କୁଖ୍ୟାତ ନିଶାଦିଆ ଲୁଟେରା ସୀମାଞ୍ଚଳ ଗିରଫ

Advertisment
କୁଖ୍ୟାତ ନିଶାଦିଆ ଲୁଟେରା ସୀମାଞ୍ଚଳ ଗିରଫ

ଭୁବନେଶ୍ବର: କୁଖ୍ୟାତ ନିଶାଦିଆ ଲୁଟେରା ସୀମାଞ୍ଚଳ ସୁବୁଦ୍ଧିକୁ ପୁଣି ଗିରଫ କରିଛି ପୁଲିସ। ଜଣେ ଯୁବତୀଙ୍କ ଥଣ୍ଡା ପାନୀୟରେ ନିଶା ମିଶାଇ ମୋବାଇଲ୍ ଓ ଟଙ୍କା ଲୁଟିନେବା ଅଭିଯୋଗରେ ଭରତପୁର ଥାନା ପୁଲିସ ତାକୁ ଗିରଫ କରିଛି। ସୀମାଞ୍ଚଳ ପାଖରୁ ପୁଲିସ ଅଢ଼େଇ ହଜାର ଟଙ୍କା ଜବତ କରିଛି।

ସୂଚନା ଅନୁଯାୟୀ, ଗତ ୨ତାରିଖ ସନ୍ଧ୍ୟାରେ ସୁନ୍ଦରପଦା ଆଜାଦନଗରରେ ରହୁଥିବା ଜଣେ ଯୁବତୀ ସମ୍ବଲପୁର ଯିବା ପାଇଁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ପହଞ୍ଚିଥିଲେ। ସୀମାଞ୍ଚଳ ଯୁବତୀଙ୍କୁ ଏକୁଟିଆ ଦେଖି ତାଙ୍କ ସହ କଥାବାର୍ତ୍ତା ଆରମ୍ଭ କରିଥିଲା। ସେ ମଧ୍ୟ ସମ୍ବଲପୁର ଯିବା ପାଇଁ ବସ୍‌କୁ ଅପେକ୍ଷା କରିଥିବା କହିଥିଲା। ଏହା ପରେ କଥା ଛଳରେ ଯୁବତୀଙ୍କୁ ଥଣ୍ଡା ପାନୀୟରେ ନିଶା ବଟିକା ମିଶାଇ ପିଇବାକୁ ଦେଇଥିଲା। ଯୁବତୀ ଥଣ୍ଡା ପାନୀୟ ପିଇବା ପରେ ଚେତା ହରାଇ ଘଟଣାସ୍ଥଳରେ ପଡ଼ିଯାଇଥିଲେ। ଏହାପରେ ସୀମାଞ୍ଚଳ ତାଙ୍କ ପକେଟରୁ ମୋବାଇଲ୍ ଓ ଅଢ଼େଇ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲା। ପୀଡ଼ିତାଙ୍କ ମାମୁ ସୟଦ ଅନ୍‌ସୁର୍ ଅଲ୍ଲୀ ଏନେଇ ଭରତପୁର ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରି ସୀମାଞ୍ଚଳକୁ ଗିରଫ କରିଥିଲା।

୩୦ ଆପରାଧିକ ମାମଲାରେ ସଂପୃକ୍ତ ସୀମାଞ୍ଚଳ

ସୀମାଞ୍ଚଳକୁ ଗିରଫ କରିବା ପରେ ପୁଲିସ ତା’ ଟ୍ରାକ୍ ରେକର୍ଡ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଛି। ପୂରା ଓଡ଼ିଶା ବୁଲି ବୁଲି ସୀମାଞ୍ଚଳ ଯାତ୍ରୀଙ୍କୁ ନିଶା ଦେଇ ଲୁଟିଥିବା ଜଣାପଡ଼ିଛି। ତା’ ନାଁରେ ୪ଟି ଜିଲ୍ଲାରେ ପ୍ରାୟ ୩୦ଟି ନିଶା ଦେଇ ଲୁଟ୍‌ପାଟ୍ କରିଥିବା ଅଭିଯୋଗ ରହିଛି। କମିସନରେଟ୍ ପୁଲିସର ଖଣ୍ଡଗିରି ଥାନାରେ ୭ଟି ମାମଲା ରହିଥିବା ବେଳେ ଭରତପୁରରେ ୩ଟି, କ୍ୟାପିଟାଲରେ ୨ଟି ଏବଂ ସହିଦନଗର, ଖାରବେଳନଗର, ଭୁବନେଶ୍ବର ଜିଆର୍‌ପିରେ ଗୋଟିଏ ଲେଖାଏ ମାମଲା ଥିବା ଜଣାପଡ଼ିଛି। ସେହିଭଳି କଟକ ଜିଆର୍‌ପି ଥାନାରେ ୪ଟି, କଟକ ସଦର ଥାନାରେ ଗୋଟିଏ, ବ୍ରହ୍ମପୁର ଜିଆର୍‌ପିରେ ୫ଟି, ଭଂଜନଗରରେ ୨ଟି ଏବଂ କେନ୍ଦ୍ରାପଡ଼ାରେ ଗୋଟିଏ ମାମଲା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe