ଆରମ୍ଭ ହେଲା ନାଇଟ୍‌ କର୍ଫ୍ୟୁ: ସହର ସାରା ନାକାବନ୍ଦୀ

Advertisment
ଆରମ୍ଭ ହେଲା ନାଇଟ୍‌ କର୍ଫ୍ୟୁ: ସହର ସାରା ନାକାବନ୍ଦୀ

ରାତି ୯ରୁ ସକାଳ ୫ ଯାଏ କର୍ଫ୍ୟୁ ସହ ୧୪୪ ଧାରା
୨୫ ଚେକ୍‌ପୋଷ୍ଟରେ ଯାଞ୍ଚ କଡ଼ାକଡ଼ି
୧୦ପ୍ଲାଟୁନ୍ ଫୋର୍ସ ମୁତୟନ
ଅମାନିଆଙ୍କୁ ନିସ୍ତାର ନାହିଁ

ଭୁବନେଶ୍ବର : କୋଭିଡ୍ ଦ୍ବିତୀୟ ଲହରରେ ଦ୍ରୁତ ସଂକ୍ରମଣକୁ ରୋକିବା ପାଇଁ ରାଜଧାନୀ ସମେତ ସାରା ରାଜ୍ୟରେ ଆଜିଠାରୁ ଆରମ୍ଭ ହୋଇଛି ନାଇଟ୍‌ କର୍ଫ୍ୟୁ। ରାଜଧାନୀର ବିଭିନ୍ନ ସ୍ଥାନରେ ପୁଲିସ ନାକାବନ୍ଦୀ କରି ଯାଞ୍ଚ କଡ଼ାକଡ଼ି କରିଛନ୍ତି। ସହରର ୨୫ଟି ଚେକ୍‌ପୋଷ୍ଟରେ ମୁତୟନ ହୋଇଛନ୍ତି ୧୦ ପ୍ଲାଟୁନ୍ ଫୋର୍ସ। ଖୋଦ୍ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଭୁବନେଶ୍ବର ଡିସିପି ଉମାଶଙ୍କର ଦାଶ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ବୁଲିବୁଲି ଲୋକଙ୍କୁ ସଚେତନ କରିବା ସହ ଯା‌ଞ୍ଚକୁ ତଦାରଖ କରୁଛନ୍ତି। କୌଣସି ଜରୁରୀ କାରଣ ନ ଥାଇ ବୁଲାବୁଲି କରୁଥିବା ଅମାନିଆଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ‌ନେବାକୁ ନିର୍ଦ୍ଦେଶ ଦିଆଯାଇଛି।

publive-image

ପୂର୍ବ ଘୋଷଣା ଅନୁଯାୟୀ ରାଜଧାନୀରେ ନାଇଟ୍‌ କର୍ଫ୍ୟୁକୁ କଡ଼ାକଡ଼ି କରିବା ଲାଗି ସନ୍ଧ୍ୟାରୁ ଆରମ୍ଭ ହୋଇ ଯାଇଥିଲା ତତ୍ପରତା। ସନ୍ଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ୧୦ ପ୍ଲାଟୁନ୍‌ ଫୋର୍ସ ସହ ୨୫ ଚେକ୍‌ ପୋଷ୍ଟରେ ଡ୍ୟୁଟି କରିବାକୁ ଥିବା ସମସ୍ତ ଅଫିସର ଲୋୟର ପିଏମ୍‌ଜିରେ ଏକାଠି ହୋଇଥିଲେ। କମିସନର ଶ୍ରୀ ପ୍ରିୟଦର୍ଶୀ ଏଠାରେ ସବୁ ଅଫିସରଙ୍କୁ ସେମାନଙ୍କ ଦାୟିତ୍ବ ବୁଝାଇଥିଲେ ଏବଂ ସମସ୍ତଙ୍କୁ ସଜାଗ ଓ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। କଟକଣାକୁ କଡ଼ାକଡ଼ି କରିବା ପାଇଁ ୬ଟି ଜୋନ୍‌କୁ ୩ ଭାଗରେ ବିଭକ୍ତ କରାଯାଇଛି। ଜୋନ୍‌ ୧ ଓ ୨, ଜୋନ୍‌ ୩ ଓ ୪ ଏବଂ ଜୋନ୍‌ ୫ ଓ ୬କୁ ନେଇ ତିନି ଭାଗ କରାଯାଇଥିବାବେଳେ ଏହିସବୁ ଯୁଗ୍ମ ଜୋନ୍ ପାଇଁ ୩ ଜଣ ଡିଏସ୍‌ପିସ୍ତରର ଅଫିସର ଦାୟିତ୍ବରେ ଅଛନ୍ତି। ତେଣୁ ସାରା ରାତି ଏହି ଅଧିକାରୀମାନେ ସଜାଗ ରହି କଟକଣା ପାଳନ ହେଉଛି କି ନାହିଁ ନିଶ୍ଚିତ କରିବେ ଏବଂ ଆବଶ୍ୟକ ପଡ଼ିଲେ କାର୍ଯ୍ୟାନୁଷ୍ଠାନ ବାବଦରେ ନିଷ୍ପତ୍ତି ମଧ୍ୟ ନେବେ ବୋଲି କମିସନର ନିର୍ଦ୍ଦେଶ ଦେଇଥିଲେ।

publive-image

ଏହାପରେ ସେଠାରୁ ପ୍ରାୟ ୩୦ଟି ପୁଲିସ ଗାଡ଼ିର ଏକ ବିରାଟ ପଟୁଆର ବାହାରିଥିଲା। ପୁଲିସ ଟିମ୍ ସହର ପରିକ୍ରମା କରିବା ସହ ବ୍ୟବସାୟୀ ଓ ସାଧାରଣ ଲୋକଙ୍କୁ ଏହି ୧୪୪ ଧାରା, କର୍ଫ୍ୟୁ ଓ ମହାମାରୀ ଆଇନ ନେଇ ସଚେତନ କରାଇଥିଲେ। ରାତି ୮ଟାରୁ ବ୍ୟବସାୟିକ ପ୍ରତିଷ୍ଠାନ ବନ୍ଦ କରିବା ଆରମ୍ଭ କଲେ ୯ଟା ପୂର୍ବରୁ ସବୁ ବନ୍ଦ ହେବା ସମ୍ଭବ ହେବ ବୋଲି ବୁଝାଇଥିଲେ। ସେହିଭଳି ଜନସାଧାରଣ ମଧ୍ୟ ୯ ପୂର୍ବରୁ ଯେଭଳି ଘରେ ପହଞ୍ଚି ପାରିବେ ସେହିଭଳି ସମସ୍ତ କାମ ସାରିବା ପାଇଁ ପବ୍ଲିକ୍‌ ଆଡ୍ରେସ୍‌ ସିଷ୍ଟମ ଜରିଆରେ ପରାମର୍ଶ ଦିଆଯାଇଥିଲା।

publive-image

ରାତି ୯ରୁ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଥିଲା। ରସୁଲଗଡ଼, ବାଣୀବିହାର, ରୂପାଲି, ଆଚାର୍ଯ୍ୟବିହାର, ରାଜମହଲ, କଳ୍ପନା, ରବି ଟକିଜ୍, ନାଲକୋ, ପଟିଆ ଆଦି ପ୍ରମୁଖ ୨୫ଟି ଛକରେ ଚେକ୍ ପୋଷ୍ଟରେ ଯାଞ୍ଚ କଡ଼ାକଡ଼ି ହୋଇଥିଲା। ଏହା ବ୍ୟତୀତ ଥାନା ପିସିଆର ଭ୍ୟାନ୍‌ ମଧ୍ୟ ବିଭିନ୍ନ କଲୋନି ଓ ଗଳିକନ୍ଦି ବୁଲି ବାହାରେ ବୁଲୁଥିବା ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ତେବେ ଆଜି ପ୍ରଥମ ଦିନ ହୋଇଥିବାରୁ ରାତି ୯ଟା ପରେ ମଧ୍ୟ ଅମାନିଆଙ୍କ ଭିଡ଼ ଦେଖା ଯାଇଥିଲା। ପୁଲିସ ସେମାନଙ୍କୁ ସଚେତନ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।

publive-image

ଉଲ୍ଲେଖଯୋଗ୍ୟ ଯେ ରାଜଧାନୀରେ ନାଇଟ୍‌ କର୍ଫ୍ୟୁର ଅବଧି ପ୍ରତିଦିନ ରାତି ୯ଟାରୁ ଆରମ୍ଭ ହୋଇ ଭୋର ୫ଟା ପର୍ଯ୍ୟନ୍ତ ରହିବ। ଏହି ସମୟରେ ୧୪୪ ଧାରା ଲାଗୁ ହୋଇଛି। କଟକଣା ଉଲ୍ଲଂଘନ କଲେ ଉଲ୍ଲଂଘନକାରୀ ନାମରେ ମହାମାରୀ ଆଇନ ଏବଂ ୧୪୪ ଧାରା ଉଲ୍ଲଂଘନ ଓ କର୍ଫ୍ୟୁ ଉଲ୍ଲଂଘନ ଅଭିଯୋଗରେ ମାମଲା ରୁଜୁ ହେବା ସହ କାର୍ଯ୍ୟାନୁଷ୍ଠାନ ହେବ। ଏଣୁ ଏଥିରୁ ବର୍ତ୍ତିବା ପାଇଁ ଦ୍ବୈତ ନଗରୀରେ ଜନସାଧାରଣ ସହଯୋଗ କରନ୍ତୁ ବୋଲି ପୁଲିସ କମିସନର ପରାମର୍ଶ ଦେଇଛନ୍ତି। ସାରା ରାତି ବୁଲି ଏହି କଟକଣାକୁ ନିଶ୍ଚିତ କରିବା ପାଇଁ ପିସିଆର ଭ୍ୟାନ୍‌ ଛଡ଼ା ଅଧିକ ଗାଡ଼ିର ଆବଶ୍ୟକତା ଥିବାରୁ ଡିସିପି ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି ଲେଖିଥିଲେ। ଡିସିପିଙ୍କ ଚିଠିକୁ ଆଧାର କରି ଖୋର୍ଦ୍ଧା ଜିଲ୍ଲାପାଳ ୨୫ଟି ଗାଡ଼ି ପଠାଇଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe