ରଣପୁର ଗ୍ରାମ୍ୟ ଜଙ୍ଗଲରେ ଲାଗିଲା ପ୍ରବେଶ ନିଷେଧ ଫଳକ

ରଣପୁର ଗ୍ରାମ୍ୟ ଜଙ୍ଗଲରେ ଲାଗିଲା ପ୍ରବେଶ ନିଷେଧ ଫଳକ

ବାଲିଅନ୍ତା: ସ୍ଥାନୀୟ ସରକଣା ପଞ୍ଚାୟତ ଅଧୀନ ରଣପୁର ଗ୍ରାମ୍ୟ ଜଙ୍ଗଲ ଭିତରେ ଗଛକାଟି ଜଣେ ବିଲ୍ଡର ପ୍ଲଟିଂ ସ୍କିମକୁ ଯାତାୟାତ ପାଇଁ କରିଥିବା ରାସ୍ତାକୁ ଆଜି ଜବରଦଖଲମୁକ୍ତ କରାଯାଇଛି। ବାଲିଅନ୍ତା ତହସିଲଦାର ସମୀର ଦାଶଙ୍କ ନିର୍ଦ୍ଦେଶରେ ବ୍ରାହ୍ମଣଷଡ଼ଙ୍ଗୀ ରାଜସ୍ବ ନିରୀକ୍ଷକ ସାରଦା ପ୍ରସନ୍ନ ପତି, ରାଜସ୍ବ ନିରୀକ୍ଷକ ଦିଲ୍ଲୀପ କୁମାର ରାଉଳ ଏବଂ ସ୍ଥାନୀୟ ସରପଞ୍ଚ ବିଷ୍ଣୁପ୍ରିୟା ସାହୁଙ୍କ ଉପସ୍ଥିତିରେ ଜବରଦଖଲ ଉଚ୍ଛେଦ କରାଯାଇଥିଲା। ପ୍ରଶାସନ ପକ୍ଷରୁ ଜଙ୍ଗଲ ଭିତର ପ୍ରବେଶ ପଥରେ ଏହା ରାଜ୍ୟ ସରକାରଙ୍କ ସମ୍ପତ୍ତି ଏବଂ ଅନଧିକାର ପ୍ରବେଶ ଦଣ୍ଡନୀୟ ଲେଖା ଫଲକ ଲଗାଯାଇଥିଲା। ପ୍ରକୃତି ବନ୍ଧୁ ଦୀନବନ୍ଧୁ ଭୋଇ, ପ୍ରକୃତିବନ୍ଧୁ ନିରଞ୍ଜନ ସେନାପତି, ଜଙ୍ଗଲ ସୁରକ୍ଷା କମିଟି ମୁଖ୍ୟ ପ୍ରଶାନ୍ତ ପରିଡ଼ା ଓ ପ୍ରଦୀପ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ। ଜେସିବି ସାହଯ୍ୟରେ ଜଙ୍ଗଲ ଭିତରେ ରାସ୍ଥାର ୩ଟି ସ୍ଥାନରେ ଗର୍ତ୍ତ କରି ରାସ୍ତା ବିଚ୍ଛିନ୍ନ କରାଯାଇଥିଲା। ହେଲେ ବିଲ୍ଡର ଜମିର ଗୋଟିଏ ପାର୍ଶ୍ବରେ ସରକାରୀ ଜମିରେ ଲଗାଇଥିବା ଲୁହାଗେଟ୍‌କୁ କିନ୍ତୁ ହଟା ଯାଇନଥିଲା।

ସୂଚନାଯୋଗ୍ୟ ଉକ୍ତ ବିଲ୍ଡର ଜଣକ ଜୋରଜବରଦସ୍ତି ଜଙ୍ଗଲ ଭିତରେ ପ୍ଲଟିଂ ସ୍କିମକୁ ରାସ୍ତା ନେଇଥିବା ସଂପର୍କରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରସାରଣ ହେବା ପରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ପୂର୍ବରୁ ଅନୁରୂପ ଭାବେ ରାସ୍ତା ଉଚ୍ଛେଦ କରାଯାଇଥିଲେ ହେଁ ବିଲ୍ଡର ମାଟି ପୋତି ଦେଇଥିଲେ। ଏଥରକ ଯଦି ବିଲ୍ଡର ଆଇନ ଉଲ୍ଲଂଘନ କରି ଫଳକ ଭାଙ୍ଗନ୍ତି କି ମାଟି ପୋତନ୍ତି ତାଙ୍କ ବିରୋଧରେ ମାମଲା ରୁଜୁ ହେବ ବୋଲି ତହସିଲଦାର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe