ବିଏମ୍‌ସି ଉପରେ ଦୋଷ ଲଦୁଛି ଏନ୍‌ଏଚ୍‌

Advertisment

ବରମୁଣ୍ଡା ଓଭରବ୍ରିଜ୍‌ ତଳେ ନର୍ଦମା ପାଣି ଲହଡ଼ି

ବରମୁଣ୍ଡା ଓଭରବ୍ରିଜ୍‌ ତଳେ ନର୍ଦମା ପାଣି ଲହଡ଼ି

ବିଏମ୍‌ସି ଉପରେ ଦୋଷ ଲଦୁଛି ଏନ୍‌ଏଚ୍‌

ଖଣ୍ଡଗିରି: ବରମୁଣ୍ଡା ଓଭରବ୍ରିଜ୍‌ ତଳେ ଲହଡ଼ି ମାରୁଥିବା ନର୍ଦମା ଜଳକୁ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଉପରକୁ ଦୋଷ ଠେଲି ଦେଇଛନ୍ତି ଜାତୀୟ ରାଜପଥ (ଏନ୍‌ଏଚ୍‌) କର୍ତୃପକ୍ଷ। ସ୍ୱେରେଜ୍‌ ବିଭାଗ ଓ ବିଏମ୍‌ସି କର୍ତୃପକ୍ଷଙ୍କ ଭୁଲ୍‌ ଯୋଗୁଁ ଓଭରବ୍ରିଜ୍‌ ତଳ ପରିସ୍ଥିତି ସଂଗିନ୍‌ ହୋଇଛି ବୋଲି ଏନ୍‌ଏଚ୍‌ କର୍ତୃପକ୍ଷ ରୋକ୍‌ଠୋକ୍‌ ଜଣାଇଛନ୍ତି। ତେଣୁ ସେଠାରେ ଲହଡ଼ି ମାରୁଥିବା ନର୍ଦମା ଜଳ ବନ୍ଦ କରିବାକୁ ବିଏମ୍‌ସି ଓ ସ୍ୱେରେଜ୍‌ ବିଭାଗ ପଦକ୍ଷେପ ନେବା ଉଚିତ୍‌ ବୋଲି ଏନ୍‌ଏଚ୍‌ ବିଭାଗ ଜଣାଇଛି। ଏଣେ ଏନ୍‌ଏଚ୍‌ର ଡ୍ରେନ୍‌ରେ ମରାମତି କାମ କରିବା ସମ୍ଭବ ନୁହେଁ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି। ଏନ୍‌ ଏଚ୍‌ ବିଭାଗ ଡ୍ରେନ୍‌ ମରାମତି ନ କଲେ ସ୍ଥାନୀୟ ଲୋକ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି। ତେଣୁ ଏମିତି ଦୋଷ ଲଦାଲଦି ଭିତରେ ଯାତ୍ରୀମାନେ ଆଉ କେତେ ଦିନ ହନ୍ତସନ୍ତ ହେବେ, ତାହା ଅସ୍ପଷ୍ଟ ହୋଇ ରହିଛି। ଆଜି ଏନ୍‌ଏଚ୍‌ ବିଭାଗ ପ୍ରକଳ୍ପ ନିର୍ଦେଶକ ଘଟଣାସ୍ଥଳ ବୁଲି ଦେଖିଥିଲେ। ତାଙ୍କ କହିବା କଥା, ଏନ୍‌ଏଚ୍‌ର ଏହି ଡ୍ରେନ୍‌କୁ କେଉଁଠାରୁ ଏତେ ପରିମାଣର ନର୍ଦମା ଜଳ ଆସୁଛି, ତାହା ଜଣା ପଡ଼ୁନାହିଁ। ଏମିତିକି ଏହି ଡ୍ରେନ୍‌କୁ ସ୍ଥାନୀୟ ବାସିନ୍ଦାମାନେ ସ୍ୱେରେଜ୍‌ ଆବର୍ଜନା ଛାଡ଼ି ଦେଉଛନ୍ତି। ଫଳରେ କେବଳ ବର୍ଷାଜଳ ନିସ୍କାସନ ପାଇଁ ନିର୍ମାଣ କରାଯାଇଥିବା ଡ୍ରେନ୍‌ରେ ଏତେ ପରିମାଣର ନର୍ଦମା ଜଳ ନିସ୍କାସନ ହୋଇ ପାରୁନାହିଁ। ଏଣୁ ବିଏମ୍‌ସି ଓ ସ୍ୱେରେଜ୍‌ ବିଭାଗ ଏନ୍‌ଏଚ୍‌ର ଡ୍ରେନ୍‌କୁ ଏଭଳି ଜଳ ଛାଡ଼ିବା ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି। ଏହି ନର୍ଦମା ଜଳ ନିଷ୍କାସନ ପାଇଁ ବିଏମ୍‌ସି ଓ ସ୍ୱେରେଜ୍‌ ବିଭାଗ ଅନ୍ୟ ବାଟ କରିବାକୁ ସେ କହିଛନ୍ତି। ଏହାବାଦ୍‌ ଏବେ ଯେଉଁ ପରିସ୍ଥିତି ହୋଇଛି, ବରମୁଣ୍ଡା ଓଭରବ୍ରିଜ୍‌ ତଳ ଡ୍ରେନ୍‌ ମରାମତି କଲେ, ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହେବ ଓ ଯାତ୍ରୀମାନେ ଅସୁବିଧାରେ ପଡ଼ିବେ ବୋଲି ସେ ସଫେଇ ଦେଇଛନ୍ତି। ଅର୍ଥାତ୍‌ ତାଙ୍କ କଥାରୁ ଏହା ସ୍ପଷ୍ଟ ଯେ ଓଭରବ୍ରିଜ୍‌ ତଳ ଡ୍ରେନ୍‌ ମରାମତି କାମ ଏନ୍‌ଏଚ୍‌ ବିଭାଗ କରିବାର ନାହିଁ। କିନ୍ତୁ ଏ ନେଇ ସ୍ଥାନୀୟ କର୍ପୋରେଟର ଅଶ୍ୱିନୀ କୁମାର ସୁନ୍ଦରାୟ ଓ ସୁଜିତ୍‌ କୁମାର ସ୍ୱାଇଁଙ୍କ କହିବା କଥା ଏନ୍‌ଏଚ୍‌ ବିଭାଗ ପ୍ରକଳ୍ପ ନିର୍ଦେଶକଙ୍କ ଏହି ଯୁକ୍ତି ଗ୍ରହଣଯୋଗ୍ୟ ନୁହେଁ। ପ୍ରକଳ୍ପ ନିର୍ଦେଶକଙ୍କ ଏଭଳି ମନମୁଖୀ କାର୍ଯ୍ୟ ଯୋଗୁଁ ହଜାର ହଜାର ଯାତ୍ରୀ ଓ ସ୍ଥାନୀୟ ଲୋକେ ସମସ୍ୟାରେ ପଡ଼ିଛନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ଯାନବାହାନ ଚଳାଚଳ ବନ୍ଦ ହୋଇଯିବାର ବାହାନା କରି ସେ ଏଭଳି ଖସି ଯିବାକୁ ବାଟ ଖୋଜୁଛନ୍ତି ବୋଲି ସେମାନେ କହିଛନ୍ତି। ଯଦି ବାରମ୍ବାର ଅନୁରୋଧ ସତ୍ତ୍ୱେ ଡ୍ରେନ୍‌ ମରାମତି କରା ନଯାଏ, ତେବେ ଖୁବ୍‌ଶୀଘ୍ର ସ୍ଥାନୀୟ ଲୋକେ ଏନ୍‌ଏଚ୍‌ କାର୍ଯ୍ୟାଳୟ ଘେରାଉ କରିବେ ବୋଲି କର୍ପୋରେଟର୍‌ଦ୍ୱୟ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe