Niladri Bihar Vending Zone: ନୀଳାଦ୍ରିବିହାର ଭେଣ୍ଡିଂ ଜୋନ୍‌: ଖୋଲିନି, ମରାମତି ଲୋଡ଼ିଲାଣି

ଉଠାଦୋକାନୀଙ୍କୁ ଥଇଥାନ କରିବାକୁ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ଭେଣ୍ଡିଂ ଜୋନ୍‌ ନିର୍ମାଣ ହୋଇଥିଲା। ଜଳାଶୟକୁ ପୋତି ଭେଣ୍ଡିଂ ଜୋନ୍‌ ଭିତରେ ୩୦ରୁ ଅଧିକ ଦୋକାନ ଘର ମଧ୍ୟ ତିଆରି ହୋଇଥିଲା।

vending zone

ଚନ୍ଦ୍ରଶେଖରପୁର: ଉଠାଦୋକାନୀଙ୍କୁ ଥଇଥାନ କରିବାକୁ ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ଭେଣ୍ଡିଂ ଜୋନ୍‌ ନିର୍ମାଣ ହୋଇଥିଲା। ଜଳାଶୟକୁ ପୋତି ଭେଣ୍ଡିଂ ଜୋନ୍‌ ଭିତରେ ୩୦ରୁ ଅଧିକ ଦୋକାନ ଘର ମଧ୍ୟ ତିଆରି ହୋଇଥିଲା। ସେଠାରେ ଯେଉଁମାନେ ବେପାର କରିବେ ସେମାନଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀଗୁଡ଼ିକର ନାମ ଓ ମୂଲ୍ୟ ଉଲ୍ଲେଖ କରିବାକୁ ଚାଟ୍‌ ମଧ୍ୟ ଲାଗିଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ଦୋକାନୀମାନଙ୍କୁ ଘର ଆବଣ୍ଟନ ହେଲା ନାହିଁ। ହକି ବିଶ୍ବକପ୍‌ ସମୟରେ ଯେଉଁ ବ୍ୟବସାୟୀଙ୍କ ଦୋକାନ ଘର ଭଙ୍ଗାଯାଇଥିଲା, ସେମାନେ ତିନି ବର୍ଷ ହେଲା ଦୋକାନଘର ପାଇବା ଅପେକ୍ଷାରେ ଅଛନ୍ତି। ଅନ୍ୟପଟେ ଆଉ କିଛି ଉଠାଦୋକାନୀ ଏବେ ଫୁଟ୍‌ପାଥକୁ ଜବରଦଖଲ କରି ଲୋକଙ୍କ ସମସ୍ୟା ବଢ଼ାଇଲେଣି। ନୀଳାଦ୍ରିବିହାର ମଙ୍ଗଳାମନ୍ଦିର ଛକ ନିକଟ ୮ ନମ୍ବର ୱାର୍ଡରେ ନିର୍ମାଣ ହୋଇଥିବା ଭେଣ୍ଡିଂ ଜୋନ୍‌ରେ ଏଭଳି ଅବସ୍ଥା ଦେଖିବାକୁ ମିଳୁଛି।

ଅଞ୍ଚଳର ବଢ଼ୁଥିବା କଳେବରକୁ ଦୃଷ୍ଟିରେ ରଖି ଗମନାଗମନ ବ୍ୟବସ୍ଥା ସଜାଡ଼ିବାକୁ ପ୍ରଥମେ ୪ ଥାକିଆ ଏକ ରାସ୍ତା ନିର୍ମାଣ କରିବାକୁ ନିଷ୍ପତ୍ତି ହୋଇଥିଲା। ତେଣୁ ସାଧାରଣ ପ୍ରଶାସନ ବିଭାଗ ଅଧୀନରେ ଥିବା ଏକପ୍ରାକୃତିକ ଜଳାଶୟକୁ ଧୀରେ ଧୀରେ ପୋତାଯାଇଥିଲା। ରାସ୍ତା ନିର୍ମାଣ ସରିବା କ୍ଷଣି ବିଏମ୍‌ସି ପକ୍ଷରୁ ଆରମ୍ଭ ହୋଇଯାଇଥିଲା ଉଠାଦୋକାନୀଙ୍କୁ ଥଇଥାନ ପ୍ରକ୍ରିୟା। ରାସ୍ତା ଯିବା ପରେ ବଳକା ଥିବା ସ୍ଥାନରେ ଭେଣ୍ଡିଂ ଜୋନ୍‌ କରିବାକୁ ଅଧିକାରୀମାନେ ପଦକ୍ଷେପ ନେଇଥିଲେ। ଜଳାଶୟକୁ ସମ୍ପୂର୍ଣ୍ଣ ଭାବେ ପୋତିବା ସହ ସେଠାରେ ୩୦ଟି ଦୋକାନଘର କରି ରାସ୍ତାପାର୍ଶ୍ବ ବେପାରୀଙ୍କୁ ଦେବାକୁ ନିଷ୍ପତ୍ତି ହୋଇଥିଲା। ଇତିମଧ୍ୟରେ ଭେଣ୍ଡିଂ ଜୋନ୍‌ ନିର୍ମାଣକୁ ତିନିବର୍ଷ ବିତିଯାଇଥିଲେ ମଧ୍ୟ ଆବଣ୍ଟନ କରାଯାଇପାରୁ ନାହିଁ।

ପାଣିରେ ପଡ଼ିଲା ଦୁଇ କୋଟି ଟଙ୍କା
‌ଦୋକାନ ଅପେକ୍ଷାରେ କ୍ଷତିଗସ୍ତ ଦୋକାନୀ
ଆବଣ୍ଟନରେ ଦଲାଲ୍‌ଙ୍କ ହସ୍ତ‌କ୍ଷେପ

ଭେଣ୍ଡିଂ ଜୋନ୍‌ ଖୋଲିବା ବିଳମ୍ବ ହେଉଥିବାରୁ ଏବେ ସେଠାରେ ଅସାମାଜିକଙ୍କ ଆଡ଼ା ଜମୁଛି। ରକ୍ଷଣାବେକ୍ଷଣା ଅଭାବରୁ ଭେଣ୍ଡିଂ ଜୋନ୍‌ ନିକଟରେ ଗଛଲତା ମାଡ଼ିଗଲାଣି। ପେଭର୍‌ ବ୍ଲକ୍‌ ବି ଉଠିଗଲାଣି। ଭେଣ୍ଡିଂ ଜୋନ୍‌ ଉପରେ ‘ସବୁଜ ସୁନ୍ଦର ସହର ଆମ ଭୁବନେଶ୍ବର’ ବାର୍ତ୍ତା ଲେଖାଯାଇଥିବା ବେଳେ ତା’ତଳେ ଆବର୍ଜନା ଜମା ହୋଇଛି। କେବଳ ସେତିକି ନୁହେଁ, କିଛି ଅସାମାଜିକ ଏହା ଭିତରେ ଘର କଲେଣି। ଭେଣ୍ଡିଂ ଜୋନ୍‌ ତାଲା ଭାଙ୍ଗି ଭିତରେ ରହିବା ସହ ଚଳପ୍ରଚଳ କରୁଛନ୍ତି। ଭେଣ୍ଡିଂ ଜୋନ୍‌ ପାଚେରିରେ ଲାଗିଥିବା ଲୁହା ଗ୍ରିଲ୍‌ଗୁଡ଼ିକୁ ଇତିମଧ୍ୟରେ ତାଡ଼ି ନିଆଯାଇ ଥିବା ଦେଖିବାକୁ ମିଳିଛି। ପାଖାପାଖି ବର୍ଷେ ହେଲା ଏଭଳି ସମସ୍ୟା ହୋଇଥିଲେ ମଧ୍ୟ କେହି ମୁହଁ ଖୋଲୁ ନାହାନ୍ତି।

ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଭାଗବଣ୍ଟା ଛିଣ୍ଡୁ ନ ଥିବାରୁ ଭେଣ୍ଡିଂ ଜୋନ୍‌ ଆବଣ୍ଟନ କରାଯାଉନାହିଁ। ବିଜେଡି ସରକାରଙ୍କ ସମୟରେ ଏହି ପ୍ରକଳ୍ପ କାମ ଶେଷ ହୋଇଥିଲା। ଯେଉଁମାନଙ୍କ ଦୋକାନ ଭଙ୍ଗାଯାଇ ଥଇଥାନ କରାଯାଇଥିଲା ତାହାକୁ ତାଲିକା ପ୍ରସ୍ତୁତ ହୋଇଥିଲା। ମାତ୍ର ଏବେ ଦେଖାଯାଉଛି ଯେ ଯେଉଁମାନେ ଯୋଗ୍ୟ ସେମାନଙ୍କୁ ଦିଆ ନଯାଇ ବାହାର ଲୋକଙ୍କୁ ସାମିଲ କରିବାକୁ ବିଏମ୍‌ସି ପକ୍ଷରୁ ଉଦ୍ୟମ ହେଉଛି। କେତେଜଣ ଦଲାଲ୍‌ ଭେଣ୍ଡିଂ ଜୋନ୍‌ ଆବଣ୍ଟନରେ ହସ୍ତକ୍ଷେପ କରିବା ସହ ଅର୍ଥ ନେଇ ଅଯୋଗ୍ୟ ହିତାଧିକାରୀଙ୍କୁ ଦେବାକୁ ଚାପ ପକାଉଛନ୍ତି, ଯାହାକୁ ନେଇ ବିବାଦ ମୁଣ୍ଡ ଟେକିଛି।

ବିଏମ୍‌ସି ୮ ନମ୍ବର ୱାର୍ଡ କର୍ପୋରେଟର ଲାଲ୍‌ମୋହନ ଟୁଡୁ କହିଛନ୍ତି ଯେ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କାମ ଶେଷ ହୋଇଥିଲା। ଯୋଗ୍ୟ ବ୍ୟବସାୟୀଙ୍କୁ ଆବଣ୍ଟନ କରଯାଉ ନଥିବାରୁ ଭେଣ୍ଡିଂ ଜୋନ୍‌ ଅବସ୍ଥା ବହୁତ ଖରାପ ହୋଇଗଲାଣି। କର୍ପୋରେଟରଙ୍କ ଅଗୋଚରରେ ବିଏମ୍‌ସି ପକ୍ଷରୁ ଆବଣ୍ଟନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବା ସୂଚନା ମିଳିଛି। ଠିକ୍‌ ହିତାଧିକାରୀଙ୍କୁ ଦୋକାନ ଘର ନ ମିଳିଲେ ଆନ୍ଦୋଳନ ପନ୍ଥା ଆପଣାଯିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe