ୍କୁ ଗିରଫ କରାଯାଇପାରିଛି। ବିପୁଳ ପରିମାଣରେ ଅପମିଶ୍ରିତ ଓ ନକଲି ସାମଗ୍ରୀ ଜବତ କରି ନଷ୍ଟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe