ଛାତ୍ରଙ୍କୁ ଏନ୍‌ଆଇଏ ଜେରା ପ୍ରସଙ୍ଗ : ଆଗରୁ ଗୁଇନ୍ଦା ବି ଜେରା କରିଥିଲା

Advertisment
ଆଣ୍ଟିଲିଆ ବାହାରେ ମିଳିଥିବା ବିସ୍ଫୋରକ ମାମଲାର ଯାଞ୍ଚ ଏଣିକି ଏନଆଇଏ କରିବ

Scroll.in

ଭୁବନେଶ୍ୱର : ଗତକାଲି ଭୁବନେଶ୍ବରରେ ଏନ୍ଆଇଏ (ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା) ଟିମ୍‌ ଜେରା କରିଥିବା ଖଣ୍ଡଗିରି ଅଞ୍ଚଳର ଛାତ୍ରକୁ ପୂର୍ବରୁ ଜେରା କରିଥିଲା ଗୁଇନ୍ଦା ବିଭାଗ। ଏକ ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଖବର ମୁତାବକ ଛାତ୍ରଜଣକ ଡାର୍କୱେବ୍‌ରୁ ନିଷିଦ୍ଧ ବନ୍ଧୁକ ସମ୍ବନ୍ଧରେ ସର୍ପିଂ କରିବା ସହ କିଣିବା ପାଇଁ ଅର୍ଡର୍‌ କରିଥିଲେ। କିଛି ସମୟ ପରେ ଅର୍ଡର ବାତିଲ କରିଥିଲେ ମଧ୍ୟ ସେ ଅଷ୍ଟ୍ରେଲିଆ ଗୁଇନ୍ଦା ସଂସ୍ଥାର ସ୍କାନର୍‌କୁ ଆସି ଯାଇଥିଲେ। ଅଷ୍ଟ୍ରେଲିଆ ଗୁଇନ୍ଦା ବିଭାଗ ତୁରନ୍ତ ସମ୍ପୃକ୍ତ ଛାତ୍ରଙ୍କୁ ଠାବ କରିଥିଲା। ସେ ଓଡ଼ିଶାର ବୋଲି ଜାଣିବା ପରେ ଗୁଇନ୍ଦା ସଂସ୍ଥାକୁ ଖବର ଦେଇଥିଲା। ଦୁଇମାସ ତଳେ ଗୁଇନ୍ଦା ସଂସ୍ଥା ତାକୁ ଜେରା କରିଥିଲା। ସେ ସମୟର ଜେରା ବେଳେ ମଧ୍ୟ ସେ ନିରୀହ ବୋଲି ଜଣାପଡ଼ିଥିଲା ଓ ଗୁଇନ୍ଦା ସଂସ୍ଥା ତାକୁ ଛାଡ଼ି ଦେଇଥିଲା। ବେଆଇନ ବନ୍ଧୁକ କିଣି ବେପାର କରିବା ବା ଦେଶ ଭିତରେ ଅନ୍ୟ କିଛି ଅଘଟଣ ଘଟାଇବା ପାଇଁ ନୁହେଁ, ବରଂ କୌତୂହଳବଶତଃ ସେ ଅର୍ଡର୍‌ କରିଥିବା ପୁଲିସ ଜାଣିବାକୁ ପାଇଥିଲା। ସେ ଭଲ ପାଠ ପଢ଼ୁଥିଲା ଓ ‘ଗେଟ୍‌’ ପାଇଁ ପ୍ରସ୍ତୁତି ଚଳାଇଥିଲା। ତା’ ବାପା ଜଣେ ଅବସରପ୍ରାପ୍ତ ଡାକ୍ତର। ଏଣୁ ପିଲାଟିର ପୃଷ୍ଠଭୂମିରୁ ସେ ଦେଶଦ୍ରୋହ କିମ୍ବା ଆତଙ୍କୀ ଲିଙ୍କ୍‌ରେ ନଥିବା ପ୍ରମାଣ ମିଳିବା ପରେ ଗୁଇନ୍ଦା ବିଭାଗ ତାକୁ ଛାଡ଼ି ଦେଇଥିଲା।

ଗତକାଲି ଏନ୍‌ଆଇଏ ଟିମ୍‌ ମଧ୍ୟ ସେହି ସୂଚନାକୁ ଆଧର କରି ସମ୍ପୃକ୍ତ ଛାତ୍ରଙ୍କୁ ପୁଣି ଜେରା କରିଥିଲା। ପ୍ରାୟ ୫ଘଣ୍ଟା ଜେରା ବେଳେ ସେ ଏହି ୱେବ୍‌ସାଇଟ୍‌ରୁ କ’ଣ କ’ଣ ଦେଖିଥିଲା, ସେ ନେଇ ଏନ୍‌ଆଇଏ ପ୍ରଶ୍ନ ପଚାରିଥିଲା। ଛାତ୍ରର ଲ୍ୟାପ୍‌ଟପ୍‌ ମଧ୍ୟ ଯାଞ୍ଚ କରିଥିଲା। କେବେଠାରୁ ଏହି ବେଆଇନ କାରବାରରେ ସମ୍ପୃକ୍ତ ୱେବ୍‌ସାଇଟ୍‌କୁ ସେ ସର୍ଫିଂ କରୁଥିଲା? ଆଉ କିଛି ଏଭଳି ୱେବ୍‌ସାଇଟ୍‌ ସେ ଦେଖିଥିଲା କି? ଲ୍ୟାପ୍‌ଟପ୍‌ରେ ଥିବା ଗତ ୬ ମାସର ବ୍ରାଉଜିଂ ହିଷ୍ଟ୍ରିକୁ ଯାଞ୍ଚ କରିଥିଲା ଏନ୍‌ଆଇଏ। କିନ୍ତୁ ହିଷ୍ଟ୍ରିରେ ଅନ୍ୟ କୌଣସି ଏଭଳି ବ୍ରାଉଜିଂ ନଥିବା ଜଣାପଡ଼ିଥିଲା। ଫୋନ୍‌ ମଧ୍ୟ ଯାଞ୍ଚ କରାଯାଇଥିଲା। ଫୋନ୍‌ରେ ମଧ୍ୟ ସେଭଳି ସନ୍ଦେହଜନକ କାର୍ଯ୍ୟକଳାପ ଦେଖା‌ ଯାଇନଥିଲା। ତେବେ ଉଭୟ ଫୋନ୍‌ ଓ ଲ୍ୟାପ୍‌ଟପ୍‌ର ଆଇପି ଆଡ୍ରେସ୍‌ ଉପରେ ନଜର ରଖିବାକୁ ପୁଲିସକୁ କୁହାଯାଇଛି।

ସୂଚନାଯୋଗ୍ୟ, ଗତକାଲି ଖଣ୍ଡଗିରି ଅଞ୍ଚଳର ଜଣେ ଛାତ୍ରକୁ ଏନ୍‌ଆଇଏ କୋଲକାତା ଶାଖାର ୪ଜଣିଆ ଟିମ୍‌ ଖଣ୍ଡଗିରି ଥାନାରେ ଦୀର୍ଘ ପ୍ରାୟ ସାଢ଼େ ୫ ଘଣ୍ଟା ଧରି ଜେରା କରିଥିଲା। ଏକ ୱେବ୍‌ସାଇଟ୍‌ରେ ସେ ବନ୍ଧୁକ ଅର୍ଡର୍‌ କରିବା ସହ ଏ ବାବଦରେ ଜାଣିବା ପାଇଁ ଯୋଗାଯୋଗ କରିବା ସମ୍ପର୍କରେ ଅଷ୍ଟ୍ରେଲିଆ ଗୁଇନ୍ଦା ବିଭାଗରୁ ଖବର ପାଇ ଏନ୍‌ଆଇଏ ଉକ୍ତ ଛାତ୍ରକୁ ଜେରା କରିଥିଲା।

ଏନେଇ ଜଣେ ବରି‌ଷ୍ଠ ବିଶେଷଜ୍ଞଙ୍କ କହିବା ମୁତାବକ, ଛାତ୍ର ତଥା କମ୍‌ ବୟସର ଯୁବକମାନେ ଏଭଳି ସାଇଟ୍‌ ବାବଦରେ ଅନୁସନ୍ଧାନ କରିବାକୁ ଆଗ୍ରହ ପ୍ରକାଶ କରିଥା’ନ୍ତି। କିନ୍ତୁ ଏଥିରେ ଥିବା ବିପଦ ବାବଦରେ ସଚେତନ ନଥା’ନ୍ତି। ଏହି ଘଟଣାକୁ ସମସ୍ତେ ଏକ ଉଦାହରଣ ଭାବେ ନେବା ଜରୁରି। ଅଭିଭାବକମାନେ ମଧ୍ୟ ସେମାନଙ୍କ ପିଲାମାନଙ୍କ ଉପରେ ନଜର ରଖିବା ମଧ୍ୟ ଜରୁରି ବୋଲି ସେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe