ଆୟ ନାହିଁ, ଖର୍ଚ୍ଚ କେମିତି ହେବ: ବିଏମ୍‌ସିର ୭୦୧କୋଟି ଖର୍ଚ୍ଚ ଯୋଜନା, ଆୟ ୪କୋଟି

Advertisment
ଆହାର ପାଇଁ ଦାତା ଖୋଜୁଛି ବିଏମ୍‌ସି

ଭୁବନେଶ୍ବର: ମାର୍ଚ୍ଚ ମାସରୁ ରାଜ୍ୟରେ ଦେଖା ଦେଇଥିବା କରୋନା‌େର ‌ବହୁ ଲୋକ ରୋଜଗାରଶୂନ୍ୟ ହୋଇଯାଇଛନ୍ତି। ଯିଏ ଯେମିତି ଖର୍ଚ୍ଚ କରିବେ ବୋଲି ଯୋଜନା କରିଥିଲେ ତାହା କରିପାରୁନାହାନ୍ତିି। ସାଧାରଣ ଲୋକଙ୍କର ଯାହା ଅବସ୍ଥା ବିଏମ୍‌ସିର ବି ସମାନ ଅବସ୍ଥା। ଲୋକଙ୍କଠାରୁ ଟିକସ, ନିଜ ଜମା ଟଙ୍କାର ସୁଧ, ବିଭିନ୍ନ ସମ୍ପତ୍ତିରୁ ଭଡ଼ା ଏବଂ ରାଜ୍ୟ ସରକାରଙ୍କ ଅନୁଦାନ ହିଁ ବିଏମ୍‌ସିର ଆୟ। ହେଲେ ଚଳିତ ଆର୍ଥିକ ବର୍ଷରେ କରୋନା ମାଡ଼ରେ ଆୟ ନଥିବାରୁ ବିଏମ୍‌ସିକୁ ବ୍ୟୟ ଚିନ୍ତା ଘାରିଲାଣି। ଚଳିତବର୍ଷ ବିଏମ୍‌ସି ରାଜଧାନୀରେ ବହୁ ପ୍ରକଳ୍ପ କରିବାକୁ ଯୋଜନା କରିଥିଲା। ଡ୍ରେନ୍‌, ରାସ୍ତା‌, ଷ୍ଟ୍ରିଟଲାଇଟ୍‌ରୁ ଆରମ୍ଭ କରି କମ୍ପୋଷ୍ଟ ପ୍ଲାଣ୍ଟ ପର୍ଯ୍ୟନ୍ତ ବହୁ କାମ ହୋଇଥା’ନ୍ତା। ବିଏମ୍‌ସି ନିଜର ଆନୁଷଙ୍ଗିକ ଓ ନିୟମିତ ଖର୍ଚ୍ଚକୁ ମିଶାଇ ଚଳିତ ଆର୍ଥିକ ବର୍ଷରେ ବିଭିନ୍ନ ପ୍ରକଳ୍ପ ବାବଦକୁ ୭୦୧ କୋଟି ୩୬ଲକ୍ଷ ୧୮ହଜାର ୨୨୬ଟଙ୍କା ଖର୍ଚ୍ଚ କରିଥା’ନ୍ତା। କିନ୍ତୁ ଏପର୍ଯ୍ୟନ୍ତ ବିଏମ୍‌ସି ମାତ୍ର ୪କୋଟି ଆୟ କରିଛି।

ଆର୍ଥିକ ବର୍ଷର ପ୍ରଥମ ତିନିମାସରେ (ଏପ୍ରିଲ-ମେ-ଜୁନ୍) ମାତ୍ର ୪କୋଟି ଟଙ୍କା ବିଏମ୍‌ସି ରାଜସ୍ବ ଆଦାୟ କରିଥିବା ବେଳେ ରାଜ୍ୟ ସରକାର ଟଙ୍କାଟିଏ ବି ଦେଇନାହାନ୍ତି। ଏଥର ରାଜଧାନୀର ୬୭ଟି ଯାକ ୱାର୍ଡରେ ୬୦ ଲକ୍ଷ ଲେଖାଏଁ ଖର୍ଚ୍ଚ କରିବାକୁ ବି ଯୋଜନା ହୋଇଥିଲା। ହେଲେ ବହୁ କାମ ଅଧପନ୍ତର ପଡ଼ିଥିବାରୁ ବିଏମ୍‌ସି କର୍ତ୍ତୃପକ୍ଷ କ’ଣ କରିବେ ଜାଣି ପାରୁନାହାନ୍ତି। ଏପଟେ ଲୋକ ଡ୍ରେନ୍‌, ରାସ୍ତା ସମସ୍ୟା ନେଇ ବିଏମ୍‌ସିରେ ଅଭିଯୋଗର ପାହାଡ଼ ଲଦିଦେଲେଣି। ତେଣୁ ବିଏମ୍‌ସି କର୍ତ୍ତୃପକ୍ଷ ଗତ ଆର୍ଥିକ ବର୍ଷର ବଳକା ତଥା ଚଳିତ ଆର୍ଥିକ ବର୍ଷର ଓପନିଂ ବାଲାନ୍ସ ୭୧କୋଟି ୮୪ଲକ୍ଷ ୪୫ହଜାର ୪୪୪ଟଙ୍କାରୁ ବିଭିନ୍ନ ଯୋଜନା ବାବଦକୁ ଅର୍ଥ ଖର୍ଚ୍ଚ କରିବା ଆରମ୍ଭ କରିଛନ୍ତି। ପ୍ରତି ୱାର୍ଡକୁ ୨୦ଲକ୍ଷ ଲେଖାଏଁ ଦିଆଯାଇଛି। ବିଏମ୍‌ସିର ଜଣେ ଅଧିକାରୀଙ୍କ କହିବାନୁଯାୟୀ, ପୂର୍ବ ବର୍ଷଗୁଡ଼ିକରେ ରାଜ୍ୟ ସରକାର ପ୍ରଥମ ତିନି ମାସରେ କିଛି ଅର୍ଥ ଦେଇଦିଅନ୍ତିି। ବିଏମ୍‌ସିର ହୋଲଡିଂ ଟିକସ ପ୍ରାୟ ୧୦ କୋଟି ଆଦାୟ ହୋଇଯାଏ। କିନ୍ତୁ ଏଥର ରାଜ୍ୟ ସରକାର କିଛି ଦେଇନାହାନ୍ତି। ବିଏମ୍‌ସି କଲ୍ୟାଣ ମଣ୍ଡପ ଭଡ଼ାକୁ ଲାଗୁନି। ୟୁଜର୍ସ ଫି’ ବି ପାଉନି। ତେଣୁ ନୂଆ କାମ ଆରମ୍ଭ କରିବାକୁ ଅସୁବିଧା ହେଉଛି।

ଅପରପକ୍ଷେ ଏଥର ରାଜଧାନୀର ଜଳବନ୍ଦୀ ସମସ୍ୟା ଦୂର ପାଇଁ ଡ୍ରେନ୍ ନିର୍ମାଣ ବାବଦକୁ ୧୪୮କୋଟି ୨୯ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ଥିବା‌ ବେଳେ ମୁଖ୍ୟ ଡ୍ରେନ୍‌ଗୁଡ଼ିକର କାନ୍ଥ ମରାମତି ଓ ନିର୍ମାଣ ପାଇଁ ୫୦ କୋଟି ଖର୍ଚ୍ଚ କରିବାକୁ ଯୋଜନା ହୋଇଥିଲା। ଏହିଭଳି ୧୯୮କୋଟି ୨୯ଲକ୍ଷ ଟଙ୍କା କେବଳ ଡ୍ରେନ୍‌ ବାବଦକୁ ଖର୍ଚ୍ଚ ହୋଇଥାନ୍ତା। କିନ୍ତୁ ଚଳିତ ଆର୍ଥିକ ବର୍ଷରେ ଏନେଇ ଟଙ୍କା ମିଳିନି। ପୂର୍ବବର୍ଷ ଯାହା ମିଳିଥିଲା ସେଥିରେ କାମ ଚାଲିଛି। ଯେଉଁ କାମଗୁଡ଼ିକ ପାଇଁ ଟେଣ୍ଡର ହୋଇଥିଲା ସେହି ହେଡ୍‌ରେ ଯାହା ଟଙ୍କା ଅଛି ତାହା ଖର୍ଚ୍ଚ ହେଉଛି। ବହୁ ସ୍ଥାନରେ ରାସ୍ତା ବିପର୍ଯ୍ୟସ୍ତ ହୋଇପଡ଼ିଥିବାରୁ ରାସ୍ତା ମରାମତି ପାଇଁ ୪୦.୫୬ କୋଟି ଖର୍ଚ୍ଚ ହୋଇଥାନ୍ତା। ହେଲେ ଆବଶ୍ୟକ ଟଙ୍କା ନ ଥିବାରୁ ପ୍ରତି ୱାର୍ଡକୁ ଯେଉଁ ୨୦ଲକ୍ଷ ଲେଖାଏଁ ଦିଆଯାଇଛି ସେଥିରେ ରାସ୍ତା ମରାମତି କରିବାକୁ କୁହାଯାଇଛି। ୪୩ଟି କମ୍ପୋଷ୍ଟ ପ୍ଲାଣ୍ଟ ବାବଦକୁ ୯୯କୋଟି ୧୪ଲକ୍ଷ ଖର୍ଚ୍ଚ ହୋଇଥାନ୍ତା। ଏବେ ପ୍ରାୟ ୩୦ଟିର କାମ ଚାଲିଛି। ସେଥିପାଇଁ ଯାହା ଖର୍ଚ୍ଚ ଅଟକଳ ହୋଇଥିଲା ସେତେ ଟଙ୍କା ନାହିଁ। ତଥାପି ଆମେ ଏହାକୁ ଅଗ୍ରାଧିକାର ଭିତ୍ତିରେ କରୁଥିବାରୁ ଏନେଇ ଟଙ୍କା ଆଣିବାକୁ ରାଜ୍ୟ ସରକାରଙ୍କୁ କହିବୁ।

ଚଳିତ ଆର୍ଥିକ ବର୍ଷରେ ସବୁଠୁ ଅଧିକ କ୍ଷତି ବିଏମ୍‌ସିକୁ ହୋଲଡିଂ ଟିକସ ବାବଦକୁ ହେବ। କାରଣ ବିଏମ୍‌ସି ଚଳିତ ଆର୍ଥିକ ବର୍ଷରେ ୧୫୦କୋଟି ଟଙ୍କା ହୋଲଡିଂ ଟିକସ ଆଦାୟ କରିବାକୁ ଲକ୍ଷ୍ୟ ରଖିଥିବା ବେଳେ ଏହା ବାବଦକୁ ପ୍ରାୟ ୪କୋଟି ଆଦାୟ ହୋଇଛି। ଆଉ ୯ ମାସରେ ୧୪୬କୋଟି କିପରି ଆଦାୟ ହେବ ତାହା ଚିନ୍ତାର ବିଷୟ ପାଲଟିଛି। ସେହିପରି ବହୁ ଦୋକାନ ବଜାର ବନ୍ଦ ରହିଥିବାରୁ ଟ୍ରେଡ୍ ଲାଇସେନ୍ସ ବି ନବୀକରଣ ହେଉନି। ଏହା ବବାଦକୁ ପ୍ରାୟ ୫.୧୬କୋଟି ପାଇବାକୁ ଥିବା ବେଳେ ଏହି ଟାର୍ଗେଟ୍‌ ପୂରଣ ହେବା ଆଶଙ୍କାରେ। ବିଏମ୍‌ସି ୟୁଜର ଫି’ ବାବଦକୁ ୧୫.୦୩କୋଟି ଆୟ କରିବାକୁ ଥିବାବେଳେ ତାହା ୫କୋଟି ଟପିବା ସମ୍ଭବ ଲାଗୁନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe