Advertisment

ରାଜଧାନୀରେ ଥମୁନି ସଡ଼କ ଦୁର୍ଘଟଣା: ଦିନକରେ ଗଲା ୨ ଜୀବନ

Advertisment

ମହିଳାଙ୍କ ଉପରେ ମାଡ଼ିଗଲା ବସ୍‌ , ଯୁବକଙ୍କୁ ଦଳିଦେଲା ଟ୍ରକ୍‌

ମହିଳାଙ୍କ ଉପରେ ମାଡ଼ିଗଲା ବସ୍‌ , ଯୁବକଙ୍କୁ ଦଳିଦେଲା ଟ୍ରକ୍‌

ରାଜଧାନୀରେ ଥମୁନି ସଡ଼କ ଦୁର୍ଘଟଣା: ଦିନକରେ ଗଲା ୨ ଜୀବନ

ଚନ୍ଦ୍ରଶେଖରପୁର: ରାଜଧାନୀରେ ଥମୁନି ସଡ଼କ ଦୁର୍ଘଟଣା। ଆଜି ଗୋଟିଏ ଦିନରେ ରାଜଧାନୀରେ ଘଟିଥିବା ଦୁଇଟି ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ଯାଇଛି ଦୁଇଟି ଜୀବନ। ବସ୍‌ ମାଡ଼ିଯିବାରୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଟ୍ରକ୍‌ ଧକ୍କାରେ ଜଣେ ବାଇକ୍‌ ଆରୋହୀ ପ୍ରାଣ ହରାଇଛନ୍ତି। ଦୁଇଟିଯାକ ସଡ଼କ ଦୁର୍ଘଟଣା ଟ୍ରାଫିକ୍‌ ପରିଚାଳନାଜନିତ ତ୍ରୁଟି ପାଇଁ ହୋଇଥିବା ଅଭିଯୋଗ କରି ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା ଏବଂ ରାସ୍ତା ବନ୍ଦ ହୋଇଯିବା ଯାଏ କଥା ଯାଇଥିଲା।

ଆଜି ଅପରାହ୍‌ଣରେ ସ୍ଥାନୀୟ ନାଲ୍‌କୋ ଛକରେ ଘଟିଥିବା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ନିକଟସ୍ଥ ରାଧାକୃଷ୍ଣ ବସ୍ତିର ଫୁଲ ବିନ୍ଧାଣୀ(୫୧)। ଭିଡ଼ ରାସ୍ତାରେ ଯାଉଥିବା ଦ୍ରୁତଗାମୀ ବସ୍‌ ମାଡ଼ିଯିବାରୁ ଘଟଣାସ୍ଥଳରେ ଫୁଲଙ୍କ ମୃତ୍ୟୁ ଘଟିଥିଲା। ଚନ୍ଦ୍ରଶେଖରପୁର ଥାନା ପୁଲିସ ଚାଳକକୁ ଅଟକ ରଖିବା ସହ ଉକ୍ତ ଘରୋଇ ବସ୍‌କୁ ଜବତ କରି ଅଧିକ ତଦନ୍ତ ଚଳାଇଛି। ପୁଲିସ ସୂଚନାନୁସାରେ ରାଧାକୃଷ୍ଣ ବସ୍ତିରେ ରହୁଥିବା ଫୁଲ ଆଜି ଅପରାହ୍‌ଣରେ ବସ୍ତିକୁ ଫେରୁଥିଲେ। ନାଲ୍‌କୋ ଟ୍ରାଫିକ୍‌ ଛକଠାରେ ସେ ରାସ୍ତା ପାର୍‌ ହେବାକୁ ଅପେକ୍ଷା କରିଥିଲେ। ଏତିକିବେଳେ ଆଠଗଡ଼ ଅଭିମୁଖେ ଯାଉଥିବା ମହାବୀର ନାମକ ଘରୋଇ ବସ୍‌(ଓଆର୍‌ ୦୫-ଏଡବ୍ଲୁ-୧୧୬୧)ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ମାଡ଼ି ଆସିଥିଲା ଏବଂ ଫୁଲଙ୍କ ଉପରେ ମାଡ଼ି ଯାଇଥିଲା। ଚାଳକ ବ୍ରେକ୍ ମାରିବା ବେଳକୁ ଫୁଲ ବସ୍‌ ଚକା ତଳେ ଚାପି ହୋଇ ରହିଯାଇଥିଲେ ଏବଂ ସେହିଠାରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା। ଏହି ଘଟଣା ଦେଖିବା ପରେ ସ୍ଥାନୀୟ ଲୋକଙ୍କ ଭିତରେ ଉତ୍ତେଜନା ପ୍ରକାଶ ପାଇଥିଲା। ବିଶେଷକରି ଟ୍ରାଫିକ୍ ଛକରେ ଏଭଳି ଦୁର୍ଘଟଣା ଘଟିଥିବାରୁ ଲୋକେ ଟ୍ରାଫିକ ବ୍ୟବସ୍ଥାକୁ ଦାୟୀ କରି ହୋ-ହଲ୍ଲା କରିଥିଲେ। ଫଳରେ କିଛି ସମୟ ପାଇଁ ରାସ୍ତା ଜାମ୍‌ ହୋଇଯାଇଥିଲା ଏବଂ ଯାନବାହାନ ଚଳାଚଳ ବନ୍ଦ ହୋଇଯାଇଥିଲା। ଏହା ଭିତରେ ଚାଳକ ବସ୍‌ ଛାଡ଼ି ଫେରାର୍ ହେବାକୁ ଚେଷ୍ଟା କରୁଥିବା ବେଳେ ଲୋକେ ତାକୁ କାବୁ କରି ପୁଲିସ ଜିମା ଦେଇଥିଲେ। ଚନ୍ଦ୍ରଶେଖରପୁର ଥାନା ପୁଲିସ ଫୁଲଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇଛି।

ସେହିଭଳି ଆଜି ଅପରାହ୍ନ ପ୍ରାୟ ୩ଟା ବେଳେ ମଞ୍ଚେଶ୍ବର ଥାନା ଅଧୀନ ହାଇଟେକ୍‌ ଛକରେ ଏକ ଟ୍ରକ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅଧୀନ ବୁଢ଼ାପଙ୍କ ଗ୍ରାମର ଦେବାଶିଷ ପ୍ରଧାନ(୨୩)। ପୁଲିସ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ଲାଗି କ୍ୟାପିଟାଲ ହସ୍ପିଟାଲ ପଠାଇଛି। ଦୁର୍ଘଟଣା ଘଟାଇଥିବା ଟ୍ରକ୍‌କୁ ପୁଲିସ ଜବତ କରିବା ସହ ଡ୍ରାଇଭରକୁ ଥାନାରେ ଅଟକ ରଖିଛି। ପୁଲିସ ସୂଚନା ମୁତାବକ ଦେବାଶିଷ କୌଣସି କାମରେ ଭୁବନେଶ୍ବରରୁ କଟକ ଯାଉଥିଲେ। ହାଇଟେକ୍‌ ଛକ ନିକଟରେ ପଛପଟୁ ଦ୍ରୁତ ଗତିରେ ଆସୁଥିବା ଏକ ଟ୍ରକ୍‌ ତାଙ୍କୁ ଧକ୍କା ଦେଇଥିଲା। ସେ ବାଇକ୍‌ରୁ ଛିଟିକି ପଡ଼ିବା ପରେ ଟ୍ରକ୍‌ଟି ତାଙ୍କ ମୁଣ୍ଡ ଉପରେ ଚଢ଼ି ଯାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଜାତୀୟ ରାଜପଥ କିଛି ସମୟ ପାଇଁ ଜାମ୍ ହୋଇ ଯାଇଥିଲା। ଖବର ପାଇ ମଞ୍ଚେଶ୍ବର ଥାନା ପୁଲିସ ଘଟଣାସ୍ଥଲରେ ପହଞ୍ଚି ବୁଝାସୁଝା କରିଥିଲା। ପରେ ରାସ୍ତା ଜାମ୍ ହଟିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe