ଚନ୍ଦ୍ରଶେଖରପୁର: ରାଜଧାନୀକୁ ଚାଲି ଆସିଥିବା ଅଣଓଡ଼ିଆ ଶ୍ରମିକମାନେ ଏବେ ହରଡ଼ଘଣାରେ ଫସିଛନ୍ତି। କରୋନା ପାଇଁ ସେମାନଙ୍କୁ କାମ ମିଳୁନି ଓ ଗାଡ଼ିମଟର ଯାତାୟାତରେ କଟକଣା ଲାଗିଥିବାରୁ ସେମାନେ ଘରକୁ ଫେରି ପାରୁ ନାହାନ୍ତି। ତେଣୁ ନିର୍ମାଣାଧୀନ ଆପାର୍ଟମେଣ୍ଟଗୁଡ଼ିକରେ ସେମାନେ ହାତବାନ୍ଧି ବସିଛନ୍ତି। କରୋନା ସଂକ୍ରମଣର ଦ୍ରୁତ ଗତି ଦେଖି ସେମାନେ କାମ କରୁଥିବା ବିଭିନ୍ନ ପ୍ରକଳ୍ପ ବନ୍ଦ ହୋଇଯାଇଛି। ତେଣୁ ସେମାନେ ରୋଜଗାର ହରାଇଛନ୍ତି। ସେମାନଙ୍କୁ କାମରେ ଲଗାଇଥିବା ଠିକାଦାର ନିଜେ ଦେବାଳିଆ ହୋଇଯାଇଥିବା ଦର୍ଶାଇ କାମ ବନ୍ଦ କରି ଦେଇଛନ୍ତି। କାମ ବନ୍ଦ ହେବା ପରେ ଏହି ଶ୍ରମିକମାନେ ନିଜ ନିଜ ରାଜ୍ୟ ପଶ୍ଚିମବଙ୍ଗ, ବିହାର, ଝାରଖଣ୍ଡ ଆଦି ରାଜ୍ୟକୁ ଫେରିବାକୁ ବସିଛନ୍ତି। କିନ୍ତୁ ଟ୍ରେନ୍ ଚଳାଚଳ ପ୍ରାୟତଃ ବନ୍ଦ ହୋଇଯାଇଛି।
ଯେତିକି ବି ଟ୍ରେନ୍ ଚଳାଚଳ ହେଉଛ, ସେଥିରେ ଟିକେଟ୍ ମିଳିବା ଅତ୍ୟନ୍ତ କଷ୍ଟକର ବ୍ୟାପାର। ସ୍ବତନ୍ତ୍ର ଗାଡ଼ି ଭଡ଼ା କରି ଘରକୁ ଫେରିବା ପାଇଁ ସେମାନଙ୍କ ନିକଟରେ ଅର୍ଥ ନାହିଁ। ଏବେ ସ୍ଥାନୀୟ ଅଞ୍ଚଳରେ ଫସି ରହିଥିବା କିଛି ଶ୍ରମିକ ପଇସା ବଞ୍ଚାଇବାକୁ ଯାଇ ପେଟ କାଟିବା ସ୍ଥିତିରେ ଅଛନ୍ତି। ବେଳାଏ ଖାଇ ଅର୍ଥ ସଞ୍ଚୟ କରୁଛନ୍ତି। ଏମିତି ବଡ଼ କଦର୍ଯ୍ୟ ଅବସ୍ଥାରେ ପଡ଼ିଛନ୍ତି, ଆମ ପଡ଼ୋଶୀ ରାଜ୍ୟର ଶ୍ରମିକମାନେ।
Follow Us