ଓୟୁଏଟିରେ ଏନ୍‌ଏସ୍‌ଏସ୍‌ ଦିବସ, ଅନୁମତି ମିଳିଲେ କ୍ଲାସ୍‌ରୁମ୍‌ ପାଠପଢ଼ା ଆରମ୍ଭ ହେବ

Advertisment
ଓୟୁଏଟିରେ ଏନ୍‌ଏସ୍‌ଏସ୍‌ ଦିବସ, ଅନୁମତି ମିଳିଲେ କ୍ଲାସ୍‌ରୁମ୍‌ ପାଠପଢ଼ା ଆରମ୍ଭ ହେବ

ଭୁବନେଶ୍ବର : କରୋନାକୁ ଡରନ୍ତୁ ନାହିଁ, ପ୍ରତିଷେଧକ ବ୍ୟବସ୍ଥା ସହ ବିଦ୍ୟାର୍ଥୀମାନେ କଲେଜ ଆସନ୍ତୁ। ସରକାର ଅନୁମତି ଦେଲେ, ଚଳିତ ବର୍ଷ କଲେଜ ନାମ ଲେଖାଇଥିବା ବିଦ୍ୟାର୍ଥୀଙ୍କ କ୍ଲାସରୁମ୍‌ ପାଠପଢ଼ା ଆରମ୍ଭ ହେବ। ଏଥିସହ ପ୍ରତ୍ୟେକ ସେମିଷ୍ଟର୍‌ରେ ଭେଲ୍ୟୁ-ଏଡିସନ୍‌ ପାଠ୍ୟକ୍ରମ ସାମିଲ କରାଯିବ। ଓୟୁଏଟିରେ ଆୟୋଜିତ ରାଜ୍ୟସ୍ତରୀୟ ଏନ୍‌ଏସ୍‌ଏସ୍‌ ଦିବସ ଉତ୍ସବ ଅବସରରେ ଏହା କହିଛନ୍ତି ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ର।

ଏହି ଅବସରରେ ଶ୍ରୀ ମିଶ୍ର ଆହୁରି କହିଲେ ଯେ ଦେଢ଼ ବର୍ଷ ଧରି ପିଲା ଘରୁ ବାହାରିଲେ ନାହିଁ। କିନ୍ତୁ କରୋନା ଯେଉଁଭଳି ହେବା କଥା ହେଲା। ଘରେ ରହିଯାଉଥିବାରୁ ପିଲାଙ୍କ ବ୍ୟକ୍ତିତ୍ବର ବିକାଶ ହୋଇପାରିଲା ନାହିଁ। ସ୍ଥିତି ଏଭଳି ହୋଇଛି ଯେ ଚଳିତ ବର୍ଷ ଅନଲାଇନ୍‌ରେ ପାଠ ପଢ଼ିଥିବା ପିଲା ଅଫ୍‌ଲାଇନ୍‌ ପରୀକ୍ଷାକୁ ବିରୋଧ କରି ବିଭିନ୍ନ ସ୍ଥାନରେ ଆନ୍ଦୋଳନ କରୁଛନ୍ତି। ଅନ୍‌ଲାଇନ୍‌ ପରୀକ୍ଷାରେ ପିଲା ନକଲ କରି ପରୀକ୍ଷା ଦେବେ। ତେଣୁ ପରିସ୍ଥିତି ଯାହା ବି ହେଉ, ପିଲାଙ୍କୁ ସାମାନ୍ୟ କଷ୍ଟ ହେଲେ ବି ଅଫ୍‌ଲାଇନ୍‌ ପରୀକ୍ଷା ହିଁ ଦରକାର।

ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମ ସମ୍ପର୍କରେ ସେ କହିଥିଲେ, ଏବେ ବାହାରକୁ ନଯାଇ ଏନ୍‌ଏସ୍‌ଏସ୍‌ ସ୍ବେଚ୍ଛାସେବୀ କ୍ୟାମ୍ପସ୍‌ ଭିତରେ କାର୍ଯ୍ୟକ୍ରମ କରନ୍ତୁ। ସର୍ବପ୍ରଥମେ କ୍ୟାମ୍ପସକୁ ନିଶାମୁକ୍ତ କରିବାକୁ ଚେଷ୍ଟା କରନ୍ତୁ। ମାସକରେ ୨ଥର ନିଶା ବିରୋଧରେ ସଚେତନତା କାର୍ଯ୍ୟକ୍ରମ, ରକ୍ତଦାନ, ବୃକ୍ଷରୋପଣ, ସ୍ବାସ୍ଥ୍ୟ ଯାଞ୍ଚ, ଫିଟ୍‌ ଇଣ୍ଡିଆ କାର୍ଯ୍ୟକ୍ରମ ଗ୍ରହଣ କରନ୍ତୁ। ବର୍ତ୍ତମାନ ପରିପ୍ରେକ୍ଷୀରେ ସମାଜକୁ ଆଇନ୍‌ଷ୍ଟାଇନ୍‌ ନୁହେଁ, ସାଧାରଣ ଭଲ ମଣିଷ ହିଁ ଆବଶ୍ୟକ। ଏନ୍‌ଏସ୍‌ଏସ୍‌ ଆଞ୍ଚଳିକ ନିର୍ଦ୍ଦେଶକ ସରିତା ପଟେଲ କହିଲେ, କ୍ରୀଡ଼ା ବିଭାଗ ସହ ମିଶି ଏନ୍‌ଏସ୍‌ଏସ୍‌ କାର୍ଯ୍ୟକ୍ରମକୁ ଆଗେଇ ନିଆଯିବ। ଏଥିପାଇଁ ପ୍ରତି ୟୁନିଟ୍‌ରେ ୨ଜଣ ଲେଖାଏଁ କ୍ୟାମ୍ପସ୍‌ ଆମ୍ବାସାଡର୍‌ ରଖାଯିବ। ସେମାନଙ୍କୁ ଆବଶ୍ୟକ ପ୍ରଶିକ୍ଷଣ ଦିଆଯିବ। ଏନ୍‌ୱାଇପି ଆବାହକ ମଧୁସୂଦନ ଦାସ କହିଲେ, ଏନ୍‌ଏସ୍‌ଏସ୍‌ ବିଦ୍ୟାର୍ଥୀମାନେ ଲକ୍ଷ୍ୟହୀନ ଜୀବନ, ଅହଙ୍କାରରୁ ନିଜକୁ ମୁକ୍ତ ରଖିବା ଉଚିତ। ଏନ୍‌ଏସ୍‌ଏସ୍‌ ବିଦ୍ୟାର୍ଥୀଙ୍କ ବୃକ୍ଷରୋପଣ କାର୍ଯ୍ୟକ୍ରମ ଯୋଗୁଁ ହିଁ ୧୯୯୯ ମହାବାତ୍ୟାରେ ପାରାଦୀପ ବଞ୍ଚି ପାରିଥିଲା। କୁଳପତି ପବନ ଅଗ୍ରୱାଲ ସମସ୍ତ ବିଦ୍ୟାର୍ଥୀଙ୍କୁ ପରିବର୍ତ୍ତନର ମାଧ୍ୟମ ହେବାକୁ ଆହ୍ବାନ ଦେଇଥିଲେ। ଉଚ୍ଚଶିକ୍ଷା ବିଭାଗ ଉପସଚିବ ଡ. ରମେଶ ବେହେରା ପ୍ରାରମ୍ଭିକ ବକ୍ତବ୍ୟ ଏବଂ ଅଧ୍ୟାପକ ଏନ୍‌.ବି ଖୁଣ୍ଟିଆ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe