ପୂଜା‌ରେ ବି ସଫା କଲେନି, ସହର ସାରା ଆବର୍ଜନା

Advertisment
ପୂଜା‌ରେ ବି ସଫା କଲେନି, ସହର ସାରା ଆବର୍ଜନା

ଭୁବନେଶ୍ବର: ପରିମଳକୁ ନେଇ ତନାଘନା ଚାଲିଛି। ମେୟର, କମିସନର ସମସ୍ତଙ୍କର ନିଦ ହଜେଇ ଦେଲେଣି। ଗଳିକନ୍ଦିରୁ ଆରମ୍ଭ କରି ବଡ଼ ବଡ଼ ହୋଟେଲ, ଆପାର୍ଟମେଣ୍ଟ ପର୍ଯ୍ୟନ୍ତ ନିଜେ ଚଢ଼ଉ କରି କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି। ଖାସ୍‌ ପୂଜା ପାଇଁ କର୍ମଚାରୀଙ୍କ ଛୁଟି ବାତିଲ କରି କେବଳ ପରିମଳ ବ୍ୟବସ୍ଥା ଉପରେ କଡ଼ା ନଜର ରଖିଥିଲେ। ହେଲେ ଠିକ୍‌ ପୂଜା ବେଳକୁ ସବୁ ଭୁଶୁଡ଼ିଗଲା। ଗଳିକନ୍ଦି କଥା ଦୂରେଥାଉ, ଖୋଦ୍‌ ପୂଜା ପେଣ୍ଡାଲ କଡ଼ରେ କୁଢ଼କୁଢ଼ ଆବର୍ଜନା ଗଦା ହୋଇରହିଲା। ପ୍ରବଳ ବର୍ଷାରେ ଆବର୍ଜନା ପେଣ୍ଡାଲ ସାରା ଭାସିଲା। ନୂଆପଲ୍ଲୀର ଯେଉଁ ସ୍ଥାନରୁ ଫଟୋ ଉଠାଇ ବିଏମ୍‌ସି ସବୁ ସଫା ଥିବା ଦର୍ଶାଇ ଟ୍ବିଟ୍‌ କରି ବାହାବା ନେଲା, ତାହାର ୪ ଘଣ୍ଟା ଭିତରେ ସେ ସ୍ଥାନ ଆବର୍ଜନାରେ ଭର୍ତ୍ତି ହୋଇଗଲା। ବର୍ଷା ପୂର୍ବରୁ ଆବର୍ଜନା ନ ଉଠାଇବାରୁ ଏଭଳି ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହେଲା। କେବଳ ନୂଆପଲ୍ଲୀ ନୁହେଁ, ସହର ସାରା ଆବର୍ଜନା ଗଦା ହୋଇ ରହିଥିବା ଦେଖିବାକୁ ମିଳିଥିଲା।

ଅନ୍ୟପଟେ ପବ୍ଲିକ୍‌ ଡଷ୍ଟବିନ୍‌ ହଟାଇ ଦେବାକୁ ନେଇ ଝଡ଼ ଉଠିଛି। ଆଜି ସକାଳେ ବସିଥିବା ଏକ ସମୀକ୍ଷା ବୈଠକରେ ଏ ନେଇ ତନାଘନା ହେବା ସହ ଭିତ୍ତିଭୂମି ପ୍ରସ୍ତୁତ ନ କରି ଏହାକୁ ଉଠାଇବା ପାଇଁ କିଏ ନିଷ୍ପତ୍ତି ନେଲା ସେ ନେଇ ତମ୍ବିତୋଫାନ ହୋଇଥିଲା। କେତେକ କର୍ପୋରେଟର ଏହି ପ୍ରସଙ୍ଗ ଉଠାଇବା ସହ ମେୟର ଓ କମିସନରଙ୍କୁ ଘେରିଥିଲେ। ଖୋଦ୍‌ ମେୟର ଏଭଳି ନିଷ୍ପତ୍ତି ସମ୍ବନ୍ଧରେ ଜାଣି ନଥିବା କହିବାରୁ ହୋ ହଲ୍ଲା ହୋଇଥିଲା। ବଡ଼ ବଡ଼ ହୋଟେଲ ଓ ଆପାର୍ଟମେଣ୍ଟ ନିଜ ନିଜର ଆବର୍ଜନା ପରିଚାଳନା ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ରହିଥିଲେ ମଧ୍ୟ ୯୦ ପ୍ରତିଶତ ଆପାର୍ଟମେଣ୍ଟ ଏଭଳି ବ୍ୟବସ୍ଥା କରିନାହାନ୍ତି। କିନ୍ତୁ ଏମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ସେମାନେ ଏବେ ରାସ୍ତା ଉପରେ ଆବର୍ଜନା ଗଦା କରୁଛନ୍ତି। ସେହିଭଳି ରାତିକାଳୀନ ସଫେଇକୁ ମଧ୍ୟ ପ୍ରଶ୍ନ ଉଠିଛି। ସହରସାରା ଅନ୍ଧାର ଥିବାରୁ ସଫା ହୋଇ ପାରୁନାହିଁ। ରାତିରେ ସଫା‌ ହୋଇଥିବା ଜାଗା ପୁଣି ଥରେ ସକାଳେ ସଫା ହେଉଛି। ଏଣୁ ମାନବ ସମ୍ବଳ ଓ ଖର୍ଚ୍ଚ ଅଯଥା ବିନିଯୋଗ ହେଉଛି। ଏଣୁ କେବଳ ଲୋକ ଦେଖାଣିଆ ସଫା ନ କରି ଏହାକୁ ବନ୍ଦ କରାଯାଉ କିମ୍ବା ଉଚିତ୍‌ ଢଙ୍ଗରେ କରାଯାଉ ବୋଲି ପ୍ରସ୍ତାବ ଦିଆଯାଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe