କମିସନରେଟ ପୁଲିସର ଅଜବ ବ୍ୟବସ୍ଥା: ତୁଟୁନି ସୀମା ବିବାଦ ଅତି‌ଷ୍ଠ ବାସିନ୍ଦା

କମିସନରେଟ ପୁଲିସର ଅଜବ ବ୍ୟବସ୍ଥା: ତୁଟୁନି ସୀମା ବିବାଦ ଅତି‌ଷ୍ଠ ବାସିନ୍ଦା

ଭୁବନେଶ୍ବର: ରାଜଧାନୀ ଉପକଣ୍ଠ ବାଙ୍କୁଆଳ ଛକ। ବଡ଼ଗଡ଼ ଥାନାଠାରୁ ମାତ୍ର ୩ କିଲୋମିଟର ଦୂର। କିନ୍ତୁ ସେହି ଅଞ୍ଚଳ ଆସୁଛି ୨୨ କଲୋମିଟର ଦୂର ସହିଦନଗର ଥାନା ଅଞ୍ଚଳରେ। ପଳାସୁଣୀ ଛକରେ ଥିବା ଚଣ୍ଡିମାତା କଲୋନି, ମଞ୍ଚେଶ୍ବର ଥାନା ସମ୍ମୁଖରେ। କିନ୍ତୁ ସେହି କଲୋନି ଯାଉଛି, ୪ କିମି ଦୂର ସହିଦନଗର ଥାନା ଅଧୀନରେ। ରସୁଲଗଡ଼ ନିକଟ ଜଗନ୍ନାଥ ନଗର। ଲକ୍ଷ୍ମୀସାଗର ଥାନାଠାରୁ ମାତ୍ର କେଇ ହାତ ଦୂରରେ। କିନ୍ତୁ ଥାନା ଆସୁଛି ମଞ୍ଚେଶ୍ବରରେ। ବଡ଼ଗଡ଼ ଗାଁ ଛକ, ଛକକୁ ଲାଗି କରି ବଡ଼ଗଡ଼ ଥାନା। କିନ୍ତୁ ଛକର ୨୫ ହାତ ପୂର୍ବ ବଡ଼ଗଡ଼ ହାଟ ଯାଉଛି, ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ। ସ୍କୁଲ ପଟ ବଡ଼ଗଡ଼ ଥାନା ଅଞ୍ଚଳରେ। ବାଲିଅନ୍ତା ବ୍ଲକ ଅଧୀନ ଜୟଦେବ, ପ୍ରତାପରୁଦ୍ରପୁର ଭଳି ଦୁଇଟି ପଞ୍ଚାୟତ ବାଲିପାଟଣା ଥାନାକୁ ଲାଗିଛି। କିନ୍ତୁ ଏ ସବୁ ଥାନା ଅଞ୍ଚଳ ଯାଉଛି ୨୦ କିମି ଦୂରରେ ଥିବା ବାଲିଅନ୍ତା ଥାନା ଅଧୀନରେ। ଝିଣ୍ଟି ଶାସନ ବାଲିଅନ୍ତା ଅଧୀନ ବାଳକାଟି ଫାଣ୍ଡିକୁ ଲାଗି କରିଥିବା ବେଳେ ଥାନା ହେଉଛି ବାଲିପାଟଣା। କେବଳ ଏସବୁ ଥାନା କାହିଁକି ରାଜଧାନୀର ପ୍ରତ୍ୟେକ ଥାନା ସହ ଅନ୍ୟ ଏକ ଥାନାର ସୀମା ବିବାଦ ଲାଗି ରହିଛି।

କମିସନରେଟ ପୁଲିସର ଏଭଳି ଥାନା ଅଞ୍ଚଳର ଗୋଳମାଳିଆ ହିସାବକୁ ନେଇ ଅଡୁଆରେ ପଡ଼ୁଛନ୍ତି ସ୍ଥାନୀୟ ଲୋକ। କେଉଁ ଥାନା ଅଧୀନରେ ସେମାନେ ରହୁଛନ୍ତି, ସେନେଇ ସେମାନେ ଦ୍ବନ୍ଦ୍ବରେ। କୌଣସି ଅଘଟଣ ବା ଦୁର୍ଘଟଣା ଘଟିଲେ, କେଉଁ ଥାନାକୁ ଖବର ଦେବେ କିମ୍ବା ଅଭିଯୋଗ କରିବେ, ତାହା ଜାଣି ପାରୁନାହାନ୍ତି। ନିକଟ ଥାନାକୁ ଚାଲିଗଲେ ସେଠାରେ କୁହାଯାଉଛି ସେ ଥାନାକୁ ଯାଅ। ଏ ଥାନା, ସେ ଥାନା ହୋଇ ଅଭିଯୋଗକାରୀ ଘାଣ୍ଟି ହେଉଛି। ଏତଦ୍ ବ୍ୟତୀତ ପାସପୋର୍ଟ ପାଇଁ ଆବେଦନ କରୁଥିବା ଆବେଦନକାରୀମାନେ ମଧ୍ୟ ଏଭଳି ସମସ୍ୟାରେ ଅଧିକ ପଡୁଛନ୍ତି। ଆବେଦନପତ୍ରରେ ସେମାନଙ୍କ ଅଞ୍ଚଳ ଗୋଟିଏ ଥାନା ଲେଖୁଥିବା ବେଳେ ପରବର୍ତୀ ସମୟରେ ତାହା ଅନ୍ୟ ଥାନା ବୋଲି ଜଣାପଡ଼ୁଛି। ଏଥିରେ ସଂଶୋଧନ ଆଣୁଆଣୁ ପାସପୋର୍ଟ ପାଇବାରେ ବିଳମ୍ବ ଘଟୁଛି। ସେହିପରି ଚୋରି କିମ୍ବା ଲୁଟପାଟ ଘଟିଲେ ସୀମା ବିବାଦ କାରଣରୁ ଦୁଇ ଥାନାର କର୍ମଚାରୀମାନେ ଟଣାଓଟରା ଲାଗୁଛନ୍ତି। ଉପରିସ୍ଥ ଅଧିକାରୀଙ୍କଠାରୁ ନି‌ର୍ଦେଶ ନ ଆସିବା ପର୍ଯ୍ୟନ୍ତ ଅଭିଯୋଗ ମଧ୍ୟ ସହଜରେ ଗ୍ରହଣ କରୁନାହାନ୍ତି। ସାମାନ୍ୟ ମୋବାଇଲ ଚୋରିର ରିପୋର୍ଟ ପାଇବାକୁ ଥାନାକୁ ଦୌଡ଼ିଦୌଡ଼ି ଲୋକ ଧନ୍ଦି ହେଉଛନ୍ତି। ଅଜଣା ମୃତଦେହ କିମ୍ବା ହତ୍ୟାକାଣ୍ଡ ଘଟିଲେ କଥା ଶେଷ। ଅପମୃତ୍ୟୁ ମାମଲାଟିଏ ମଧ୍ୟ ରୁଜୁ କରିବାକୁ ପୁଲିସ କୁନ୍ଥକୁନ୍ଥ। କିଛି ଦିନ ତଳେ ଶିଶୁଭବନ ଓଭରବ୍ରିଜ୍‌ ତଳେ ଏକ ହତ୍ୟାକାଣ୍ଡ ଘଟିଥିଲା। ଘଟଣାଟି ବଡ଼ଗଡ଼ ଥାନା ଅଧୀନରେ ଯାଉଥିଲେ ମଧ୍ୟ ବଡ଼ଗଡ଼ ଥାନା ପୁଲିସ ତାହା ରେଳବାଇ ଅଞ୍ଚଳରେ ଯାଉଛି ବୋଲି କହି ତଦନ୍ତ କରିବାକୁ ପଛଘୁଞ୍ଚା ଦେଇଥିଲା। ରେଳବାଇ ଏସ୍‌ପି ଭୁବନେଶ୍ବର ଡିସିପିଙ୍କୁ ଚିଠି ଲେଖିବା ପରେ ବଡ଼ଗଡ଼ ଥାନା ମାମଲା ରୁଜୁ କରିଥିଲା। ହତ୍ୟାକାରୀମାନେ ପାଖାପାଖି ଏକ ମାସ ପରେ ଗିରଫ ହୋଇଥିଲେ। ସୀମା ବିବାଦ କାରଣରୁ  ରାତିରେ ପିସିଆର୍‌ ଭ୍ୟାନ୍‌ କେଉଁ ଅଞ୍ଚଳରେ ପାଟ୍ରୋଲିଂ କରିବ ତାକୁ ନେଇ ମଧ୍ୟ ସମସ୍ୟା ହେଉଛି। କେତେକ ଅଞ୍ଚଳକୁ ଆଦୌ ପୁଲିସ ଭ୍ୟାନ୍‌ ପାଟ୍ରୋଲିଂ କରିବାକୁ ଯାଉନାହିଁ ମଧ୍ୟ। କାରଣ ସେ ସବୁ ଅଞ୍ଚଳରେ କେଉଁ ଥାନା ପୁଲିସ ପାଟ୍ରୋଲିଂ କରିବ ତାହା ମଧ୍ୟ ସ୍ଥିର ହୋଇ ପାରୁନାହିଁ।publive-image

କ’ଣ କୁହନ୍ତି ସ୍ଥାନୀୟ ବାସିନ୍ଦା

ସହିଦନଗର ଥାନା ଆମ ଗାଁଠାରୁ ୨୨ କିଲୋମିଟର ଦୂରରେ। ଏଥିପାଇଁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ ଓ ଆଖାପାଖ ଗାଁ ଲୋକ। ବିଭିନ୍ନ ସମୟରେ ବାଙ୍କୁଆଳ ଗାଁ ସମେତ ଅନ୍ୟ ଅଞ୍ଚଳକୁ ବଡ଼ଗଡ଼ ଥାନା ଅଧୀନକୁ ଆଣିବାକୁ ଦାବି କରାଯାଇଥିଲେ ମଧ୍ୟ ତାହା ଏଯାଏ ହୋଇ ପାରିନାହିଁ।

କବିରାଜ ସ୍ବାଇଁ, ସମାଜସେବୀ, ବାଙ୍କୁଆଳ

ଆମେ ୩୧ ନମ୍ବର ୱାର୍ଡର ବାସିନ୍ଦା। ଗୋଟିଏ ୱାର୍ଡ କିନ୍ତୁ ୩ଟି ଥାନା ଅଞ୍ଚଳରେ ଯାଉଛି ଆମର ଏହି ୱା‌ର୍ଡ। ନିଗମାନନ୍ଦନଗର ସହିଦନଗର, ବମିଖାଲ ଲକ୍ଷ୍ମୀସାଗର ଓ ଚଣ୍ଡିମାତା ମଞ୍ଚେଶ୍ବର ଥାନା ଅଧୀନରେ ଯାଉଛି। ବିଭିନ୍ନ  ଘଟଣାରେ ଆମେ ଏ ଥାନା ସେ ଥାନା ଦୌଡୁଛୁ। ତେଣୁ ଆମର ଏଠି ଗୋଟିଏ ଫାଣ୍ଡି ପ୍ରତିଷ୍ଠା ପାଇଁ କମିସନରେଟ ପୁଲିସ ନିକଟରେ ଦାବି ଜଣାଉଛୁ।

ଭକ୍ତବନ୍ଧୁ ଦାସ, ଆଇନଜୀବୀ, ବମିଖାଲ

ରାଜ୍ୟରେ ଥିବା ୫୩୨ଟି ଥାନାରେ ଏଭଳି ସୀମା ବିବାଦ ଅଛି। ୨୦୧୬ ମସିହାରେ ସମସ୍ତ ଜିଲ୍ଲା ଏସପି ଓ ଡିସିପିଙ୍କୁ ନେଇ ଏଭଳି ସମସ୍ୟାର ସମାଧାନ କରାଯାଇଥିଲା। ଏହାର ଏକ ରିପୋର୍ଟ ପୁଲିସ ମୁଖ୍ୟାଳୟ, ଗୃହ ବିଭାଗ ଓ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇ ସାରିଛି।

ସତ୍ୟଜିତ ମହାନ୍ତି, ପୁଲିସ କମିସନର

ଅନେକ ସମୟରେ ଏଠାରେ କୌଣସି ସ୍ଥାନରେ ଦୁର୍ଘଟଣା, ଗଣ୍ଡଗୋଳ ଓ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେଲେ, ପୁଲିସ ପହଞ୍ଚିବାରେ ବିଳମ୍ବ ଯୋଗୁଁ ଜନ ଅସନ୍ତୋଷ ସୃଷ୍ଟି ହେଉଛି। ଅପରାଧ ନିୟନ୍ତ୍ରଣ ପାଇଁ ପୁଲିସ ପାଟ୍ରୋଲିଂ ହୋଇପାରୁନି। ଘଟଣା ଘଟିଥିବା ସ୍ଥାନ ଥାନା ଅଧୀନରେ ଯାଉ ନଥିବା କହି ପୁଲିସ ଦାୟିତ୍ବ ଖସାଇ ଘଟଣାସ୍ଥଳରେ ପହଞ୍ଚିବାରେ ବିଳମ୍ବ କରୁଛି।  ଦୂରତାକୁ ନେଇ ବରିଷ୍ଠ ନାଗରିକମାନେ ବିଭିନ୍ନ ସମୟରେ ଥାନାରେ ପହଞ୍ଚିବାରେ ସମସ୍ୟାରେ ପଡ଼ୁଛନ୍ତି।  publive-image

କ୍ଷୀରୋଦ ଚନ୍ଦ୍ର ପଣ୍ଡା, ପ୍ରତାପରୁଦ୍ରପୁର 

ଜୟଦେବ ପୀଠରେ ପୂର୍ବରୁ ଖୋଲିଥିବା ଫାଣ୍ଡି ପୁନର୍ବାର ଖୋଲିବା ପାଇଁ  ପୁଲିସ କମିସନର ସତ୍ୟଜିତ ମହାନ୍ତି ଘୋଷଣା କରିଥିଲେ। ହେଲେ କମିସନରଙ୍କ କଥା ଏଯାଏ କାର୍ଯ୍ୟକାରୀ ହୋଇପାରିଲାନି। ତୁରନ୍ତ ଏଠାରେ ଏକ ଫାଣ୍ଡି ଖୋଲିବାକୁ ଦାବି ହୋଇଛି।

ପ୍ରଜ୍ଞା ପାରମିତା ଜେନାମଣି, ସରପଞ୍ଚ, ଜୟଦେବ ପଞ୍ଚାୟତ

ଦୂରତା ସତ୍ତ୍ବେ ଝିଣ୍ଟି ଓ ପୁରୋହିତପୁର ବାଲିପାଟଣା ଥାନା ଅଧୀନରେ ରହିଛି। ଧଉଳି ଥାନା ଘୋଷଣା ହେବା ସମୟରେ ଏହି ଦୁଇ ପଞ୍ଚାୟତ ସହିତ ପୂରଣ ଓ ଉତ୍ତରା ଅଞ୍ଚଳକୁ ନେଇ ଉତ୍ତରାରେ ନୂଆ ଥାନା ପ୍ରତିଷ୍ଠା ନେଇ ପ୍ରସ୍ତାବ ଦିଆଯାଇଥିଲା। ହେଲେ ତାହା ହେଲାନି। ବାଲିଅନ୍ତା ଥାନା ଅଧୀନ ବାଳକାଟି ଫାଣ୍ଡି ପାଖ ହେଲେ ହେଁ ବାଲିଅନ୍ତା ଥାନା ୧୫ କିମି ଦୂର ହେବ। ତେଣୁ ଦାବି ପୂରଣ ପାଇଁ ପ୍ରଥମେ ବାଳକାଟି ଫାଣ୍ଡିକୁ ଥାନା ଘୋଷଣା କରାଯାଉ।

ବିଜୟ କୁମାର ନାୟକ, ସମିତି ସଭ୍ୟ, ଝିଣ୍ଟିଶାସନ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe