ନୂଆ ମୋଟର ଯାନ ଆଇନ ମଦୁଆଙ୍କୁ ସାଇକେଲ୍‌ ଭରସା

Advertisment
ନୂଆ ମୋଟର ଯାନ ଆଇନ ମଦୁଆଙ୍କୁ ସାଇକେଲ୍‌ ଭରସା

ଭୁବନେଶ୍ବର: ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରଠୁ ମଦୁଆଙ୍କ ପାଣିପାଗ ବିଗିଡ଼ି ଯାଇଛି। ବିଶେଷକରି ମଦ ପିଇ ବାଇକ୍‌ ଚଳାଉଥିବା ମଦୁଆମାନେ ଚିନ୍ତାରେ ପଡ଼ି ଯାଇଛନ୍ତି। ମାତ୍ର କିଛି ମଦ ରଙ୍କୁଣାଙ୍କ ଅଜବ ସ୍ବଭାବ କଥା ଶୁଣିଲେ, ମୁଣ୍ଡ ଘୂରାଇ ଦେବ। ମଦ ପିଇ ବାଇକ୍‌ରେ ଆସିଲେ ସିନା ଟ୍ରାଫିକ୍‌ ଧରପଗଡ଼ରେ ଫସିବେ, କିନ୍ତୁ ଯଦି ହାତରେ ବାଇକ୍‌ ବଦଳରେ ସାଇକେଲ୍‌ ରୁହେ! ହଁ ଆଜ୍ଞା, ଏକଥା ଆମେ କହୁନୁ ବରଂ ଏଇ କିଛି ଦିନ ହେବ ମଦ ଦୋକାନ ସମ୍ମୁଖରେ ଜମୁଥିବା ସାଇକେଲ୍‌ର ଭିଡ଼ ହିଁ ଏକଥା ବୟାନ କରୁଛି। ‘ମୂଳୁ ମାଇଲେ ଯିବ ସରି’ ନ୍ୟାୟରେ ଏବେ ଅନେକ ମଦୁଆ ସାଇକେଲ୍‌ରେ ମଦ ଦୋକାନକୁ ଯାଉଛନ୍ତି ଓ ବାହାରେ ଲୁଚି ଛପି ମଦ୍ୟପାନ କରି ଘରକୁ ଫେରୁଛନ୍ତି। ନା ସେମାନଙ୍କୁ ଟ୍ରାଫିକ୍‌ ପୁଲିସ୍‌ ହାବୁଡ଼ରେ ପଡ଼ିବାର ଭୟ ଅଛି, ନା ୧୦ ହଜାର ତଣ୍ଡ ଗଣିବାର ଚିନ୍ତା ଅଛି। ଆଇନ ବାଟେ ବାଟେ ଗଲା ବେଳେ, କିଛି ଅମାନିଆ ମଦୁଆ ଯେ ପତ୍ରେ ପତ୍ରେ ଚାଲିଛନ୍ତି, ଏହାର ଦୃଷ୍ଟାନ୍ତ ରାଜଧାନୀର କିଛି ମଦ ଦୋକାନ ସମ୍ମୁଖରୁ ବାରି ହେଉଛି।

ମଦ ପିଇ ଗାଡ଼ି ଚାଳନା ଯୋଗୁଁ ପ୍ରତିବର୍ଷ ହଜାର ହଜାର ଜୀବନ ଅନାୟାସରେ ଚାଲି ଯାଉଥିବାରୁ ସରକାର ହାଇଦ୍ରାବାଦ ମଡେଲ୍‌ ଆପଣାଇ ମଦୁଆ ଗାଡ଼ି ଚାଳକଙ୍କ ଉପରେ ମୋଟା ଅଙ୍କର ଜରିମାନା ଲଦି ଦେଉଛନ୍ତି। ମାତ୍ର ଏବେ ବି ମଦ ଦୋକାନ ଆଗରେ ‌କଣ୍ଟ୍ରୋଲ୍‌ ଦୋକାନଠୁ ଅଧିକ ଭିଡ଼ ଜମୁଛି। ସଂଜ ନଇଁଲେ ମଦୁଆମାନେ ମଦ ଦୋକାନମୁହାଁ ହେଉଛନ୍ତି। ତେଣୁ ମଦ୍ୟପାନ ଯେ ଯଥେଷ୍ଟ କମି ଯାଇଛି, ତାହା ନିର୍ଦ୍ବନ୍ଦ୍ବରେ କହି ହେବ ନାହିଁ। ମୋଟର ଯାନ ଆଇନ ଧାରା ୧୮୫ ଅନୁଯାୟୀ ଜଣକ ଶରୀରରେ ୧୦୦ ମିଲିଲିଟର ରକ୍ତରେ ୩୦ ମିଲିଗ୍ରାମର ଆଲ୍‌କହଲ୍‌ ଥିବା ଜଣାପଡ଼ିଲେ ସମ୍ପୃକ୍ତ ଗାଡ଼ି ଚାଳକଙ୍କଠାରୁ ୧୦ ହଜାର ଟଙ୍କାର ଜରିମାନା ଆଦାୟ କରାଯିବା ସହ ୬ମାସ ଜେଲ୍‌ ଦଣ୍ଡ ଭୋଗିବାର ଆଇନ ରହିଛି। ଏପରିକି ୩ ବର୍ଷ ମଧ୍ୟରେ ପୁନର୍ବାର ଧରାପଡ଼ିଲେ, ୨ ବର୍ଷ ଜେଲ୍‌ ଦଣ୍ଡ ଭୋଗିବାର ଆଇନ ବି ରହିଛି। ତେଣୁ ୧୦ ହଜାର ଟଙ୍କାର ଅର୍ଥରାଶି ଓ ଜେଲ୍‌ ଦଣ୍ଡରୁ ମୁକ୍ତି ପାଇଁ, କଷ୍ଟ ହେଉ ପଛେ, ଅନେକ ଏବେ ସାଇକେଲ୍‌ର ସ‌ାହାରା ନେଇଛନ୍ତି। ଅନେକ ଆଉ ଏକ ଫନ୍ଦି ବି ଆପଣାଇଛନ୍ତି। ମୁଖ୍ୟ ଛକ ବାଟ ଦେଇ ଯିବା ଅପେକ୍ଷା, ଗଳା ବାଟ ଅଧିକ ବ୍ୟବହାର କରୁଛନ୍ତି। ରେକର୍ଡ ମୁତାବକ ଗତ ବର୍ଷ ସଡ଼କ ଦୁର୍ଘଟଣାରେ ୫ ହଜାର ୩୧୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସେଥିମଧ୍ୟରୁ ୩୫ପ୍ରତିଶତଙ୍କର ମୃତ୍ୟୁ କେବଳ ମଦ୍ୟପାନ ଜନିତ ଗାଡ଼ି ଚାଳନା ଯୋଗୁଁ ହୋଇଥିଲ‌‌ା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe