Daily Excelsior
ଭୁବନେଶ୍ବର: ଗୁରୁବାର ସଂଧ୍ୟା ୭ଟାରୁ ୧୮ରୁ ୪୪ବର୍ଷ ବୟସର ଲୋକଙ୍କ ପାଇଁ ପ୍ରଥମ ଡୋଜ୍ ଟିକାର ବୁକିଂ ଆରମ୍ଭ ହୋଇଥିଲା। ହେଲେ ବହୁ ଲୋକ ସ୍ଲଟ୍ ପାଇ ନଥିଲେ। ଏପରିକି କୋ-ୱିନ୍ ୱେବସାଇଟ୍ ଖୋଲୁଖୋଲୁ କେତେବେଳେ ସବୁ ସ୍ଲଟ୍ ବୁକିଂ ହୋଇଗଲା, କେହି ଜାଣିପାରିଲେନି। କାଁଭାଁ ଲୋକଙ୍କୁ ସ୍ଲଟ୍ ମିଳି ଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ତେଜିଛି। ବିଏମ୍ସି ପକ୍ଷରୁ ସଂଧ୍ୟା ୭ଟାରେ ବୁକିଂ ଆରମ୍ଭ ହେବ ବୋଲି ଟୁଇଟ୍ କରାଯିବା ପରେ ଲୋକମାନେ ସଂଧ୍ୟା ୬ଟାରୁ କମ୍ପ୍ୟୁଟର୍, ଲାପଟପ୍ ସମ୍ମୁଖରେ କୋୱିନ୍ ୱେବ୍ସାଇଟ୍ ଖୋଲି ବସିଥିଲେ। କିନ୍ତୁ ୭ଟାରେ ସ୍ଲଟ୍ ଦେଖାଇବା ପରେ ବୁକିଂ କଲା ବେଳକୁ ସବୁ ବୁକିଂ ଦେଖାଉଥିଲା। ଏପରିକି କିଛି ଲୋକ ଦ୍ବିତୀୟ ଡୋଜ୍ ପାଇଁ ସ୍ଲଟ୍ ବୁକିଂ କରିବାକୁ ବସିଥିଲେ ବି ଦ୍ବିତୀୟ ଡୋଜ୍ ଅପସନ୍ ଆସି ନଥିଲା। ଏନେଇ ଲୋକମାନେ ବିଏମ୍ସିକୁ ଟୁଇଟ୍ କରି ପଚାରିଥିଲେ ବି କର୍ତ୍ତୃପକ୍ଷ କିଛି ଉତ୍ତର ଦେଇନାହାନ୍ତି।
ବିଏମ୍ସିର ଜଣେ ଅଧିକାରୀ କହିଛନ୍ତି ଯେ ୧୮ରୁ ୪୪ବର୍ଷ ବୟସର ପ୍ରାୟ ୩ଲକ୍ଷ ଲୋକ ଟିକା ନେବାକୁ ବାକି ଅଛନ୍ତି। ଏହାବାଦ୍ ବାହାର ଜିଲ୍ଲାର ଲୋକ ଏଠାରେ ଟିକା ନେବାକୁ ବୁକିଂ କରୁଛନ୍ତି। ଏତେ ଲୋକ ହଠାତ୍ ଗୋଟିଏ ୱେବ୍ସାଇଟ୍ ଖୋଲିଲା ବେଳକୁ କିଏ କେଉଁଠି ବୁକିଂ କରିଦେଉଛନ୍ତି, ତାହା ଜଣାପଡ଼ୁନି। କମ୍ ସମୟ ମଧ୍ୟରେ ସବୁ ସ୍ଲଟ୍ ବୁକିଂ ହୋଇଯାଇଥିବାରୁ ଲୋକଙ୍କୁ ବୁକଡ୍ ଦେଖାଉଛି। ଯଦି ୱେବସାଇଟ୍ରେ ତ୍ରୁଟି ଥା’ନ୍ତା, ତେବେ ୪୫ ବର୍ଷରୁ ଊର୍ଦ୍ଧ୍ବ ଲୋକଙ୍କର ବୁକିଂ ନେଇନଥା’ନ୍ତା।
Follow Us