କଟକଣା କଡ଼ାକଡ଼ି କଲା ବିଏମ୍‌ସି: ନାଇନ୍‌ଥ ଷ୍ଟ୍ରିଟ୍‌ ବଂକ୍ବେଟ୍‌ ହଲ୍‌ ସିଲ୍‌

Advertisment
କଟକଣା କଡ଼ାକଡ଼ି କଲା ବିଏମ୍‌ସି: ନାଇନ୍‌ଥ ଷ୍ଟ୍ରିଟ୍‌ ବଂକ୍ବେଟ୍‌ ହଲ୍‌ ସିଲ୍‌

ବିନା ଅନୁମତିରେ ଚାଲିଥିଲା ଦାଣ୍ଡିଆ ନୃତ୍ୟ
ବିସର୍ଜନ ପାଇଁ ତିଆରି ହେଉଛି ସ୍ବତନ୍ତ୍ର ପୋଖରୀ

ଭୁବନେଶ୍ବର : ଦୁର୍ଗାପୂଜାରେ କୋଭିଡ୍‌ କଟକଣା କଡ଼ାକଡ଼ି କରିବା ପାଇଁ ବିଏମ୍‌ସି ୬ଟି ଟିମ୍‌ ଗଠନ କରିଛି। ରାଜଧାନୀର ୩ଟି ଜୋନ୍‌ରେ ଏହି ଟିମ୍‌ ବୁଲି ଅମାନିଆଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆରମ୍ଭ କରିଛି। ଆଜି ନିକୋ ପାର୍କ ନିକଟରେ ଥିବା ନାଇନ୍‌ଥ ଷ୍ଟ୍ରିଟ୍‌ ବଂକ୍ବେଟ୍‌ ହଲ୍‌କୁ ସିଲ୍‌ କରାଯାଇଛି। ସେଠାରେ ବିଏମ୍‌ସିର ବିନା ଅନୁମତିରେ ଦାଣ୍ଡିଆ ନୃତ୍ୟ ଚାଲିଥିଲା। ଆସନ୍ତାକାଲି ମଧ୍ୟ ଏହି କାର୍ଯ୍ୟକ୍ରମ ରହିଥିଲା। ଏଥିପାଇଁ ସୋସିଆଲ୍‌ ମିଡିଆରେ ଟିକେଟ୍‌ ବୁକିଂ ପାଇଁ ବିଜ୍ଞାପନ ଦିଆଯାଇ ଜଣପିଛା ୬୪୯ ଟଙ୍କା ଆଦାୟ କରାଯାଉଥିଲା। ଏଭଳି ବିଜ୍ଞାପନକୁ ଦେଖି ବିଏମ୍‌ସି କର୍ତ୍ତୃପକ୍ଷ ଏହି ନୃତ୍ୟ ଆୟୋଜନ ବିଷୟରେ ଜାଣିବାକୁ ପାଇଥିଲେ। କମିସନର ସଞ୍ଜୟ ସିଂହଙ୍କ ନିର୍ଦ୍ଦେଶ କ୍ରମେ ଦକ୍ଷିଣପୂର୍ବ ଜୋନ୍‌ ଏନ୍‌ଫୋର୍ସମେଣ୍ଟ ସ୍କ୍ବାଡ୍‌ ଚଢ଼ଉ କରି ଏହାର ବଂକ୍ବେଟ୍‌ ହଲ୍‌କୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍‌ କରିଥିଲା।

ଏ ନେଇ ବିଏମ୍‌ସି କମିସନର ସଞ୍ଜୟ ସିଂହ କହିଛନ୍ତି, କୋଭିଡ୍‌ ଗାଇଡ୍‌ଲାଇନ୍‌ ଉଲ୍ଲଂଘନରେ କୌଣସି ପ୍ରକାରର କ୍ଷମା ନାହିଁ। ପାର୍ବଣ ସମୟରେ କୌଣସି ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ। ଏଥିପାଇଁ ସ୍ବତନ୍ତ୍ର ଟିମ୍‌ ସହରସାରା ବୁଲି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। କେଉଁଠି କଟକଣା ଉଲ୍ଲଂଘନ ହେଉଥିଲେ ଯେ କୌଣସି ଲୋକ ଅଭିଯୋଗ କରିପାରିବେ। ସେମାନଙ୍କର ପରିଚୟ ଗୋପନ ରଖାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେହିଭଳି ବିସର୍ଜନ ପାଇଁ ବିଏମ୍‌ସି ସ୍ବତନ୍ତ୍ର ପୋଖରୀ ତିଆରି କରୁଛି। ଏହି ସବୁ ସ୍ବତନ୍ତ୍ର ପୋଖରୀ ବିନା ଅନ୍ୟ ସ୍ଥାନରେ ବିସର୍ଜନ କଲେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ତେବେ ପୁଲିସର ଚଢ଼ଉ ଓ ବିଏମ୍‌ସିର ବାରମ୍ବାର ଚେତାବନୀ ସତ୍ତ୍ବେ ଦୁର୍ଗାପୂଜା ପାଇଁ ତିନିଦିନ ହେଲା ସହରର ସବୁ ଦୋକାନ ଓ ମଲ୍‌ରେ ପ୍ରବଳ ଭିଡ଼ ହେଉଛି। ସନ୍ଧ୍ୟାରେ ପରିସ୍ଥିତି ଅସମ୍ଭାଳ ହେଉଛି। ବିଶେଷ କରି ୟୁନିଟ୍‌-୨ ମାର୍କେଟ୍‌, ୟୁନିଟ୍‌-୧ ମାର୍କେଟ୍‌ ଲୁଗା ଦୋକାନରେ ପ୍ରବଳ ଭିଡ଼ ହେଉଛି। ନା ବ୍ୟବସାୟୀ ସଚେତନ ଅଛନ୍ତି ନା ଗ୍ରାହକ। ଅନେକ ଗ୍ରାହକ ବିନା ମାସ୍କରେ ମଧ୍ୟ ମାର୍କେଟିଂ କରୁଥିବା ପରିଲିକ୍ଷିତ ହୋଇଛି। ତା' ଛଡ଼ା ପରିବା ମାର୍କେଟ୍‌ରେ ମଧ୍ୟ ସକାଳୁ ପ୍ରବଳ ଭିଡ଼ ହେଉଛି। ଏହି ସବୁ ଜାଗାରେ ନା ‌ବିଏମ୍‌ସି ନା କମିସନରେଟ୍‌ ପୁଲିସ କେହି ଚଢ଼ଉ କରୁନଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe