ଛିଡ଼ୁନି ପାର୍ଟ ପ୍ଲଟ୍ ପଞ୍ଜୀକରଣ ଅଡ଼ୁଆ: ବର୍ଷକରେ ୫୦୦ କୋଟିର କ୍ଷତି ସହିଲେଣି ସରକାର

ପାର୍ଟପ୍ଲଟ୍ ପଞ୍ଜୀକରଣକୁ ନେଇ ରାଜ୍ୟର ବିଭିନ୍ନ ସବ୍‌ରେଜିଷ୍ଟ୍ରାର ଅଫିସରେ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଅଚଳାବସ୍ଥା ଜାରି ରହିଛି। ନିଜ ଜମି ହୋଇ ବି ଜମି ମାଲିକମାନେ ଜରୁରୀକାଳୀନ ସ୍ଥିତିରେ ଆଂଶିକ ଜମି ବିକ୍ରିରୁ ବଞ୍ଚିତ ହେଉଛନ୍ତି।

plot sale

Photograph: ( 99acres.com)

ଭୁବନେଶ୍ବର: ପାର୍ଟପ୍ଲଟ୍ ପଞ୍ଜୀକରଣକୁ ନେଇ ରାଜ୍ୟର ବିଭିନ୍ନ ସବ୍‌ରେଜିଷ୍ଟ୍ରାର ଅଫିସରେ ଏକ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଅଚଳାବସ୍ଥା ଜାରି ରହିଛି। ନିଜ ଜମି ହୋଇ ବି ଜମି ମାଲିକମାନେ ଜରୁରୀକାଳୀନ ସ୍ଥିତିରେ ଆଂଶିକ ଜମି ବିକ୍ରିରୁ ବଞ୍ଚିତ ହେଉଛନ୍ତି। ଏ ନେଇ ଜନ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି। ପାର୍ଟପ୍ଲଟ୍ ବିକ୍ରିରେ ଜଟିଳ ନିୟମ ଓ ସବ୍‌ରେଜିଷ୍ଟ୍ରାର୍‌ଙ୍କ ମନମୁଖୀ କାର୍ଯ୍ୟକଳାପ କାରଣରୁ ପଞ୍ଜୀକରଣ ପ୍ରକ୍ରିୟା ପ୍ରଭାବିତ ହୋଇଛି। ଏ ବାବଦରେ ସରକାର ବର୍ଷକରେ ପ୍ରାୟ ୫୦୦ କୋଟି ଟଙ୍କାର ରାଜସ୍ବ କ୍ଷତି ସହିଲେଣି ବୋଲି ଓଡ଼ିଶା ବିକାଶ ଅଭିଯାନ ଆଜି ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି। ମାସେ ଭିତରେ ପାର୍ଟପ୍ଲଟ୍ ପଞ୍ଜୀକରଣ ସମସ୍ୟା ଦୂର ନ ହେଲେ, ସଂଗଠନ ରାଜ୍ୟର ସବୁ ସବ୍‌ରେଜିଷ୍ଟ୍ରାର୍‌ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବ ବୋଲି ଓଡ଼ିଶା ବିକାଶ ଅଭିଯାନର ମ୍ୟାନେଜିଂ ଟ୍ରଷ୍ଟି ପ୍ରଦୀପ କୁମାର ସାହୁ କହିଛନ୍ତି।

ବର୍ଷକରେ ୫୦୦ କୋଟିର କ୍ଷତି ସହିଲେଣି ସରକାର
ମାସେ ଭିତରେ ସମାଧାନ ନହେଲେ ଆନ୍ଦୋଳନ ଚେତାବନୀ

ଆଜି ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ସାହୁ କହିଛନ୍ତି, ସମ୍ପତ୍ତିଗତ ଅଧିକାର ଏକ ସାମ୍ବିଧାନିକ ଅଧିକାର। ସରକାର ପାର୍ଟପ୍ଲଟ୍‌ କିଣାବିକାକୁ ବନ୍ଦ କରି ସାଧାରଣ ଲୋକଙ୍କର ସାମ୍ବିଧାନିକ ଅଧିକାରକୁ କ୍ଷୁଣ୍ଣ କରୁଛନ୍ତି। ପାର୍ଟପ୍ଲଟ୍ କିଣାବିକା ନହେବା କାରଣରୁ ରିୟଲ୍ ଇଷ୍ଟେଟ୍ ସେକ୍ଟର୍ ଓ ଏହା ସହିତ ଜଡ଼ିତ ଅନ୍ୟାନ୍ୟ ସେକ୍ଟର ବାଧାପ୍ରାପ୍ତ ହେଉଛି। ଶ୍ରୀ ସାହୁ କହିଛନ୍ତି, ଲୋକମାନେ ନିଜର ପୁଅ-ଝିଅ ବାହାଘର, ଗୃହ ନିର୍ମାଣ, ପାଠପଢ଼ା ଓ ଡାକ୍ତରଖାନା ଖର୍ଚ୍ଚ ପାଇଁ ନିଜର ଜମି ବିକ୍ରି କରିଥାନ୍ତି। ଜମିର କେତେ ଅଂଶ ବିକିବେ, ନିଜେ ସ୍ଥିର କରିଥାନ୍ତି। କିନ୍ତୁ ନୂଆ ନିୟମରେ ଲୋକଙ୍କ ବଦଳରେ ସରକାର ସଂପୃକ୍ତ ଜମି ମାଲିକ କେତେ ଜମି ବିକ୍ରି କରିବେ ସ୍ଥିର କରିବେ। ସବ୍‌ରେଜିଷ୍ଟ୍ରାର ଉଭୟ ପକ୍ଷଙ୍କର ପରିଚୟ ସହ ଷ୍ଟାମ୍ପ ଡ୍ୟୁଟି ଓ ସରକାରୀ ଦେୟ ଯାଞ୍ଚ କରି ଦଲିଲ୍‌ଟିକୁ ପଞ୍ଜୀକରଣ କରିବେ। କିନ୍ତୁ ରାଜ୍ୟ ସରକାର ୨୦୧୩ ମସିହାରେ ଜମିବାଡ଼ି ପଞ୍ଜୀକରଣ ପାଇଁ ଭାରତ ପଞ୍ଜୀକରଣ ଆଇନ-୧୯୦୮ରେ ସଂଶୋଧନ ଆଣି ଧାରା ୨୨- କ(୧)(ଗ) ମାଧ୍ୟମରେ ସବ୍‌ରେଜିଷ୍ଟ୍ରାରଙ୍କୁ ଅଖଣ୍ଡ କ୍ଷମତା ପ୍ରଦାନ କରିଥିଲେ। ଏହି ସଂଶୋଧିତ ଆଇନ ୨୦୧୪ରୁ ପ୍ରଣୀତ ଥିଲେ ବି ବାସ୍ତବ କ୍ଷେତ୍ରରେ ଲାଗୁ କରାଯାଇ ନଥିଲା।

ଦୁଇ ବର୍ଷ ତଳେ ସବ୍‌ରେଜିଷ୍ଟ୍ରାରମାନେ ଏହି ଆଇନକୁ ଆଳ କରି ସାଧାରଣ ଲୋକଙ୍କ ଜମି ପଞ୍ଜୀକରଣ କରିବାକୁ ମନା କରିବା ସହ ଏହାକୁ ଅସ୍ତ୍ର କରି ଦୁର୍ନୀତି ଆରମ୍ଭ କରି ଦେଇଥିଲେ। ୨୦୨୪ ସେପ୍ଟେମ୍ବରରେ ଓଡ଼ିଶା ବିକାଶ ଅଭିଯାନ ଏହି ସମସ୍ୟାକୁ ସରକାରଙ୍କ ନଜରକୁ ଆଣିଥିଲା ଓ ୨୦୧୩ ମସିହା ସଂଶୋଧିତ ଆଇନକୁ ଉଚ୍ଛେଦ ନିବେଦନ କରିଥିଲା। ଏହାର ବିଚାର ବଦଳରେ ରାଜସ୍ଵ ବିଭାଗ ନିଜ ଦୋଷକୁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମୁଣ୍ଡରେ ବୋଳି ଓଡିଏ(ପ୍ଲାନିଂ ଆଣ୍ଡ୍ ବିଲ୍ଡିଂ ଷ୍ଟାଣ୍ଡାର୍ଡ) ଦ୍ବିତୀୟ ସଂଶୋଧିତ ଆଇନ-୨୦୧୫ ଆଣି ଏହି ସମସ୍ୟାକୁ ଅଧିକ ଜଟିଳ କରି ଦେଇଛନ୍ତି। ଏହି ଆଇନ ଅନୁଯାୟୀ ଜଣେ ଚାଷୀ ନିଜର ଚାଷ ଜମିର କିଛି ଅଂଶ ବିକିଲେ, ତାହା ଭବିଷ୍ୟତରେ ଘରବାରି ହୋଇପାରିବ ନାହିଁ। ସବୁଦିନ ପାଇଁ ଚାଷ ଜମି ହିସାବରେ ବ୍ୟବହୃତ ହେବ। ଯୌଥ ସମ୍ପତ୍ତି ଆଂଶିକ ଭାବେ ବିକ୍ରି ହୋଇପାରିବନି। ଏହି ନିୟମ ଗତ ଜୁନ୍ ମାସରୁ କାର୍ଯ୍ୟକାରୀ ହୋଇଥିଲେ ମଧ୍ୟ ସବ୍‌ରେଜିଷ୍ଟ୍ରାରମାନେ ନୂଆ ନିୟମ ଉପରେ ସରକାରଙ୍କୁ ସ୍ପଷ୍ଟୀକରଣ ମାଗିଛୁ କହି ଜମି ପଞ୍ଜୀକରଣ କରୁନାହାନ୍ତି। ଏହାକୁ ଗୁରୁତ୍ବର ସହ ବିଚାର କରିବାକୁ ସଂଗଠନ ଦାବି କରିଛି। ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା ବିକାଶ ଅଭିଯାନର ସମ୍ପାଦକ ପ୍ରଶାନ୍ତ କୁମାର ମାର୍ଥା, କୋଷାଧ୍ୟକ୍ଷ ଡ. ପ୍ରଦୀପ କୁମାର ତରାଇ, ଟ୍ରଷ୍ଟି ଅନିଲ କୁମାର ମାହାଲିକ ଓ ଅମିୟ କୁମାର ଦାଶ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe