utakal university
ଭୁବନେଶ୍ବର: ଅଣଛାତ୍ରଙ୍କ ଲାଗି ପୁଣିଥରେ ଅଶାନ୍ତ ହେଉଛି କ୍ୟାମ୍ପସ। ଉଚ୍ଚ ଶିକ୍ଷାନୁଷ୍ଠାନ ଖୋଲିବାର ଗୋଟିଏ ସପ୍ତାହ ବିତିଛି କି ନାହିଁ, ବାଣୀବିହାରରେ ଅଣଛାତ୍ର ନିଜର ପତିଆରା ଜାହିର କଲେଣି। ପରିଣାମସ୍ବରୂପ, ଗତ ଦୁଇ ଦିନ ହେଲା କ୍ୟାମ୍ପସ୍ରେ ଉତ୍ତେଜନା ଲାଗି ରହିଥିଲା। ଆଜି ରବିବାର ଛୁଟି ଥିବାରୁ କ୍ୟାମ୍ପସ୍ ଟିକିଏ ଶାନ୍ତ ପଡ଼ିଛି ସତ, ମାତ୍ର ପରିସ୍ଥିତିରେ ସୁଧାର ଆସିନି। କେବଳ ବାଣୀବିହାର ନୁହେଁ, ରାଜଧାନୀ ଛାତି ଉପରେ ଥିବା ରମାଦେବୀ ମହିଳା ବିଶ୍ବବିଦ୍ୟାଳୟକୁ ଅଣଛାତ୍ରଙ୍କ ପ୍ରବେଶ ଏବେ ଆହୁରି ଚିନ୍ତା ବଢ଼ାଇଛି। ଏଠାରେ ୫ ହଜାରରୁ ଅଧିକ ଛାତ୍ରୀ ପଢ଼ୁଥିଲେ ମଧ୍ୟ କେତେଜଣ ଅଣଛାତ୍ର ବାରମ୍ବାର କ୍ୟାମ୍ପସକୁ ପ୍ରବେଶ କରି ଅଶାନ୍ତି ସୃଷ୍ଟି କରୁଥିବା ନେଇ ଅଭିଯୋଗ ଆସିଲାଣି। ରେଭେନ୍ସା, ବ୍ରହ୍ମପୁର, ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବି ଆଜି ପର୍ଯ୍ୟନ୍ତ ଅଣଛାତ୍ରଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇ ପାରିନାହିଁ। ଗଣ୍ଡଗୋଳ ପରେ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ମାନସମନ୍ଥନ କରିବା ସହ ଅଣଛାତ୍ରଙ୍କ ପ୍ରବେଶ ରୋକିବାକୁ ନୀଳନକ୍ସା ପ୍ରସ୍ତୁତ କରୁଛନ୍ତି। କିନ୍ତୁ କିଛି ଦିନ ଯାଉଛି କି ନାହିଁ, ଯେସାକୁ ତେସା ନ୍ୟାୟରେ ପୁଣିଥରେ ଅଣଛାତ୍ରଙ୍କ ପ୍ରାଦୁର୍ଭାବ ବଢ଼ି ଯାଉଛି।
ଦୁଇ ବର୍ଷ ପରେ କ୍ୟାମ୍ପସରେ ପାଠପଢ଼ା ସ୍ବାଭାବିକ ସ୍ଥିତିକୁ ଫେରିଛି। ଛାତ୍ରଛାତ୍ରୀ ହଷ୍ଟେଲରେ ରହିବା ସହ ନିୟମିତ କ୍ଲାସ୍ କରୁଛନ୍ତି। ଏଭଳି ସମୟରେ ଗୋଟିଏ ପରେ ଗୋଟିଏ କ୍ୟାମ୍ପସ ଅଣଛାତ୍ରଙ୍କ ଲାଗି ଅଶାନ୍ତ ହେବା ଉଚ୍ଚଶିକ୍ଷା ବିଭାଗ ଚିନ୍ତା ବଢ଼ାଇ ଦେଇଛି। ରମାଦେବୀ ବିଶ୍ବବିଦ୍ୟାଳୟକୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆସିଥିବା ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀ ବାଣୀବିହାର ଘଟଣାକୁ ନେଇ ଚିନ୍ତା ପ୍ରକଟ କରି କହିଥିଲେ ଯେ କ୍ୟାମ୍ପସକୁ କିଭଳି ହିଂସାକାଣ୍ଡରୁ ମୁକ୍ତ ରଖାଯିବ, ସେ ଦିଗରେ ପଦକ୍ଷେପ ନିଆଯାଉଛି। ଯେଉଁମାନେ ହିଂସାକାଣ୍ଡ କରୁଛନ୍ତି, ପୁଲିସ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବ। ଆମର ପ୍ରଚେଷ୍ଟା ରହିବ ଯେ ଅଣଛାତ୍ର କିଭଳି କ୍ୟାମ୍ପସକୁ ପ୍ରବେଶ କରିବେ ନାହିଁ। କ୍ୟାମ୍ପସର ଆଇନଶୃଙ୍ଖଳା କିଭଳି ନିୟନ୍ତ୍ରଣରେ ରହିବ, ସେନେଇ ସମସ୍ତ କୁଳପତିଙ୍କ ସହ ଆଲୋଚନା କରାଯିବ।
ଉଚ୍ଚଶିକ୍ଷା ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ବକ୍ତବ୍ୟ ପରେ ଛାତ୍ରଛାତ୍ରୀ କିଛିଟା ଆଶ୍ବସ୍ତ ହୋଇଛନ୍ତି। ମାତ୍ର ତାହା କେତେଦୂର କାର୍ଯ୍ୟକରୀ ହେବ, ତାକୁ ନେଇ ଏବେ ବି ସନ୍ଦେହ ରହିଛି। କାରଣ ପୂର୍ବତନ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁ ମଧ୍ୟ ବିଶ୍ବବିଦ୍ୟାଳୟ କ୍ୟାମ୍ପସରେ ଅଣଛାତ୍ର ପ୍ରବେଶକୁ ଆଦୌ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି କୁଳପତି ସମ୍ମିଳନୀରେ କହିଥିଲେ। ଯଦି କୌଣସି ଅଣଛାତ୍ର କ୍ୟାମ୍ପସରେ ପଶି ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରନ୍ତି, କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ। ମାତ୍ର କିଛି ମାସ ବିତିଛି କି ନାହିଁ, ଏବେ ବାଣୀବିହାର କ୍ୟାମ୍ପସରେ ଅଣଛାତ୍ର ପଶି ଖଣ୍ଡା ବୁଲାଇବା ଘଟଣା ପୁଣିଥରେ ଚିନ୍ତା ବଢ଼ାଇଛି। କ୍ୟାମ୍ପସରେ ସିସିଟିଭି ଲାଗିଛି, ସୁରକ୍ଷା କର୍ମୀ ରହିଛନ୍ତି। ତା’ପରେ ବି ଅଣଛାତ୍ର ପ୍ରବେଶ ଉପରେ ରୋକ୍ ଲଗା ଯାଇପାରିନାହିଁ। ଗତକାଲି ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପୁରାତନ ଛାତ୍ରୀସଂଘ ବୈଠକରେ ବି କେତେଜଣ ଅଣଛାତ୍ର ବିନା ବାଧାରେ କ୍ୟାମ୍ପସରେ ପ୍ରବେଶ କରିଥିଲେ। ସୁରକ୍ଷା କର୍ମୀ କିମ୍ବା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ସେମାନଙ୍କ ଉପରେ ରୋକ୍ ଲଗାଇ ନଥିଲେ, ବରଂ ଅଣଛାତ୍ରମାନେ କ୍ୟାମ୍ପସରେ ପ୍ରବେଶ କରି ନିଜର ଦବ୍ଦବା ଜାହିର କରିଥିଲେ। ଯଦି କୌଣସି ଅଘଟଣ ଘଟିଥା’ନ୍ତା, ସେଥିପାଇଁ କିଏ ଦାୟୀ ହୋଇଥା’ନ୍ତା ବୋଲି ଅଧ୍ୟାପକ/ଅଧ୍ୟାପିକାମାନେ ପ୍ରଶ୍ନ ଉଠାଇଛନ୍ତି।
Follow Us