୫ଟି କଲେଜରେ ପିଲା ନାହାନ୍ତି

ଭୁବନେଶ୍ୱରରେ ଯୁକ୍ତ୨ ପଢ଼ିବାକୁ ଛାତ୍ରଛାତ୍ରୀ ଅମଙ୍ଗ

ବଢ଼ିଲା ଯୁକ୍ତ୨ ନାମଲେଖା ସମୟସୀମା

Photo by : jansatta.com

ଭୁବନେଶ୍ୱର: ଏଥର ବି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (ଯୁକ୍ତ୨ କଲେଜ)ରେ ଖାଲି ରହିଲା ସିଟ୍‌। ଦୁଇଟି ପର୍ଯ୍ୟାୟ ନାମଲେଖା ପରେ ବି କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗରେ ସାରା ରାଜ୍ୟରେ ଏକ ଲକ୍ଷରୁ ଅଧିକ ସିଟ୍‌ ଖାଲି ପଡ଼ିଥିବା ବେଳେ ଭୁବନେଶ୍ୱରରେ ସ୍ଥିତି ଜଟିଳ ହୋଇଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଥିବା କଲେଜଗୁଡ଼ିକରେ ପଢ଼ିବା ଲାଗି ଚଳିତବର୍ଷ ଛାତ୍ରଛାତ୍ରୀ ଅଗ୍ରହ ଦେଖାଇ ନାହାନ୍ତି। ସରକାରୀ ଓ ସରକାରୀ ଅନୁଦାନ କଲେଜ ବ୍ୟତୀତ ହାତଗଣତି କିଛି ସେଲ୍ଫ ଫାଇନାନ୍ସିଂ କଲେଜରେ ସିଟ୍‌ ପୂରଣ ହୋଇଛି। ବାକି ସବୁଠି ସିଟ୍‌ ଖାଲି। ସହରର ୬୮ଟି କଲେଜ ପାଇଁ ନାମଲେଖା ହେଉଥିବା ବେଳେ ବିଜ୍ଞାନ ବିଭାଗରେ ସବୁଠାରୁ ଅଧିକ ସିଟ୍‌ ଖାଲି ପଡ଼ିଥିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ସୂଚନା ମିଳିଛି।ଭୁବନେଶ୍ୱରରେ ଥିବା ୬୮ଟି କଲେଜ ମଧ୍ୟରୁ ୫୦ଟି ସେଲ୍ଫ ଫାଇନାନ୍ସିଂ କଲେଜ ରହିଛି। ସେଥିମଧ୍ୟରୁ ପ୍ରାୟତଃ ସମସ୍ତ କଲେଜରେ ବିଜ୍ଞାନ ବିଭାଗରେ ଶିକ୍ଷା ଦିଆଯାଉଛି। ହେଲେ ସେଠାରେ ଏଥର ସ୍ଥିତି ଖରାପ ହୋଇଛି। ବିଜ୍ଞାନ ବିଭାଗରେ ସବୁଠାରୁ ଅଧିକ ୧୨ ହଜାର ୯୬ ସିଟ୍‌ ରହିଥିବା ବେଳେ ସେଥିିରୁ ୬୯୧୦ଟି ପୂରଣ ହୋଇଛି। ଆହୁରି ୫୧୮୬ଟି ସିଟ୍‌ ବଳକା ପଡ଼ିଛି। ଚିନ୍ତାର ବିଷୟ ହେଉଛି ଯେ ୫ଟି କଲେଜରେ ଜଣେ ବି ହେଲେ ଛାତ୍ରଛାତ୍ରୀ ନାମ ଲେଖାଇ ନାହାନ୍ତି। ଆଉ ୫ଟି କଲେଜରେ ଜଣେ ଲେଖାଏ ପିଲା ନାମ ଲେଖାଇଛନ୍ତି। ଦୁଇଟି କଲେଜରେ ମାତ୍ର ଜଣେ ଲେଖାଏଁ ପିଲା ଅଛନ୍ତି। ୩ଟି କଲେଜରେ ପିଲାଙ୍କ ସଂଖ୍ୟା ୧୦ରୁ ୨୦ ମଧ୍ୟରେ ରହିଛି। ବାଣିଜ୍ୟ ବିଭାଗ ସ୍ଥିତି ବି ତଦ୍ରୂପ। ସହରର ବିଭିନ୍ନ କଲେଜରେ ଥିବା ୨୨୮୮ଟି ସିଟ୍‌ ମଧ୍ୟରୁ ୧୬୨୬ ସିଟ୍‌ ପୂରଣ ହୋଇଛି। ୬୬୨ ସିଟ୍‌ ଖାଲି ପଡ଼ିଛି। ୩ଟି କଲେଜରେ ବାଣିଜ୍ୟ ବିଭାଗରେ ପିଲାଙ୍କ ସଂଖ୍ୟା ଏକ ଅଙ୍କ ଟପି ନ ଥିବା ସାମ୍‌ସ େଓ୍ଵବସାଇଟ୍‌ରେ ଉଲ୍ଲେଖ କରାଯାଇଛି। କଳା ବିଭାଗରେ ପିଲାଙ୍କ ସଂଖ୍ୟା ଅଧିକ ରହିଛି। ବିଭାଗରେ ମୋଟ ୪୮୩୨ ସିଟ୍‌ ରହିଥିବା ବେଳେ ୪୫୮୮ଟି ପୂରଣ ହୋଇଛି। ଆଉ ମାତ୍ର ୨୪୪ ସିଟ୍‌ ଖାଲି ରହିଥିବା ନେଇ ସୂଚନା ମିଳିଛି।

ପ୍ରତିବର୍ଷ ପରି ଏଥର ମଧ୍ୟ ବିଜେବି, ରମାଦେବୀ, ବେସିକ୍‌ ସାଇନ୍ସ, ମହର୍ଷି, ରାଜଧାନୀ ପରି କଲେଜ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ଦେଖିବାକୁ ମିଳିଛି। ପିଲାଙ୍କ ପ୍ରଥମ ପସନ୍ଦ ରହିଛି ଏହି କଲେଜ। କେତେକ ଘରୋଇ କଲେଜ ଆଗୁଆ ପିଲାଙ୍କୁ ଚିହ୍ନଟ କରିବା ସହ ସେମାନଙ୍କ ନାମଲେଖା କରିଥିଲେ। ତେଣୁ ସେମାନଙ୍କ ସିଟ୍‌ ପୂରଣ ହୋଇଛି। ଯେଉଁ କଲେଜଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ ନାହିଁ, ଆବଶ୍ୟକୀୟ ଶିକ୍ଷକ ନାହାନ୍ତି, ଲାଇବ୍ରେରି, ଲାବରେଟୋରିର ଅଭାବ ରହିଛି, ସେଠାରେ କମ୍‌୍‌ ପିଲା ନାମ ଲେଖାଇଛନ୍ତି। ଆଗାମୀ ଦିନରେ ସରକାର ଏଥିପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ। ଯେଉଁ କଲେଜରେ ସିଟ୍‌ ଖାଲି ରହୁଛି, ପିଲା ନାମ ଲେଖାଉନାହାନ୍ତି, ତାହା ବନ୍ଦ କରନ୍ତୁ ବୋଲି ଶିକ୍ଷାବିତ୍‌ମାନେ ମତପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe