ଅପରାଧୀଙ୍କ ଟାର୍ଗେଟ୍‌ରେ ଖବରକାଗଜ ବିତରକ, ପିସିଆର୍‌ କରୁଛି କ’ଣ?

Advertisment

ଜନପଥରେ ଛୁରି ଭୁସି ରକ୍ତାକ୍ତ କଲେ, ସପ୍ତାହରେ ଆକ୍ରମଣର ଶିକାର ହେଲେଣି ଦୁଇ

ଜନପଥରେ ଛୁରି ଭୁସି ରକ୍ତାକ୍ତ କଲେ, ସପ୍ତାହରେ ଆକ୍ରମଣର ଶିକାର ହେଲେଣି ଦୁଇ

ଅପରାଧୀଙ୍କ ଟାର୍ଗେଟ୍‌ରେ ଖବରକାଗଜ ବିତରକ, ପିସିଆର୍‌ କରୁଛି କ’ଣ?

ଭୁବନେଶ୍ବର: ରାଜଧାନୀରେ ଉତ୍ପାତ କଲେଣି ଅପରାଧୀ। କି ଦିନ କି ରାତି, ସବୁ ସମୟରେ ଅପରାଧୀମାନେ ବେଧଡ଼କ ଆତଙ୍କ ଖେଳାଇ ଚାଲିଛନ୍ତି। ଗଳିକନ୍ଦି କଥା ତ ଭୟଙ୍କର। ଜନଗହଳିପୂର୍ଣ୍ଣ ଅଞ୍ଚଳ ଓ ଥାନା ନିକଟବର୍ତ୍ତୀ ଅଞ୍ଚଳ ବି ବାଦ୍‌ ପଡ଼ୁନି ସେମାନଙ୍କ ପ୍ରାଦୁର୍ଭାବରୁ। ଏବେ ଲକ୍ଷ୍ୟ କରାଯାଉଛି ମାତ୍ର କେଇଟା ଟଙ୍କା ପାଇଁ ସେମାନେ ଖବରକାଗଜ ବିତରକମାନଙ୍କୁ ମଧ୍ୟ ଟା‌ର୍ଗେଟ୍‌ କରୁଛନ୍ତି। ସପ୍ତାହକ ଭିତରେ ଦୁଇ ଜଣ ଖବରକାଗଜ ବିତରକଙ୍କୁ ହାଣି ଲୁଟପାଟ୍ କରିଛନ୍ତି। ଏହି ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି।

ଗତକାଲି ଭୋର୍‌ ସମୟରେ ଘଟିଛି ଦ୍ବିତୀୟ ଘଟଣା। ଭୋର୍ ପ୍ରାୟ ୪ଟା ବେଳେ ଏହି ଘଟଣା ଘଟିଛି। ପୁଣି ଡିସିପି ଅଫିସ ଠାରୁ ମାତ୍ର ୨୦୦ ମିଟର ଦୂର ରମାଦେବୀ ବିଶ୍ବବିଦ୍ୟାଳୟ ସମ୍ମୁଖ ପେଟ୍ରୋଲ ପମ୍ପ ନିକଟରେ। ଦୁର୍ବୃତ୍ତମାନେ ଜଣେ ଖବରକାଗଜ ବିତରକଙ୍କୁ ଛୁରି ଭୁସି ରକ୍ତାକ୍ତ କରିବାର ୨୦ ମିନିଟ୍‌ ପରେ ବି ପିସିଆର୍‌ ଘଟଣାସ୍ଥଳରେ ପହଞ୍ଚି ପାରିନଥିଲା। ସୂଚନାନୁସାରେ ଆଜି ଭୋର୍‌ ପ୍ରାୟ ୪ଟା ବେଳେ ମୀନକେତନ ଖବରକାଗଜ ଆଣିବା ପାଇଁ ବାଣୀବିହାରରୁ ସାଇକେଲରେ ମାଷ୍ଟରକ୍ୟାଣ୍ଟିନ ଯାଉଥିଲେ। ସେ ରମାଦେବୀ ବିଶ୍ବବିଦ୍ୟାଳୟ ସମ୍ମୁଖ ପେଟ୍ରୋଲ ପମ୍ପ ନିକଟରେ ପହଞ୍ଚିଥିବା ବେଳେ ତିନି ଜଣ ଦୁର୍ବୃତ୍ତ ତାଙ୍କୁ ଅଟକାଇଥିଲେ। ଅତର୍କିତ ଭାବେ ସେମାନେ ପେଟକୁ ଲକ୍ଷ୍ୟ କରି ଛୁରି ଭୁସୁଥିବା ବେଳେ ମୀନକେତନ ହାତ ଦେଖାଇ ଅଟକାଇବାକୁ ଚେଷ୍ଟା କରିଥିଲେ। ଛୁରି ମାଡ଼ରେ ସେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରାସ୍ତାରେ ତଳେ ପଡ଼ି ଯାଇଥିଲେ। ତେବେ ସୌଭାଗ୍ୟକୁ ଠିକ୍‌ ସେତିକିବେଳେ ସେହି ରାସ୍ତାରେ ଏକ ଗାଡ଼ି ଆସି ଯିବାରୁ ଦୁର୍ବୃତ୍ତମାନେ ଫେରାର୍‌ ହୋଇ ଯାଇଥିଲେ। ପରେ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା।

ଗତ ୨୩ ତାରିଖରେ ବାଲିପାଟଣା ଭିଙ୍ଗାରପୁର ଅଞ୍ଚଳର ଖବରକାଗଜ ବିତରକ ଅଶୋକ ପଣ୍ଡାଙ୍କୁ ଲୁଟେରାମାନେ ଟଙ୍କପାଣି ରୋଡ୍‌ରେ ମରଣାନ୍ତକ ଆକ୍ରମଣ କରି ଟଙ୍କା ଓ ମୋବାଇଲ ଫୋନ୍ ଲୁଟି ନେଇଥିଲେ। ଏପର୍ଯ୍ୟନ୍ତ ପୁଲିସ ଦୁର୍ବୃତ୍ତମାନଙ୍କୁ ଧରିପାରିନାହିଁ। ଏନେଇ ଆଜି ଖବରକାଗଜ ବିତରକ ସଂଘ ଉଦ୍‌ବେଗ ପ୍ରକାଶ କରିଛି। ଖରା, ବର୍ଷା, ଶୀତ, କାକରରେ ସେମାନେ ବର୍ଷକଯାକ ଲୋକଙ୍କୁ ସେବା ଯୋଗାଉଥିଲେ ବି ସେମାନେ ସୁରକ୍ଷିତ ନୁହଁନ୍ତି ବୋଲି ସଂଘ କହିଛି। ମାତ୍ର ଅଳ୍ପ କିଛି ଟଙ୍କା ପାଇଁ ଅପରାଧୀମାନେ ସେମାନଙ୍କୁ ପ୍ରାଣାନ୍ତକ ଆକ୍ରମଣ କରୁଛନ୍ତି। ପୁଲିସର ଦୁର୍ବଳ ପାଟ୍ରୋଲିଂ ପାଇଁ ଅପରାଧୀମାନେ ନିର୍ଭୟରେ ରାଜଧାନୀରେ ବୁଲୁଥିବାରୁ ଏଭଳି ହେଉଛି ବୋଲି ସଂଘ ଅଭିଯୋଗ କରିଛି। ତେଣୁ ସୁରକ୍ଷା ବ୍ୟବସ୍ଥାକୁ ଦାୟୀ କରି ଭୁବନେଶ୍ବର ନ୍ୟୁଜ୍ ପେପର୍ସ ସପ୍ଲାୟର୍ସ ଆସୋସିଏସନ୍ ସମ୍ପାଦକ କମଳାକାନ୍ତ ଖାମୁରାଇ ଓ ଅଲ୍ ନ୍ୟୁଜ୍‌ ପେପର୍ସ ସୋସିଆଲ୍ ଓ୍ୱେଲ୍‌ଫେୟାର ଆସୋସିଏସନ୍ ସମ୍ପାଦକ ନିମାଇଁ ଚରଣ ତ୍ରିପାଠୀ କ୍ଷୋଭ ପ୍ରକାଶ କରିଛନ୍ତି। ଭୋର୍‌ ସମୟରେ ପାଟ୍ରୋଲିଂ କଡ଼ାକଡ଼ି କରିବାକୁ ସେମାନେ ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, କିଛି ମାସ ତଳେ ରାଜଭବନ ନିକଟରେ ଖବରକାଗଜ ବିତରକ ପୂର୍ଣ୍ଣଚନ୍ଦ୍ର ମହାନ୍ତି ଓ ଫାଳିକିଆ ବସ୍ତି ନିକଟରେ ବିଭୂତି କରଙ୍କୁ ମଧ୍ୟ ଆକ୍ରମଣ ହୋଇଥିଲା।

ପିସିଆର୍‌ କରୁଛି କ’ଣ?
ଭୋର୍ ସମୟରେ ଅପରାଧୀମାନେ ରାଜଧାନୀ ଛାତିରେ ଖୁଲମଖୋଲା ବୁଲୁଥିବା ବେଳେ ପିସିଆର୍‌ର ଦେଖାମିଳୁନି। ଲୋକେ ମର୍ଣ୍ଣିଂୱାକ୍‌ରେ ବାହାରୁଥିବା ବେଳେ ଖବରକାଗଜ ବିତରକ, ମାଛ ଓ ଅନ୍ୟ ବେପାରୀମାନେ ଏହି ସମୟରେ ଯାତାୟତ କରନ୍ତି। ତେଣୁ ଲୁଟେରାମାନେ ଏହି ସମୟରେ ଅଧିକ ସକ୍ରିୟ ହେଉଛନ୍ତି। ମାତ୍ର ଠିକ୍‌ ଏହି ସମୟରେ ପିସିଆର୍‌ କୁଆଡ଼େ ଯାଉଛି ବୋଲି ଲୋକେ ପ୍ରଶ୍ନ କଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe