ବିଭାଗ ଭିତରେ ସମନ୍ବୟ ଅଭାବ, କେବେ ସରିବ ଜାଗମରା ରାସ୍ତା କାମ?

Advertisment
ବିଭାଗ ଭିତରେ ସମନ୍ବୟ ଅଭାବ, କେବେ ସରିବ ଜାଗମରା ରାସ୍ତା କାମ?

ଖଣ୍ଡଗିରି: ଦେଢ଼ ବର୍ଷ ବିତିସାରିଲାଣି। ତଥାପି ସରୁନି ରାସ୍ତା କାମ। ଗୋଟିଏ ରାସ୍ତାକୁ ବାରମ୍ବାର ବିଭିନ୍ନ ଯୋଜନାରେ ଖୋଳି ତାଡ଼ି ରାଜ୍ୟ ସରକାରଙ୍କ କୋଟି କୋଟି ଟଙ୍କା ବରବାଦ୍‌ କରାଯାଉଥିବା ବେଳେ ଲୋକ ସୁବିଧା ପାଉନାହାନ୍ତି। ଏଭଳି ସମସ୍ୟା ଦେଖା ଦେଇଛି ଜାଗମରା-ବରମୁଣ୍ଡା ୨ ଶହ ଫୁଟିଆ ରାସ୍ତାରେ। ୨୦୨୧ ମସିହା ମେ’ ମାସରୁ କାମ ଆରମ୍ଭ ହୋଇଛି ଯେ ଏପର୍ଯ୍ୟନ୍ତ ସରିବା ନାଁ ନେଉନାହିଁ।

୨୦୨୧ ମେ’ ମାସରେ ଅମୃତ ଯୋଜନାରେ ପାଣି ପାଇପ୍‌ ବିଛାଇବା କାମ ପାଇଁ ଏହି ରାସ୍ତାକୁ ଖୋଳି ଦିଆଗଲା। ୪ ମାସ କାଳ ରାସ୍ତା‌ ଖୋଳା ହୋଇପଡ଼ି ରହିଲା। ଫଳରେ ୨୦୦ ଫୁଟିଆ ରାସ୍ତାଟି ୫୦ ଫୁଟିଆ ଓସାର ହୋଇଗଲା। ଲୋକମାନେ ଯାତାୟାତରେ ନାହିଁ ନଥିବା ସମସ୍ୟା ଭୋଗିଲେ। ପ୍ରତିଦିନ ପୂର୍ବାହ୍ଣ ଓ ଅପରାହ୍ଣରେ ଏହି ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍ ହେଲା। ୪ ମାସର ଦୁଃଖ ଏବେ ଦେଢ଼ ବର୍ଷରେ ପହଞ୍ଚିଲାଣି। ଅମୃତ ଯୋଜନାରେ ପାଣି ପାଇପ୍ ବିଛା କାମ ସରିବା ପରେ ରାସ୍ତାରେ ‌ଖୋଳା ହୋଇଥିବା ଗାତକୁ ମାଟି ପକାଇ ପୋତି ଦିଆଗଲା। ତେବେ ରାସ୍ତାକୁ ପିଚୁ କରିବା ପୂର୍ବରୁ ପୁଣି ଥରେ ଖୋଳା ହେଲା।

ଗେଲ୍ ଇଣ୍ଡିଆ ତରଫରୁ ଗ୍ୟାସ୍ ପାଇପ୍ ବିଛାଇବା ପାଇଁ ପୁଣି ସେହି ରାସ୍ତାକୁ ଖୋଳି ଦିଆଗଲା ଓ ରାସ୍ତାକୁ ପୁଣି ବନ୍ଦ କରିଦିଆଗଲା। ଜାଗମରାରୁ ବରମୁଣ୍ଡାକୁ ଆସୁଥିବା ରାସ୍ତାକୁ ସବୁଜ ଜାଲି ଦେଇ ଦୁଇ ଭାଗରେ ବିଭକ୍ତ କରାଗଲା। ବରମୁଣ୍ଡାରୁ ଜାଗମରାକୁ ଆସୁଥିବା ରାସ୍ତାକୁ ଏହି ଗ୍ୟାସ୍‌ ପାଇପ୍‌ କାମ ପାଇଁ ସଂପୂର୍ଣ୍ଣ ବନ୍ଦ କରାଗଲା। ଗେଲ୍ ଇଣ୍ଡିଆ କାମ ସାରିବା ପରେ ଆରମ୍ଭ ହୋ‌ଇଛି ସ୍ବେରେଜ୍‌ କାମ। ଗତ ମେ’ ମାସରୁ ୱାଟ୍‌କୋ ତରଫରୁ ଏହି ରାସ୍ତାରେ ସ୍ଵେରେଜ୍ କାମ ଚାଲିଛି। ରାସ୍ତା ସେମିତି ବନ୍ଦ ହୋ‌ଇ ପଡ଼ିଛି। ବିପଜ୍ଜନକ ଅବସ୍ଥାରେ ସଂକୁଚିତ ରାସ୍ତାରେ ଯାତାୟାତ କରିବା ଯୋଗୁଁ ଏବେ ସ୍ଥାନୀୟ ବାସିନ୍ଦା ଓ ଗାଡ଼ି ଚାଳକଙ୍କ ଧୈର୍ଯ୍ୟ ଭାଙ୍ଗିବାକୁ ବସିଲାଣି। କାମ ସରୁନଥିବାରୁ ସ୍ଥାନୀୟ ବ୍ୟବସାୟୀ ଓ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରିଛନ୍ତି। ସ୍ଥାନୀୟ କ୍ରିଷ୍ଣା ଗାର୍ଡେନବାସୀଙ୍କ କହିବା କଥା ୧୦୦ରୁ ଅଧିକ ବ୍ୟବସାୟୀ ଗତ ଦେଢ଼ ବର୍ଷ ଭିତରେ ନିଜର ବ୍ୟବସାୟ ହରେଇଲେଣି। ରାସ୍ତା ପାଖକୁ ଲାଗିଥିବା ଆବାସିକ କଲୋନିରେ ରହୁଥିବା ଲୋକେ ବଡ଼ କଲବଲ ହେଉଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗ ମଧ୍ୟରେ ତାଳମେଳ ନ ରହିବା ଯୋଗୁଁ ଓ ସରକାରୀ ପଇସାକୁ ହରିଲୁଟ୍‌ କରିବାକୁ ଗୋଟିଏ ରାସ୍ତାକୁ ବାରମ୍ବାର ଖୋଳିତାଡ଼ି ବିଭିନ୍ନ କାମ କରାଯାଉଛି।

ଏନେଇ ବିଏମ୍‌ସି ୫୦ ନମ୍ବର ୱାର୍ଡ କର୍ପୋରେଟର ରାମଚନ୍ଦ୍ର ରଣସିଂହଙ୍କ କହିବା କଥା ୱାଟ୍‌କୋ ତରଫରୁ କରାଯାଉଥିବା ଏହି କାମ ପାଇଁ କେତେ ଟଙ୍କା ଖର୍ଚ୍ଚ ହେଉଛି, କେବେ ସରିବ, ସେନେଇ କୌଣସି ତଥ୍ୟ ଦିଆଯାଉନାହିଁ। ତେବେ ଏନେଇ ୱାଟ୍‌କୋ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଭରତ ଚନ୍ଦ୍ର ଦଳାଇ କହିଛନ୍ତି ଯେ ବର୍ଷା ପାଇଁ କାମ ବିଳମ୍ବ ହେଉଛି। ସେପ୍ଟେମ୍ବର ସୁଦ୍ଧା ସରିଯିବ। ଏନେଇ ପୂର୍ତ୍ତ ବିଭାଗକୁ ଯୋଗାଯୋଗ କରାଯାଇଥିଲେ ବି କୌଣସି ଉତ୍ତର ମିଳିପାରିନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe