ଭୁବନେଶ୍ବର: ରାଜଧାନୀର ପେଟ୍ରୋଲ ପମ୍ପକୁ ବିପଦ ସାଜିଛି ଡିଜିଟାଲ୍‌ ବିଜ୍ଞାପନ ହୋର୍ଡିଂ। ଆଇଗିଣିଆ ଅଘଟଣ ପରେ ପ୍ରତି ମୁହୂର୍ତ୍ତରେ ଏହା ଗାଡ଼ି ଚାଳକଙ୍କ ପାଇଁ ପ୍ରାଣଘାତକ ଭାବେ ଠିଆ ହୋଇଛି। ବର୍ଷା ପବନରେ ଭାଙ୍ଗି ପଡ଼ିବାର ଭୟ ରହୁଛି। ବିଦ୍ୟୁତ୍‌ ସଂଯୋଗ ଥିବାରୁ ପେଟ୍ରୋଲ୍‌ ପମ୍ପରେ ଅଗ୍ନିକାଣ୍ଡ ଓ ବିସ୍ଫୋରଣ ଅବା ଅନ୍ୟ କିଛି ଅଘଟଣ ଘଟାଇବାର ଆଶଙ୍କା ରହିଛି। ତଥାପି ବିଏମ୍‌ସ ଏଥିରେ ହାତ ମାରୁନି। ପେଟ୍ରୋଲ୍‌ ପମ୍ପରେ ଡିଜିଟାଲ୍‌ ବିଜ୍ଞାପନ ହୋର୍ଡିଂ ଲାଗିବାରେ କଟକଣା ଥିଲେ ବି ଠିକାସଂସ୍ଥାଙ୍କୁ ଡିଜିଟାଲ୍‌ ହୋର୍ଡିଂ ଲଗାଇବାକୁ ଅନୁମତି ଦେଇ ଚାଳକଙ୍କୁ ବିପଦ ଭିତରକୁ ଠେଲି ଦିଆଯାଇଛି।

Advertisment

GDP: ସହରୀକରଣ ରାଜ୍ଯ ଜିଡିପିର ଏକ ତୃତୀୟାଂଶ ଅଭିବୃଦ୍ଧି କରିବ: ଉଷା ପାଢୀ

କର୍ପୋରେଟର୍‌ମାନେ ଏହାର ବିରୋଧ କରି ଆସୁଥିଲେ ବି କିଛି କାଟୁ କରୁନି। ପେଟ୍ରୋଲିୟମ ମନ୍ତ୍ରାଳୟର ଦ୍ବାହି ଦେଇ ବିଏମ୍‌ସି ଅନ୍ୟ ଏକ ଅଘଟଣକୁ ଅପେକ୍ଷା କରିଛି। ବିଏମ୍‌ସି ଅଞ୍ଚଳରେ କଳ୍ପନା ଛକ, ୟୁନିଟ୍‌-୨ , କଳିଙ୍ଗ ଷ୍ଟାଡିୟମ ନିକଟ, ବାଣୀବିହାର, ଲକ୍ଷ୍ମୀସାଗର ଝାରପଡ଼ା ଛକ ସହ ବିଭିନ୍ନ  ପେଟ୍ରୋଲ୍‌ ପମ୍ପରେ ବଡ଼ ବଡ଼ ଡିଜିଟାଲ୍‌ ବିଜ୍ଞାପନ ହୋର୍ଡିଂ ଲଗାଯାଇଛି। ଅନେକ ଜାଗାରେ ବିଜ୍ଞାପନ ବ୍ୟାନର ନଥାଇ ହୋର୍ଡିଂର ଲୁହାବାଡ଼ ଠିଆ ହୋଇ ରହିଛି। ବିଏମ୍‌ସି ପେଟ୍ରୋଲ୍‌ ପମ୍ପରେ ଏଭଳି ଡିଜିଟାଲ୍‌ ବିଜ୍ଞାପନ ହୋର୍ଡିଂ ଲଗାଇବାକୁ ଅନୁମୋଦିତ ଜାଗାର ବର୍ଗଫୁଟ ପିଛା ବାର୍ଷିକ ୩୨୦ ଟଙ୍କା ନେଉଛି। ବର୍ତ୍ତମାନ ସୁଦ୍ଧା ବିଏମ୍‌ସି ପେଟ୍ରୋଲ ପମ୍ପରେ ୨୫୮୮ ବର୍ଗଫୁଟ ବିଜ୍ଞାପନ ଲଗାଇବାକୁ ଅନୁମତି ଦେଇଛି ଓ ଏଥିରୁ ୮ଲକ୍ଷ ୨୮ହଜାର ୧୬୦ ଟଙ୍କା ପାଇଛି। ପେଟ୍ରୋଲିୟମ ଆଇନ-୧୯୩୪ ଓ ପେଟ୍ରୋଲିୟମ ନିୟମ-୨୦୨୨ ଅନୁଯାୟୀ ସବୁ ପେଟ୍ରୋଲ୍‌ ପମ୍ପକୁ ହାଜାର୍ଡସ୍‌ ଜୋନ୍‌ ଭାବେ ପରିଗଣିତ କରାଯାଉଛି।

Arrest: ୫କୁଖ୍ୟାତ ଚୋର ଗିରଫ; ଚଢ଼ଉ ବେଳେ ଚମ୍ପଟ ମାରିଲା ସର୍ଦାର

ଯେଉଁଠାରେ ବଡ଼ ବଡ଼ ହୋର୍ଡିଂ ଓ ଅନ୍ୟାନ୍ୟ ନିର୍ମାଣ ଅଗ୍ନିକାଣ୍ଡ ଭଳି ବିପଦ ସୃଷ୍ଟି କରିପାରେ। ୨୦୨୪ରେ ମୁମ୍ବାଇ ପେଟ୍ରୋଲ୍‌ ପମ୍ପରେ ୧୭ଜଣଙ୍କର ମୃତ୍ୟୁ ପରେ ନ୍ୟାସନାଲ୍‌ ବିଲ୍ଡିଂ କୋଡ୍‌, ପାର୍ଟ-୪, ଫାୟାର ଓ ଲାଇଫ୍‌ ସେଫ୍‌ଟି ଏବଂ ବିପର୍ଯ୍ୟୟ ପରିଚାଳନା ଆଇନ-୨୦୦୫ ଅନୁଯାୟୀ ଓଡ଼ିଶାରେ ଏଭଳି ବଡ଼ ବଡ଼ ଡିଜିଟାଲ୍‌ ହୋର୍ଡିଂ, ନିର୍ମାଣକୁ ନିଷେଧ କରାଯାଇଛି। ଓଡ଼ିଶା ବାତ୍ୟାପ୍ରବଣ ଅଞ୍ଚଳ ହୋଇଥିବାରୁ ଏଭଳି କଟକଣା ଜାରି କରାଯାଇଛି। ସେପଟେ ବିଏମ୍‌ସି ଆଉଟ୍‌ଡୋର୍‌ ବିଜ୍ଞାପନ ପଲିସି-୨୦୧୭ ନିୟମାବଳୀ ଅନୁଯାୟୀ ପେଟ୍ରୋଲ୍‌ ପମ୍ପ, ଡାକ୍ତରଖାନା, ବିଦ୍ୟାଳୟ ଅଞ୍ଚଳକୁ ବିପଦପୂର୍ଣ୍ଣ ଅଞ୍ଚଳ ଘୋଷଣା କରାଯାଇ ହୋର୍ଡିଂ, ବିଜ୍ଞାପନ ଲଗାଇବାରେ କଟକଣା ଲଗାଯାଇଛି। ତଥାପି ବିଏମ୍‌ସି ଏଭଳି ବେଆଇନ୍‌ କାମକୁ ଅନୁମତି ଦେଇଛି।  ଯାହା ଜନସାଧାରଣଙ୍କ ପାଇଁ ବିପଦକୁ ଆମନ୍ତ୍ରଣ କରୁଛି। ଏ ସଂପର୍କରେ ବିଏମ୍‌ସି ଡେପୁଟି କମିସନର୍‌ ଅଜୟ କୁମାର ଜେନା କହିଛନ୍ତି, ପେଟ୍ରୋଲିୟମ ମନ୍ତ୍ରାଳୟ ଏଭଳି ହୋର୍ଡିଂ ଲଗାଇବାକୁ କହିଛି। ପେଟ୍ରୋଲିୟମ ମନ୍ତ୍ରାଳୟ ଚିଠିକ୍ରମେ ଆମେ ଏହି ହୋର୍ଡିଂ ଲଗାଇବାକୁ ଅନୁମତି ଦେଇଛୁ।