ବଢ଼ୁଛି ନୀଳାଦ୍ରିବିହାରବାସୀଙ୍କ ଦୁଃଖ

Advertisment

ଏପର୍ଯ୍ୟନ୍ତ ହୋଇପାରିନି କଲ୍ୟାଣ ମଣ୍ଡପ, ଅବରୋଧ ହେଉଛି କଲୋନି ରାସ୍ତା

ଏପର୍ଯ୍ୟନ୍ତ ହୋଇପାରିନି କଲ୍ୟାଣ ମଣ୍ଡପ, ଅବରୋଧ ହେଉଛି କଲୋନି ରାସ୍ତା

ବଢ଼ୁଛି ନୀଳାଦ୍ରିବିହାରବାସୀଙ୍କ ଦୁଃଖ

ଚନ୍ଦ୍ରଶେଖରପୁର: ବଢ଼ୁଛି ସହରର କଳେବର। ଗୋଟିଏ ପରେ ଗୋଟିଏ ଅଞ୍ଚଳର ବିକାଶ ହେଉଥିଲେ ବି ଲୋକଙ୍କୁ ମିଳିପାରୁନି ପର୍ଯ୍ୟାପ୍ତ ସୁବିଧା। କେଉଁଠି ରାସ୍ତା ସମସ୍ୟା ତ ଆଉ କେଉଁଠି କମ୍ୟୁନିଟି ସେଣ୍ଟର ନ ଥିବାରୁ ଲୋକଙ୍କ ଦୁଃଖ ବଢ଼ୁଛି। ଏଭଳି ଏକ ଅଞ୍ଚଳ ହେଉଛି ନୀଳାଦ୍ରିବିହାର। ୫ ହଜାରରୁ ଅଧିକ ଲୋକ ଏହି ଅଞ୍ଚଳରେ ବସବାସ କରୁଥିଲେ ମଧ୍ୟ ‌ସେମାନଙ୍କୁ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧା ମିଳିପାରିନି। ବିଏମ୍‌ସି ନିର୍ବାଚନ ସମୟରେ ଆଶାୟୀ କର୍ପୋରେଟର୍‌ ପ୍ରାର୍ଥୀମାନେ ବିଭିନ୍ନ ପ୍ରତିଶ୍ରୁତି ଦେଉଥିଲେ ମଧ୍ୟ ତାହାକୁ ପୂରଣ କରିବାକୁ ସେମାନେ ଭୁଲି ଯାଉଛନ୍ତି। ଯେଉଁଥିପାଇଁ ଏବେ ନୀଳାଦ୍ରିବିହାର ବରିଷ୍ଠ ନାଗରିକଙ୍କ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ଚନ୍ଦ୍ରଶେଖରପୁର ପେଟ୍ରୋଲ ଟାଙ୍କି ନିକଟରୁ ନୀଳାଦ୍ରିବିହାର କଲୋନିଗୁଡ଼ିକୁ ସଂଯୋଗ କରୁଥିବା ରାସ୍ତା ସମସ୍ୟା ଦିନକୁ ଦିନ ଜଟିଳ ହେଉଛି। ଏଟିଏମ୍‌ ଛକରୁ ଆଗକୁ ଓ ତଳ ପାର୍ଶ୍ବରେ ଦୁଇଟି ରାସ୍ତା କଲୋନି ଭିତରକୁ ଯାଇଛି। ଏହି ରାସ୍ତାର ଦୁଇ ପାର୍ଶ୍ବକୁ ଏବେ ଅବରୋଧ କରାଯାଇଛି। ଯେଉଁଥିପାଇଁ ଗୋଟିଏ ୪ ଚକିଆ ଗାଡ଼ି ଗଲେ ଆଉ ଗୋଟିଏ ଗାଡ଼ି ଯିବା କଷ୍ଟକର ହୋଇପଡ଼ୁଛି। ‌କଲୋନିରେ ରହୁଥିବା ଲୋକେ ବି ଘରୁ ବାହାରିବା ସମୟରେ ବିଭିନ୍ନ ସମସ୍ୟାରେ ପଡ଼ୁଛନ୍ତି। ରାସ୍ତା ଅବରୋଧ ହଟାଯାଇ ତାକୁ ଚଉଡ଼ା କରିବାକୁ ନୀଳାଦ୍ରିବିହାର ବରିଷ୍ଠ ନାଗରିକ କଲ୍ୟାଣ ସଂଘର ସାଧାରଣ ସମ୍ପାଦକ ଡମ୍ବରୁଧର ନାୟକ ଦାବି କରିଛନ୍ତି।

ଏହି ଅଞ୍ଚଳରେ ୫ ହଜାରରୁ ଅଧିକ ଲୋକ ବାସ କରୁଥିଲେ ମଧ୍ୟ ସଭା ସମିତି କରିବା ପାଇଁ କଲ୍ୟାଣ ମଣ୍ଡପଟିଏ ନାହିଁ। ଯେଉଁଥିପାଇଁ ଏଠାକାର ଲୋକଙ୍କୁ ବାହାର ୱାର୍ଡର ମଣ୍ଡପ ଉପରେ ନିର୍ଭର କରିବାକୁ ହେଉଛି। ଘରୋଇ ମଣ୍ଡପଗୁଡ଼ିକ ମଧ୍ୟ ଚଢ଼ା ଦର ନେଉଛନ୍ତି। ଦୀର୍ଘବର୍ଷ ଧରି ଏହି ସମସ୍ୟା ଲାଗି ରହିଥିଲେ ମଧ୍ୟ ସେଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି। ଲୋକମାନେ ଏନେଇ ବାରମ୍ବାର ବିଏମ୍‌ସି ଓ ବିଡିଏ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ତଥାପି କିଛି ଫଳ ମିଳିନି। ଅନ୍ୟପକ୍ଷରେ ନୀଳାଦ୍ରିବିହାର ଅଞ୍ଚଳରେ ଖାଲି ପଡ଼ିଥିବା ସରକାରୀ ଜମିକୁ ଏବେ ଜବରଦଖଲ କରାଯାଉଛି। କେତେକ ସ୍ଥାନରେ ଜାଗାକୁ ଭଡ଼ା ଆକାରରେ ଦେଇ କେତେକ ‌ବ୍ୟକ୍ତି ଅର୍ଥ ରୋଜଗାର କରୁଛନ୍ତି। ଶ୍ରୀ ଦାସଙ୍କ କହିବାନୁଯାୟୀ ଏହି ଅଞ୍ଚଳରେ ଥିବା କଲୋନିଗୁଡ଼ିକୁ କୌଣସି ଟାଉନ୍‌ ବସ୍‌ ଚଳାଚଳ କରୁନାହିଁ। ଫଳରେ ‌ଲୋକେ ଅଫିସ, ମାର୍କେଟ୍‌, ମେଡିକାଲ ଯିବା ପାଇଁ ଅଟୋରେ ଅଧିକ ଅର୍ଥ ଦେଇ ଯାତାୟାତ କରୁଛନ୍ତି। ଏପର୍ଯ୍ୟନ୍ତ ନୀଳାଦ୍ରିବିହାରରେ ଗୋଟିଏ ବି ମାର୍କେଟ୍‌ କମ୍ପ୍ଲେକ୍ସ ହୋଇପାରି ନାହିଁ। ଫଳରେ ଲୋକଙ୍କୁ ୫ରୁ ୧୦ କିମି ପର୍ଯ୍ୟନ୍ତ ଯାଇ ବଜାର କରିବାକୁ ପଡ଼ୁଛି। ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି। ସେହିପରି ଡଷ୍ଟବିନ୍‌ଗୁଡ଼ିକ ଠିକ୍‌ ନଥିବାରୁ ଅଳିଆ ଆବର୍ଜନା ବାହାରେ ପଡ଼ି ରହୁଛି। ଦିନେ ଦିନେ ମଧ୍ୟାହ୍ନ ପର୍ଯ୍ୟନ୍ତ ବି ଅଳିଆ ଉଠୁନଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe