ମଙ୍ଗଳାଯୋଡ଼ି ପକ୍ଷୀବଣ, ଚିଲିକା ରାଜହଂସ ଟାପୁ ଓ ବଡ଼କୂଳ କାଳିଜାଈ ନଳବଣକୁ ଦିନିକିଆ ଟୁର୍‌ ପ୍ୟାକେଜ୍‌

Advertisment
ମଙ୍ଗଳାଯୋଡ଼ି ପକ୍ଷୀବଣ, ଚିଲିକା ରାଜହଂସ ଟାପୁ ଓ ବଡ଼କୂଳ କାଳିଜାଈ ନଳବଣକୁ ଦିନିକିଆ ଟୁର୍‌ ପ୍ୟାକେଜ୍‌

ଭୁବନେଶ୍ବର: ଇକୋ ଟୁରିଜିମ୍‌ ଟୁର୍‌ ପ୍ୟାକେଜ୍‌ ପର୍ଯ୍ୟଟକଙ୍କ ଦ୍ବାରା ବିପୁଳ ଆଦୃତ ହେବାରୁ ଆହୁରି ନୂଆ ଟୁର୍‌ ପ୍ୟାକେଜ୍‌ ଆରମ୍ଭ କରିଛି ରାଜ୍ୟ ପର୍ଯ୍ୟଟନ ବିଭାଗ। ଗତ ଜାନୁଆରି ମାସରେ ଓଟିଡିସି ଓ ଜଙ୍ଗଲ ବିଭାଗ ପକ୍ଷରୁ ଭିତରକନିକା ଓ ସାତକୋଶିଆ ପାଇଁ ଦିନିକିଆ ଟୁର୍‌ ପ୍ୟାକେଜ୍‌ର ଶୁଭାରମ୍ଭ ହୋଇଥିବା ବେଳେ ଟିକେଟ୍‌ ବୁକିଂ ତାରିଖରୁ ସପ୍ତାହେ ମଧ୍ୟରେ ସମସ୍ତ ବୁକିଂ ଶେଷ ହୋଇଯାଉଛି। ତେଣୁ ଏହି ସଫଳତାକୁ ଆଧାର କରି ଓଟିଡିସି ଓ ଜଙ୍ଗଲ ବିଭାଗ ପୁନଃ ମିଳିତ ଭାବେ ଆଉ ୩ଟି ଇକୋ ଟୁରିଜିମ୍‌ ଦିନିକିଆ ପ୍ୟାକେଜ୍‌ ଟୁର୍‌ର ବନ୍ଦୋବସ୍ତ କରିଛି। ଭିତରକନିକା ଓ ସାତକୋଶିଆ ପରେ ମଙ୍ଗଳାଯୋଡ଼ି ପକ୍ଷୀବଣ, ଚିଲିକା ରାଜହଂସ ଟାପୁ ଓ ବଡ଼କୂଳ କାଳିଜାଈ ନଳବଣକୁ ଦିନିକିଆ ଟୁର୍‌ ପ୍ୟାକେଜ୍‌ର ବନ୍ଦୋବସ୍ତ କରାଯାଇଛି।

ସାତକୋଶିଆ ପ୍ୟାକେଜ୍‌ର ଦର ମୁଣ୍ଡପିଛା ୧୪୯୦ ଟଙ୍କା ରହିଥିବା ବେଳେ ସକାଳ ୭ଟାରୁ ଯାଇ ସନ୍ଧ୍ୟା ୬ଟା ମଧ୍ୟରେ ଫେରି ଆସିବାର ସୁବିଧା ରହିଛି। ଭିତରକନିକା ପାଇଁ ୧୭୦୦ ଟଙ୍କା ମୂଲ୍ୟ ରହିଥିବା ବେଳେ ସକାଳ ସାଢ଼େ ୫ଟାରୁ ବାହାରି ରାତି ୧୦ଟା ସୁଦ୍ଧା ପହଞ୍ଚି ହେବ। ଚିଲିକା ମଙ୍ଗଳାଯୋଡ଼ି ପାଇଁ ୧୨୭୦ ଟଙ୍କା ପ୍ୟାକେଜ ଦର ରହିଥିବା ବେଳେ ସକାଳ ୮ଟାରୁ ବାହାରି ଜଣେ ଅପରାହ୍‌ଣ ୪ଟା ସୁଦ୍ଧା ଫେରି ଆସିପାରିବ। ଚିଲିକା ରାଜହଂସ ଟାପୁ ପାଇଁ ମୁଣ୍ଡପିଛା ଦର ୧୪୯୦ ଟଙ୍କା ରହିଥିବା ବେଳେ ସକାଳ ୬ଟାରୁ ଯାଇ ସନ୍ଧ୍ୟା ୬ଟାରେ ଫେରି ହେବ। ଚିଲିକା ବଡ଼କୂଳକୁ ଟୁର୍‌ ପ୍ୟାକେଜ୍‌ ଦର ମୁଣ୍ଡପିଛା ୧୪୧୦ ଟଙ୍କା ରହିଥିବା ବେଳେ ଜଣେ ସକାଳ ୭ଟାରୁ ଯାଇ ସନ୍ଧ୍ୟା ୭ଟାରେ ଫେରି ଆସିପାରିବ।

ଏହି ପ୍ୟାକେଜ୍‌ ମଧ୍ୟରେ ମଧ୍ୟାହ୍ନ ଭୋଜନ, ବୁଲିବା ପାଇଁ ପ୍ରବେଶିକା ଶୁଳ୍କ, ନୌକା ବିହାର, ଶୀତତାପ ନିୟନ୍ତ୍ରିତ ବସ୍‌, ଜଙ୍ଗଲ ଗାଇଡ୍‌ର ବ୍ୟବସ୍ଥା ରହିଛି। ଏହି ପ୍ୟାକେଜ୍‌ଗୁଡ଼ିକ ପ୍ରତ୍ୟେକ ଶନିବାର ଓ ରବିବାର ଦିନ ପର୍ଯ୍ୟଯକଙ୍କ ପାଇଁ ଉପଲବ୍ଧ ହେଉଛି। ଭୁବନେଶ୍ବର ପାନ୍ଥନିବାସରୁ ଏହି ପ୍ୟାକେଜ୍‌ରେ ଯାତ୍ରା କରିବାର ସୁଯୋଗ ମିଳିବ। ପର୍ଯ୍ୟଟକମାନେ ଅନଲାଇନରେ www.panthanivas.com କିମ୍ବା ଅଫଲାଇନରେ ବୁକିଂ କରିପାରିବେ ବୋଲି ଓଟିଡିସିର ମାକେଟିଙ୍ଗ ମ୍ୟାନେଜର ଡ.ଆଲୋକ ରଂଜନ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe