ଦାଦାବଟିକୁ ନା : ୯୨ ମାମଲା, ୧୦୪ ଗିରଫ

ପେଟକୁ ଛୁରିରେ ଭୁସି ଲୁଟିଲେ

News18 Gujarati News

ଭୁବନେଶ୍ୱର : ଦ୍ବୈତ ନଗରୀକୁ ଦାଦାବଟିରୁ ମୁକ୍ତ କରିବା ମିସନ୍‌ ନେଇ କମିସନରେଟ୍‌ ପୁଲିସ ଗତ ଅକ୍ଟୋବରରେ ଆରମ୍ଭ କରିଥିଲା ସ୍ବତନ୍ତ୍ର କାର୍ଯ୍ୟକ୍ରମ ‘ଦାଦାବଟିକୁ ନା’। ଏହି ପଦ‌କ୍ଷେପ ଅନୁସାରେ ବର୍ତ୍ତମାନ ସୁଦ୍ଧା ୯୨ ମାମଲା ରୁଜୁ ହୋଇଛି ଓ ୧୦୪ ଜଣ ଗିରଫ ହୋଇଛନ୍ତି। ଗିରଫ ତାଲିକାରେ ଜୁଡୋ କୋଚ୍‌ ବିରଞ୍ଚି ହତ୍ୟା ମାମଲାର ମୁଖ୍ୟ ରାଜା ଆଚାର୍ଯ୍ୟ ଥିବାବେଳେ କେତେକ ନକଲି ସାମ୍ବାଦିକ ମଧ୍ୟ ଅଛନ୍ତି। ବାରମ୍ବାର ଅପରାଧ ଘଟାଉଥିବା ଅଭିଯୁକ୍ତଙ୍କ ମଧ୍ୟରୁ କେତେକଙ୍କୁ ଏନ୍‌ଏସ୍‌ରେ ବୁକ୍‌ କରାଯିବା ସହ ତଡ଼ିପାର୍‌ କରାଯିବା ପାଇଁ ମଧ୍ୟ ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟାରେ ୫ ଜଣଙ୍କୁ ତଡ଼ିପାର୍‌ ହେବା ପାଇଁ ପୁଲିସ ନୋଟିସ୍‌ ଦେଇଛି।

ସୂଚନାନୁସାରେ କଟକରେ ୪୯ ମାମଲା ରୁଜୁ ହୋଇଛି ଓ ୬୬ଜଣଙ୍କୁ ଗିରଫ କରାଯାଇଛି। ଭୁବନେଶ୍ବରରେ ୪୩ ମାମଲାରେ ୪୮ଙ୍କୁ ଗିରଫ କରାଯାଇଛି। ବଡ଼ କଥା ହେଉଛି, ସିଧାସଳଖ ଥାନାକୁ ଆସି ଅଭିଯୋଗ ନ କରିବା ପାଇଁ ପରାମର୍ଶ ଦିଆଯାଇଛି। ଏଥିପାଇଁ ଜାରି ହୋଇଥିବା ମୋବାଇଲ ନମ୍ବର(୯୯୩୮୯୧୦୦୦୦)ରେ ଲିଖିତ ଅଭିଯୋଗ କରିବା ପାଇଁ କୁହାଯାଇଛି। ଲୋକମାନେ ଫୋନ୍‌ କରି କିମ୍ବା ଏସ୍‌ଏମ୍‌ଏସ୍‌, ହ୍ବାଟ୍‌ସ୍‌ ଆପ୍‌ ଓ ଟେଲିଗ୍ରାମ୍ ଜରିଆରେ ମଧ୍ୟ ଅଭିଯୋଗ କରିପାରିବେ ବୋଲି କୁହାଯାଇଛି। ତେଣୁ ହ୍ବାଟ୍‌ସ୍‌ଆପ୍‌ ଜରିଆରେ ସର୍ବାଧିକ ଅଭିଯୋଗ ଆସୁଛି। ଲୋକମାନଙ୍କର ପରିଚୟ ଗୋପନ ରଖାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ପ୍ରତି ୧୫ ଦିନରେ ଥାନା ସ୍ତରରେ ଓ ଏସିପି ଜୋନ୍‌ ସ୍ତରରେ ସମୀକ୍ଷା କରୁଛନ୍ତି। ପ୍ରକ୍ରିୟାରେ ରହୁଥିବା ବିଭିନ୍ନ ସମସ୍ୟା, ତାହାର ସମାଧାନ ଓ ଅଭିଯୋଗକାରୀର ପରିଚୟ ସମ୍ପୂର୍ଣ୍ଣ ଗୋପନ ରହିବା ସହ ପରବର୍ତ୍ତୀ ସମୟରେ କିଭଳି ସୁରକ୍ଷା ଯୋଗାଇ ଦିଆଯାଇ ପାରିବ, ତାହା ଉପରେ ସମୀକ୍ଷା କରାଯାଉଛି। ଜାମିନ୍‌ରେ ମୁକୁଳିଥିବା ଅଭିଯୁକ୍ତଙ୍କ ଉପରେ କଡ଼ା ନଜର ରଖିବା ପାଇଁ କୁହାଯାଇଛି।

ଜାରି ମୋବାଇଲ୍‌ ନମ୍ବରରେ ଦାଦାଙ୍କ ବିରୋଧରେ ଅଭିଯୋଗ ଗଦା ହେବାରେ ଲାଗିଛି। ତାଲିକାରେ କେତେକ ରାଜନେତା, କୁଜିନେତା, ନିଜକୁ ସାମ୍ବାଦିକ କହୁଥିବା ବହୁ ବ୍ୟକ୍ତି ଅଛନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ବିଳମ୍ବ ହେଉଥିବା ଅଭିଯୋଗ ହୋଇଛି। ସେହିଭଳି ଥାନାସ୍ତରରେ ପୁଲିସ କୋହଳ ରହୁଥିବା ପରିଲକ୍ଷିତ ହୋଇଛି। ଦାଦାବଟି ମାଗି ହତାଶ ହେବା ପରେ ଖଣ୍ଡଗିରି ଥାନା ଅଞ୍ଚଳରେ ଏକ ଗୋଷ୍ଠୀ ରାଜସ୍ବ ବିଭାଗ ରାସ୍ତା ଖୋଳି ଦେଇଥିଲେ ମଧ୍ୟ ଅଦ୍ୟାବଧି ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। କିନ୍ତୁ ଏହି ଅଭିଯୋଗ ସିଧାସଳଖ ଥାନାକୁ ଯାଇଥିବାରୁ ଚାପି ହୋଇ ରହିଯାଇଛି ଓ ଏ ବାବଦରେ ଉଚ୍ଚ କର୍ତ୍ତୃପକ୍ଷ ଜାଣି ପାରୁନାହାନ୍ତି। ଏଣୁ ହେଲ୍ପଲାଇନ୍‌ ନମ୍ବରରେ ସିଧା ସଳଖ ଯୋଗାଯୋଗ କରିବା ପାଇଁ ଲୋକଙ୍କୁ କୁହାଯାଇଛି ବୋଲି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe