ଭୁବନେଶ୍ବର: ଦ୍ବୈତନଗରୀ ଭୁବନେଶ୍ବର-କଟକକୁ ସଂଯୋଗ କରୁଛି ୧୬ ନମ୍ବର ଜାତୀୟ ରାଜପଥ। ବ୍ୟସ୍ତବହୁଳ ଏହି ରାଜପଥରେ ଯାତାୟାତ କରିବାକୁ ଗାଡ଼ି ଚାଳକ ଏବେ ଭୟ କରୁଛନ୍ତି। ପ୍ରାୟ ୨୬ କିଲୋମିଟର ରାସ୍ତାରେ ହଜାରରୁ ଅଧିକ ଖାଲଖମା। ରାସ୍ତା ଅଧ ପର୍ଯ୍ୟନ୍ତ ଚଢ଼ି ଗଲାଣି ବାଲି, ଲିଭି ଗଲାଣି ଲେନ୍ ଲାଇନ୍। ସବୁଠାରୁ ଅଧିକ ଯନ୍ତ୍ରଣା ଦେଉଛି, ଅଧାଗଢ଼ା ଦୁଇଟି ଫ୍ଲାଏଓଭର୍। ଆବଶ୍ୟକ ରକ୍ଷଣାବେକ୍ଷଣ ହେଉ ନଥିବାରୁ ପ୍ରତିଦିନ ଦୁର୍ଘଟଣାର ଶିକାର ହେଉଛନ୍ତି ଗାଡ଼ି ଚାଳକ। ଧନ ଜୀବନ ନଷ୍ଟ ମଧ୍ୟ ହେଉଛି। କର୍ତ୍ତୃପକ୍ଷଙ୍କ ଏହି ଦାୟିତ୍ବହୀନତା ପାଇଁ ସଡ଼କ ଦୁର୍ଘଟଣା ଏକ ନିତିଦିନିଆ କଥା ପାଲଟିଛି।
ଜାତୀୟ ରାଜପଥ ଭିତରେ ଏକ ପ୍ରମୁଖ ରାଜପଥ ହେଉଛି ଏନ୍ଏଚ୍-୧୬। ଏହା ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, କୋଲକାତାକୁ ସଂଯୋଗ କରୁଛି। ତଥ୍ୟ ଅନୁସାରେ ଓଡ଼ିଶାରେ ୫୨୯ କିଲୋମିଟର ଦୈର୍ଘ୍ୟର ଜାତୀୟ ରାଜପଥ ରହିଛି। ତେବେ ରାଜ୍ୟ ରାଜଧାନୀ ଭୁବନେଶ୍ବରକୁ ସଂଯୋଗ କରୁଥିବାରୁ ଏହାର ଗୁରୁତ୍ବ ଅଧିକ। ଏନ୍ଏଚ୍-୧୬ରେ ପ୍ରତିଦିନ ଲକ୍ଷାଧିକ ଯାନବାହାନ ଯାତାୟାତ କରୁଛି। ବିଶେଷ କରି କଟକ ଓ ଭୁବନେଶ୍ବର ଯାତାୟାତ ପାଇଁ ଅଧିକାଂଶ ସମୟରେ ରାଜପଥ ଭିଡ଼ ରୁହେ। ହେଲେ ବ୍ୟସ୍ତବହୁଳ ଏହି ରାଜପଥକୁ ବିଭାଗୀୟ କର୍ତ୍ତୃପକ୍ଷ ଅଣଦେଖା କରୁଥିବା ଅଭିଯୋଗ ହେଉଛି। ରକ୍ଷଣାବେକ୍ଷଣ ଅଭାବରୁ ରାଜପଥରେ ଘଟୁଥିବା ଦୁର୍ଘଟଣାରେ ନିରୀହ ଚାଳକଙ୍କ ଜୀବନ ଯାଉଛି। ବର୍ଷ ବର୍ଷ ଧରି ଜାତୀୟ ରାଜପଥ କାମ ଶେଷ ହେଉନାହିଁ। ଭୁବନେଶ୍ବର କଟକ ମଧ୍ୟରେ ହଜାରେରୁ ଅଧିକ ଖାଲଖମା। କିଛି ସ୍ଥାନରେ ରାସ୍ତା ଦବି ଯାଇଛି। କଟକ ଭୁବନେଶ୍ବର ମଧ୍ୟରେ ଏବେ ବି ଦୁଇ ଦୁଇଟି ଫ୍ଲାଏ ଓଭର କାମ ଚାଲିଛି। କଟକ ବାଲିକୁଦା ଫ୍ଲାଏ ଓଭର କାମ ପ୍ରାୟତଃ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତଥାପି ସମ୍ପୂର୍ଣ୍ଣ ହେବା ପାଇଁ ଆହୁରି ଛଅ ମାସରୁ ଅଧିକ ସମୟ ଲାଗି ପାରେ। କୂଆଖାଇ ନିକଟରେ କରାଯାଉଥିବା ଫ୍ଲାଏ ଓଭର ବ୍ରିଜ୍ର ମାତ୍ର ୨୦ ପ୍ରତିଶତ କାମ ସରିଛି। କେବେ ଶେଷ ହେବ ତାର କୌଣସି ଠିକ୍ ଠିକଣା ନାହିଁ। ଦୁଇ ଫ୍ଲାଏ ଓଭର କାମ ଚାଲୁଥିବାରୁ ଚାଳକ ଖାଲ ଢ଼ିପ ଭର୍ତ୍ତି ବାଇ ପାସ୍ ରାସ୍ତାରେ ଯାତାୟତ କରୁଛନ୍ତି।
କୂଆଖାଇ ଓ କାଠଯୋଡ଼ିରୁ ପ୍ରତିଦିନ ଶହଶହ ଟ୍ରକ୍ ଓଦା ବାଲି ଉଠା ଯାଉଛି। ଏହି ରାସ୍ତାରେ ପାଣି ଓ ବାଲି ପଡ଼ି ପଡ଼ି ଯାଉଛି। ବାଲି ସଫା କରିବାକୁ କେହି ନାହିଁ। ଫଳରେ ଅଧିକାଂଶ ସ୍ଥାନରେ ବାଲି ରାସ୍ତା ଅଧ ପର୍ଯ୍ୟନ୍ତ ମାଡ଼ି ହୋଇ ପଡ଼ିଛି। ରାଜପଥରେ ଲେନ୍କୁ ବିଭକ୍ତ କରିବା ପାଇଁ ରାଜପଥରେ ଥର୍ମୋ ପ୍ଲାଷ୍ଟିକ୍ ପେଣ୍ଟ (ଧଳା ଓ ହଳଦିଆ ରଙ୍ଗର ଗାର) ଦିଆଯାଇଥାଏ। ସେଗୁଡ଼ିକ କେଉଁଠି ଅଧା ଲିଭି ଗଲାଣି ତ କେଉଁଠି ସମ୍ପୂର୍ଣ୍ଣ ଲିଭି ଗଲାଣି। ରାସ୍ତାରେ ଚାଳକଙ୍କ ସୁବିଧା ପାଇଁ ଆର୍ପିଏମ୍ ଲଗା ଯାଇଥାଏ। ଯାହାଦ୍ବାରା ରାତି ସମୟରେ ଗାଡ଼ି ଲାଇଟ୍ ପଡ଼ିଲେ ରାସ୍ତାର ସୀମା ସହଜରେ ଜଣା ପଡ଼ିଥାଏ। କିନ୍ତୁ ହାତ ଗଣତି କେତେକ ସ୍ଥାନକୁ ଛାଡ଼ି ଦେଲେ ଅଧିକାଂଶ ସ୍ଥାନରେ ଆର୍ପିଏମ୍ ଲଗାଯାଇନାହିଁ। ଏହି ସବୁ କାରଣରୁ ପ୍ରତିଦିନ ଦୁର୍ଘଟଣା ହେଉଛି ଓ ପଥଚାରୀଙ୍କ ସହ ଚାଳକଙ୍କ ଜୀବନ ଯାଉଛି। ହେଲେ ଏନ୍ଏଚ୍ କର୍ତ୍ତୃପକ୍ଷ ନିରବଦ୍ରଷ୍ଟା ସାଜିଥିବା ଅଭିଯୋଗ ହେଉଛି। ତୁରନ୍ତ ଫ୍ଲାଏ ଓଭର କାମ ସାରିବା ସହ ରାସ୍ତା ମରାମତି ଓ ସୁରକ୍ଷାକୁ ଦୃଷ୍ଟି ଦେଇ ସମସ୍ତ ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଦାବି ହେଉଛି।
Follow Us