ସୁଧୁରୁନି ୪ ନମ୍ୱର ଡ୍ରେନ ସମସ୍ୟା: ବର୍ଷା ହେ‌ବାମାତ୍ରେ ଘରେ ପଶୁଛି ପାଣି

Advertisment
ସୁଧୁରୁନି ୪ ନମ୍ୱର ଡ୍ରେନ ସମସ୍ୟା: ବର୍ଷା ହେ‌ବାମାତ୍ରେ ଘରେ ପଶୁଛି ପାଣି

ଭୁବନେଶ୍ୱର: ‘‘ସରକାର ବଦଳୁଛନ୍ତି, କିନ୍ତୁ ଆମ ସମସ୍ୟା ସୁଧୁରୁନି। ବର୍ଷା ଉଠେଇବା କ୍ଷଣି ମନରେ ପଶିଯାଉଛି ଭୟ। ବିଶେଷ କରି ସନ୍ଧ୍ୟା ସମୟରେ ବର୍ଷା ହେଲେ କଥା ସରିଲା। ସେ ରାତିରେ ନା ରୋଷେଇ ହେଇପାରିବ ନା ଭଲରେ ଶୋଇ ହେବ। ପାଣି ବୋହି ବୋହି ରାତି ପାହିଯିବ...।’’ ଏକସ୍ବରରେ ଏଭଳି କହନ୍ତି ୱାର୍ଡ ନମ୍ବର ୨୯ର ଶୁକବିହାର ବସ୍ତି ବାସିନ୍ଦା। ଏହି ବସ୍ତିରେ ପ୍ରାୟ ୧୨୫ ପରିବାର ଅଛନ୍ତି, ଜନସଂଖ୍ୟା ପ୍ରାୟ ୪୦୦। କିନ୍ତୁ ଏତେ ଲୋକ ଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଡ୍ରେନ ସମସ୍ୟା ସୁଧୁରିଲାନି। ଦୀର୍ଘଦିନ ଧରି ଏହି ଅଞ୍ଚଳରେ ପ୍ରବାହିତ ହେଉଥିବା ୪ ନମ୍ବର ଡ୍ରେନ୍‌ର ଅଧିକାଂଶ ଅଂଶ ମୁକୁଳା ପଡ଼ିଛି। ଫଳରେ ଅସରାଏ ବର୍ଷା ହେଲେ ଡ୍ରେନ୍‌ରୁ ପାଣି ଉଛୁଳି ବସ୍ତିରେ ପଶୁଛି। ବର୍ଷା ହେବା ମାତ୍ରେ ବସ୍ତିରେ ମଇଳା ପାଣି ପଶିଯାଉଥିବାରୁ ଲୋକମାନେ ଶାନ୍ତିରେ ରହି ପାରୁନାହାନ୍ତି। ଗତ ୧୮ ତାରିଖରେ ଏହି ମୁକୁଳା ଡ୍ରେନ ଏକ ୧୦ ବର୍ଷର ନାବାଳକର ଜୀବନ ନେଇଥିବା ବେଳେ ବସ୍ତି ଦେଇ ପ୍ରବାହିତ ହୋଇଥିବା ଏହି ଡ୍ରେନ୍‌ର ଅଧିକାଂଶ ଅଂଶ ମୁକୁଳା ପଡ଼ିଛି। ସୂଚନା ମୁତାବକ, ଗତବର୍ଷ ଏହି ଡ୍ରେନ୍‌ର ପୁନରୁଦ୍ଧାର ପାଇଁ ୧ କୋଟି ୩୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। କିନ୍ତୁ କୌଣସି କାରଣରୁ ଏହାର କାମ ହୋଇପାରିଲା ନାହିଁ।

କେବଳ ଏହି ବସ୍ତି ନୁହେଁ, ବାଣୀବିହାର ଶନି ମନ୍ଦିର ବସ୍ତିର ମଧ୍ୟ ସମାନ ସ୍ଥିତି। ଏହି ବସ୍ତିର ଲୋକସଂଖ୍ୟା ୩୫୦ ରୁ ଊର୍ଦ୍ଧ୍ୱ। କିନ୍ତୁ ବସ୍ତିରେ ଥିବା ଡ୍ରେନ ସଫା ହେଉନି ବୋଲି ବାରମ୍ୱାର ଅଭିଯୋଗ ହେଉଛି। ବସ୍ତିଟି ନିଚ୍ଚାରେ ଥିବାରୁ ବର୍ଷା ହେବା କ୍ଷଣି ଉଭୟ ବାଣୀବିହାର ଛକ ଓ ଡ୍ରେନରୁ ପାଣି ପ୍ରବାହିତ ହୋଇ ଲୋକଙ୍କ ଘରେ ପଶୁଛି। ଏପରିକି ଶନି ମନ୍ଦିରରେ ମଧ୍ୟ ପାଣି ପଶି ଯାଉଛି। ଵାର୍ଡର କର୍ପୋରେଟର ଅପରୂପ ନାରାୟଣ ରାଉତଙ୍କ କହିବା ଅନୁଯାୟୀ, ଡ୍ରେନ ସମସ୍ୟା ଦୂର କରିବା ପାଇଁ ୬ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହି ୪ନମ୍ୱର ଡ୍ରେନଟି ଖୁବ୍‌ଶୀଘ୍ର ଖାରବେଳନଗର ସ୍ଥିତ ୫ ନମ୍ୱର ଡ୍ରେନ୍‌ ଭଳି ‘ୟୁ ସେପ୍‌’ରେ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe