କନିଷ୍ଠ ଶିକ୍ଷକ ସଂଘର ନିଆରା ବିକ୍ଷୋଭ: ଶଙ୍ଖ ଫୁଙ୍କିଲେ, ହୁଳହୁଳି ପକାଇଲେ, ମୁରୁଜ ଆଙ୍କିଲେ

Advertisment
କନିଷ୍ଠ ଶିକ୍ଷକ ସଂଘର ନିଆରା ବିକ୍ଷୋଭ: ଶଙ୍ଖ ଫୁଙ୍କିଲେ, ହୁଳହୁଳି ପକାଇଲେ, ମୁରୁଜ ଆଙ୍କିଲେ

ଭୁବନେଶ୍ବର: ବିଭିନ୍ନ ଦାବି ନେଇ ଆଜି ଓଡ଼ିଶା କନିଷ୍ଠ ଶିକ୍ଷକ ସଂଘ ମାଷ୍ଟରକ୍ୟାଣ୍ଟିନ ଛକରେ ନିଆରା ଢଙ୍ଗରେ ବିକ୍ଷୋଭ ପ୍ରଦର୍ଶନ କରିଥିଲା। ହଜାର ହଜାର ବିକ୍ଷୋଭକାରୀ ଶଙ୍ଖ ଫୁଙ୍କି, ହୁଳହୁଳି ପକାଇ ଓ ରାଜରାସ୍ତାରେ ମୁରୁଜ ଆଙ୍କି ସେମାନଙ୍କ ପ୍ରତି ସରକାରଙ୍କ ଅବହେଳା ବିରୋଧରେ କ୍ଷୋଭ ପ୍ରକାଶ କରିଥିଲେ। ପ୍ରଥମେ ପ୍ରାୟ ୧୦ ହଜାରରୁ ଅଧିକ ଶିକ୍ଷକ ଶିକ୍ଷୟିତ୍ରୀ ଏକ ଶୋଭାଯାତ୍ରାରେ ବାହାରି ଲୋୟର ପିଏମ୍‌ଜିଠାରେ ପହଞ୍ଚି ଧାରଣାରେ ବସିଥିଲେ। ମୁରୁଜ ଚିତ୍ର ଥିଲା ଏହି ବିକ୍ଷୋଭର ଆକର୍ଷଣର କେନ୍ଦ୍ରବିନ୍ଦୁ।

ଶିକ୍ଷକମାନେ କିଭଳି ବିଜୁ ସ୍ବାସ୍ଥ୍ୟ କାର୍ଡ ବଣ୍ଟନ ଠାରୁ ଆରମ୍ଭ କରି କୋଭିଡ୍‌ ପରିଚାଳନା କାର୍ଯ୍ୟ, ନିର୍ବାଚନ କାର୍ଯ୍ୟ, ଜନଗଣନା କାର୍ଯ୍ୟ ଓ ଭୋଟର କାର୍ଡ କାର୍ଯ୍ୟ କରୁଛନ୍ତି, ତାହା ଭୁରୁଜ ଚିତ୍ରରେ ପ୍ରଦର୍ଶିତ ହୋଇଥିଲା। ସେହିଭଳି ଏତେ କାମକୁ ସେମାନେ ଦରମା ବାବଦରେ ମାତ୍ର ୬୫୧୨ଟଙ୍କା ପାଆନ୍ତି ବୋଲି ମୁରୁଜ ଚିତ୍ର ମାଧ୍ୟମରେ ଦେଖାଇଥିଲେ।

ସଂଘର ସଭାପତି ଅକ୍ଷୟ କୁମାର ପାଢ଼ୀଙ୍କ ଅଭିଯୋଗ ଅନୁସାରେ ୨୦୧୬ ମସିହାରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା ଓ ପାଖାପାଖି ଦୁଇ ବର୍ଷ ପରେ ୨୦୧୮ ମସିହାରେ ସେମାନଙ୍କୁ ନିଯୁକ୍ତି ମିଳିଥିଲା। ବହୁ ଶିକ୍ଷକ ଶିକ୍ଷୟିତ୍ରୀ ୫ ଶହ କିଲୋମିଟର ଦୂରରୁ ଆସି ଅନ୍ୟ ଜିଲ୍ଲାରେ ପାଠ ପଢ଼ାଉଛନ୍ତି। ମାତ୍ର ସେମାନଙ୍କୁ ୬୫୧୨ ଟଙ୍କା ମିଳୁଛି। ଏତିକି ଟଙ୍କା ଅଣକୁଶଳୀ ଶ୍ରମିକଙ୍କଠାରୁ କମ୍ ବୋଲି ସ‌େ କହିଥିଲେ। ଆଜିର ମହଙ୍ଗା ବଜାରରେ ଏହି ଦରମାରେ ଜଣେ ଶିକ୍ଷକ କିଭଳି ତା’ ପରିବାର ଚଳାଉଥିବ, ସରକାର ବୁଝିବା ଉଚିତ। ୨୦୧୮ ଓ ୨୦୨୦ ମସିହାରେ ଚୁକ୍ତିଭିତ୍ତିକ ଆଉଟ୍‌ ସୋର୍ସିଙ୍ଗ କର୍ମଚାରୀମାନଙ୍କ ପାରିଶ୍ରମିକ ୨୫ ପ୍ରତିଶତ ବୃଦ୍ଧି କରିଥିବା ବେଳେ ଚଳିତ ବର୍ଷ କ୍ୟାବିନେଟ୍ ବୈଠକରେ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କର ପାରିଶ୍ରମିକ ୫୦ ପ୍ରତିଶତ ବୃଦ୍ଧି କରିଛନ୍ତି।

ଏଥିସହିତ ଚୁକ୍ତିଭିତ୍ତିକ ପ୍ରଥାକୁ ଉଚ୍ଛେଦ କରି ଇନିସିଆଲ୍ ଆପଏଣ୍ଟମେଣ୍ଟ ଭାବେ ଘୋଷଣା କରିଛନ୍ତି। ମାତ୍ର ପରିତାପର କଥା ଏତେ କାମ କରିବା ପରେ ବି ୩୦ ଜିଲ୍ଲାର କନିଷ୍ଠ ଶିକ୍ଷକମାନଙ୍କୁ ସରକାର ସାବତ ପୁଅ ଭଳି ବ୍ୟବହାର କରିଆସୁଛନ୍ତି। ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ଶିକ୍ଷା ସଚିବଙ୍କୁ ବାରମ୍ବାର ଦାବି ପତ୍ର ଦେବା ପରେ ମଧ୍ୟ ସେମାନଙ୍କ ଦାବି ପୂରଣ କରାଯାଉନାହିଁ ବୋଲି ସଂଘର ସାଧାରଣ ସଂପାଦକ ନେତ୍ରାନନ୍ଦ ପ୍ରଧାନ କ୍ଷୋଭର ସହ କହିଛନ୍ତି।

ସେମାନଙ୍କୁ ଓଡ଼ିଶା ବର୍ଗ-ଗ ୨୦୧୩ ଚୁକ୍ତିନାମା ନିୟମରେ ସାମିଲ କରିବା ସହ ୨୦୨୧ ଅକ୍ଟୋବରରେ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତିର ସମସ୍ତ ସୁବିଧା ପ୍ରଦାନ ଦେବାକୁ ସଂଘ ଦାବି କରୁଛି। ସେହିଭଳି ସର୍ବନିମ୍ନ ଦରମା ୧୬ ହଜାର ଟଙ୍କା ପ୍ରଦାନ ଓ ଏହାକୁ ୨୦୧୬ ମସିହାରୁ ପିଛିଲା ଭାବେ ଲାଗୁ କରିବାକୁ ସଂଘ ଦାବି କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଦାବି ପୂରଣ ନହେବା ଯାଏ ଏହି ଧାରଣା ଚାଲୁ ରହିବ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe