ଅକ୍ଷର ଓ ସମ୍ବିଧାନ ସୁରକ୍ଷା ମଞ୍ଚରେ ନିରଞ୍ଜନ ଟକ୍‌ଲେ: କହିଲେ ‘ହୁ କିଲ୍‌ଡ ଜଜ୍ ଲୋୟା’ ପଛର କାହାଣୀ

Advertisment
ଅକ୍ଷର ଓ ସମ୍ବିଧାନ ସୁରକ୍ଷା ମଞ୍ଚରେ ନିରଞ୍ଜନ ଟକ୍‌ଲେ: କହିଲେ ‘ହୁ କିଲ୍‌ଡ ଜଜ୍ ଲୋୟା’ ପଛର କାହାଣୀ

ଭୁବନେଶ୍ବର: ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ସମ୍ପ୍ରତି ନିଜର ଦାୟିତ୍ବ ଓ କର୍ତ୍ତବ୍ୟ ସୂଚାରୁରୂପେ ସମ୍ପାଦନ କରୁନାହିଁ। କିଛି ସଂସ୍ଥାକୁ ବାଦ୍‌ ଦେଲେ ବହୁ ସଂସ୍ଥା ସତ୍ତା ଓ କ୍ଷମତାଶାଳୀ ବ୍ୟକ୍ତିଙ୍କ ଦ୍ବାରା ପରିଚାଳିତ। ଫଳରେ ପ୍ରକୃତ ସତ୍ୟ ଉନ୍ମୋଚନ ହୋଇପାରୁନାହିଁ କି ଖଳନାୟକଙ୍କ ମୁଖା ଖୋଲୁନାହିଁ। ଅସହାୟ ନ୍ୟାୟ ପାଉନାହିଁ। ବିନା ଚାପର ବଶବର୍ତ୍ତୀ ହୋଇ ଗଣମାଧ୍ୟମ ଅସହାୟଙ୍କ ପାଇଁ କାମ କରିବା ଉଚିତ। ଖଳନାୟକଙ୍କ ମୁଖା ଖୋଲି ପ୍ରକୃତ ସତ୍ୟର ପର୍ଦ୍ଦାଫାସ କରିବା ଉଚିତ। ନଚେତ ଦେଶରେ ଅରାଜକତା ବଢ଼ିବ। ଭବିଷ୍ୟତ ପିଢ଼ି ଉପରେ ଏହାର କୁପ୍ରଭାବ ପଡ଼ିବ। ଆଜି ଅକ୍ଷର ଓ ସମ୍ବିଧାନ ସୁରକ୍ଷା ମଞ୍ଚ ପକ୍ଷରୁ ‘ଆସନ୍ତୁ ଶୁଣିବା ନିରଞ୍ଜନ ଟକ୍‌ଲେଙ୍କୁ’ କାର୍ଯ୍ୟକ୍ରମରେ ଏଭଳି କହିଛନ୍ତି ମୁମ୍ବାଇର ବରିଷ୍ଠ ସାମ୍ବାଦିକ ନିରଞ୍ଜନ ଟକ୍‌ଲେ।

ପ୍ରେସ୍‌ କ୍ଲବ୍‌ ଓଡ଼ିଶା ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଶ୍ରୀ ଟକ୍‌ଲେ ସାମ୍ପ୍ରତିକ ପରିସ୍ଥିତିରେ ଗଣମାଧ୍ୟମର ଦାୟିତ୍ବ ଉପରେ ଆଲୋକପାତ କରିଥିଲେ। ବିଚାରପତି ବ୍ରିଜ୍‌ଗୋପାଳ ହରକିଶନ୍‌ ଲୋୟାଙ୍କ ରହସ୍ୟମୟ ମୃତ୍ୟୁକୁ ନେଇ ସେ ଲେଖିଥିବା ପୁସ୍ତକ ‘ହୁ କିଲ୍‌ଡ ଜଜ୍‌ ଲୋୟା’ ସମ୍ପର୍କରେ ସେ ବିସ୍ତୃତ ଆଲୋଚନା କରିଥିଲେ। ସେ ନିଜେ ଜଜ୍‌ ଲୋୟାଙ୍କ ମୃତ୍ୟୁକୁ ନେଇ ଅନୁସନ୍ଧାନ କରିବା ପରେ ତାଙ୍କୁ ହତ୍ୟା କରାଯାଇଛି ବୋଲି ପ୍ରମାଣ ପାଇଥିଲେ। ସେ ଏହି ପୁସ୍ତକରେ ଜଷ୍ଟିସ୍‌ ଲୋୟାଙ୍କ ହତ୍ୟାର ପର୍ଦ୍ଦାଫାସ କରିଛନ୍ତି। ଶବ ବ୍ୟବଚ୍ଛେଦ ରିପୋର୍ଟ, ପରିବାର ଲୋକଙ୍କ ଅଭିଯୋଗ ଏବଂ ଆହୁରି ଅନେକ ବଳିଷ୍ଠ ପ୍ରମାଣ ଉକ୍ତ ପୁସ୍ତକରେ ଦିଆଯାଇଛି। ସେହି ସମୟରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମୃତ୍ୟୁର ଯାଞ୍ଚ କରାଯାଇଥିଲା। ହେଲେ ଏବେ ଜଣେ ବିଚାରପତିଙ୍କ ମୃତ୍ୟୁର ଯାଞ୍ଚ କରାଗଲା ନାହିଁ। ଏହି ପୁସ୍ତକ ଲେଖିବା ପାଇଁ ‌ଶ୍ରୀ ଟକ୍‌ଲେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିବା କହିଥିଲେ। ଅନୁସନ୍ଧାନ ବେଳେ ତାଙ୍କୁ ଧମକ ଦିଆଯାଇଥିଲା ଓ ମାରି ଦେବାକୁ ବି ଉଦ୍ୟମ କରାଯାଇଥିଲା। ତେଣୁ ସେ ପ୍ରତିଦିନ ଅଲଗା ଅଲଗା ହୋଟେଲ୍‌ରେ ଛଦ୍ମ ନାମରେ ରହୁଥିଲେ। ବାହାରକୁ ଗଲେ ଏକାଧିକ ଗାଡ଼ି ବଦଳାଉଥିଲେ। ବଡ଼ କଥା ହେଉଛି, ଏହି ପୁସ୍ତକ ପ୍ରକାଶନ ପାଇଁ କୌଣସି ପ୍ରକାଶନ ସଂସ୍ଥା ରାଜି ହୋଇନଥିଲେ। ଏମିତିକି ନିଜସ୍ବ ପ୍ରକାଶନ ସଂସ୍ଥାକୁ ସ୍ବୀକୃତି ମିଳିବାକୁ ତାଙ୍କୁ ଗୋଟିଏ ବର୍ଷ ଅପେକ୍ଷା କରିବାକୁ ପଡ଼ିଥିଲା। ଶେଷରେ ପୁସ୍ତକ ପ୍ରକାଶ ପାଇଛି। ଅମୀୟ ପାଣ୍ଡବଙ୍କ ସଂଯୋଜନାରେ ଓ ଅଭିରାମ ମଲ୍ଲିକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସୟଦ୍‌ ତନ୍‌ବୀର, ସତୀଶ ମିଶ୍ର, ଅନିଲ ମଲ୍ଲିକ ପ୍ରମୁଖ ମଞ୍ଚରେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe