ନିମାଇଁ ହରିଚନ୍ଦନଙ୍କ ଜୟନ୍ତୀ : ବୋହୂ ଚାଲି ନ ଜାଣଇ ଲୋ...

ନିମାଇଁ ହରିଚନ୍ଦନଙ୍କ ଜୟନ୍ତୀ : ବୋହୂ ଚାଲି ନ ଜାଣଇ ଲୋ...

ଭୁବନେଶ୍ୱର : ଆହେ ଦୀନବନ୍ଧୁ ଏବେ ବନ୍ଧୁପଣ ଜଣା ପଡ଼ିଲା..., ବୋହୂ ଚାଲି ନ ଜାଣଇ ଲୋ..., ପଥର ହେଲ ହେ ପ୍ରଭୁ...। ବିଗତ ଦିନର ଏହି ଲୋକପ୍ରିୟ ଗୀତଗୁଡ଼ିକୁ କଣ୍ଠଶିଳ୍ପୀମାନେ ପରିବେଷଣ କରିଥିଲେ ଜୟଦେବ ଭବନ ମଞ୍ଚରେ। ଶ୍ରୋତାମାନେ ବି ଦୀର୍ଘ ସମୟ ଧରି ବିଭୋର ହେଇଥିଲେ। ଆଉ ଏହି ଗୀତର ତାଳେ ତାଳେ ସମସ୍ତେ ମନପକଉଥିଲେ ପଦ୍ମଶ୍ରୀ ବାଣୀକଣ୍ଠ ନିମାଇଁ ହରିଚନ୍ଦନଙ୍କୁ। ଅବସର ଥିଲା ବାଣୀକଣ୍ଠଙ୍କ ୧୧୭ତମ ଜୟନ୍ତୀ ଉପଲକ୍ଷେ ସ୍ୱତନ୍ତ୍ର ସଙ୍ଗୀତ କାର୍ଯ୍ୟକ୍ରମ ‘ବନ୍ଦଇ ବାଣୀକଣ୍ଠ’।

ସଂଭାବନା ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଙ୍ଗୀତ ଶିଳ୍ପୀ ଦୁଃଖୀଶ୍ୟାମ ତ୍ରିପାଠୀ ଗାଇଥିଲେ ଚକାଡୋଳା କିମ୍ପା ଡକା..., ରେ ମନ ବାଇ ଅରୁଣ ସ୍ତମ୍ଭ ପାଶେ ଥାଉ...। ଛନ୍ଦା ମିଶ୍ର ଗାଇଥିଲେ ଜାନକୀ କାନ୍ତଙ୍କୁ ଚାହଁ ଯେ...। ସିଦ୍ଧାନ୍ତ ଶତପଥୀ, କୃଷ୍ଣଚନ୍ଦ୍ର ସାହୁ, ଶିବାନନ୍ଦ ତ୍ରିପାଠୀ ଓ ସତ୍ୟ ସାର୍ଥକ ପ୍ରମୁଖ କଣ୍ଠଶିଳ୍ପୀ ବାଣୀକଣ୍ଠଙ୍କ ସଙ୍ଗୀତ ପରିବେଷଣ କରିଥିଲେ।

ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ରର ନିର୍ଦ୍ଦେଶକ ନୀଳାଦ୍ରି ମୋହନ ଶତପଥୀ, କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମିର ସଚିବ ଅଧ୍ୟାପକ ବିଜୟ କୁମାର ଜେନା ଓ ପ୍ରଣୟ କିଶୋର ହରିଚନ୍ଦନ ପ୍ରମୁଖ ଯୋଗଦେଇଥିଲେ। ଅନୁଷ୍ଠାନର ପରିଚାଳନା ଟ୍ରଷ୍ଟି ଦେବ ପ୍ରସାଦ ପରିଜା ଓ ଟ୍ରଷ୍ଟି ସ୍ମୃତି ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଂଭାବନାର ସଭ୍ୟ ସତ୍ୟବ୍ରତ ମହାପାତ୍ର, ପ୍ରଫୁଲ୍ଲ ଦେ, ଗୁରୁ ପ୍ରସାଦ ଦାସ ଓ ରାଜଶ୍ରୀ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe