ଏନ୍‌ଏଚ୍‌ଏଆଇ କାର୍ଯ୍ୟାଳୟରେ ପାଣି ମାଡ଼ ଘଟଣା

୨ କଂଗ୍ରେସ କର୍ମୀ ଗିରଫ

ଏନ୍‌ଏଚ୍‌ଏଆଇ କାର୍ଯ୍ୟାଳୟରେ ପାଣି ମାଡ଼ ଘଟଣା

ଭୁବନେଶ୍ୱର: ୟୁନିଟ୍‌-୮ସ୍ଥିତ ଏନ୍‌ଏଚ୍‌ଏଆଇ କାର୍ଯ୍ୟାଳୟରେ କଂଗ୍ରେସ କର୍ମୀଙ୍କ ପାଣି ମାଡ଼ ଘଟଣାରେ ନୂଆପଲ୍ଲୀ ଥାନା ପୁଲିସ ଆଜି ୨ କଂଗ୍ରେସ କର୍ମୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ, ବଡ଼ଗଡ଼ ଥାନା ଅଞ୍ଚଳର ମିହିର ରଂଜନ ଆଚାର୍ଯ୍ୟ (୪୨) ଓ ମେ’ ଫେୟାର ବେହେରା ସାହି ବସ୍ତିର ମନୋଜ କୁମାର ସାହୁ (୩୧)।

ସୂଚନା ମୁତାବକ, ଅସରାଏ ବର୍ଷା ହେଲେ ରାଜଧାନୀ ଦେଇ ଯାଇଥିବା ଜାତୀୟ ରାଜପଥ-୧୬ର କିଛି ସ୍ଥାନରେ ପାଣି ଜମି ରହୁଛି। ବିଶେଷ କରି ଇସ୍କନ ମନ୍ଦିର ସମ୍ମୁଖରେ ବର୍ଷାଜଳ ଜମି ରହି କୃତ୍ରିମ ବନ୍ୟା ସୃଷ୍ଟି କରୁଛି। ଏହାଦ୍ୱାରା ଏହି ବାଟ ଦେଇ ଦୀର୍ଘ ସମୟ ଧରି ଯାତାୟାତ ବାଧାପ୍ରାପ୍ତ ହେଉଛି। ଏହି ସମସ୍ୟାର ସମାଧାନ ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରାଯିବା ସତ୍ତ୍ୱେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହାର ପ୍ରତିବାଦରେ ସୋମବାର ଜିଲ୍ଲା କଂଗ୍ରେସର କର୍ମୀମାନେ ଟ୍ୟାଙ୍କର୍‌ରେ ପାଣି ନେଇ ଏନ୍‌ଏଚ୍‌ଏଆଇ କାର୍ଯ୍ୟାଳୟରେ ମାଡ଼ କରିଥିଲେ। ଏହାସହ ଏନ୍‌ଏଚ୍‌ଏଆଇ କର୍ତୃପକ୍ଷଙ୍କୁ ଦୁର୍ବ୍ୟବହାର ଓ ଫାଇଲ୍‌ ପତ୍ର ଭିଜାଇ ନଷ୍ଟ କରିବା ନେଇ ଏନ୍‌ଏଚ୍‌ଏଆଇ କର୍ତ୍ତୃପକ୍ଷ ନୂଆପଲ୍ଲୀ ଥାନାରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ ଏକ ମାମଲା ରୁଜୁ କରି ଆଜି ଉଭୟଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷରେ ଏହି ୨ କର୍ମୀଙ୍କ ଗିରଫଦାରୀକୁ ବିରୋଧ କରି କଂଗ୍ରେସ କର୍ମୀମାନେ ଥାନା ଘେରାଉ କରିଥିଲେ। ଉଭୟଙ୍କୁ ନିର୍ଦୋଷରେ ଖଲାସ କରିବା ପାଇଁ ଦାବି କରିଥିଲେ। ଏସିପି କିଶୋର ଚନ୍ଦ୍ର ମୁଣ୍ଡ ଉତ୍ତ୍ୟକ୍ତ କର୍ମୀଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe