ଅସମ୍ଭାଳ ମେ’; ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳକୁ ଖସୁନି

Advertisment

୯ଦିନରେ ୯୧୯୯, ୬୫୧୬ ସୁସ୍ଥ, ୧୯ମୃତ, କରୋନା ଏବେ ଶୀର୍ଷରେ

୯ଦିନରେ ୯୧୯୯, ୬୫୧୬ ସୁସ୍ଥ, ୧୯ମୃତ, କରୋନା ଏବେ ଶୀର୍ଷରେ

ବାରଙ୍ଗ ବ୍ଲକରେ ମାଡ଼ୁଛି କରୋନା

ଭୁବନେଶ୍ବର : ରାଜଧାନୀରେ କରୋନା ଏବେ ଶୀର୍ଷରେ ପହଞ୍ଚିଛି। କରୋନା‌ର ଦ୍ବିତୀୟ ଲହରରେ ଏପ୍ରିଲ ୧ରୁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଥିବା ବେଳେ ମେ’ରେ ସ୍ଥିତି ଅସମ୍ଭାଳ ହେଲାଣି। ଏପରିକି ଗତ ୬ ଦିନ ହେଲା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ତଳକୁ ଖସୁନି। ଗତ ୯ ଦିନରେ କେବଳ ୯୧୯୯ଜଣ ଆକ୍ରାନ୍ତ ଚିହ୍ନଟ ହେଲେଣି। ଏହି ସମୟରେ ମାତ୍ର ୬୫୧୬ଜଣ ସୁସ୍ଥ ହୋଇଥିବା‌ ବେଳେ ୧୯ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି।

ବିଶେଷଜ୍ଞ ମେ’ ମାସକୁ ନେଇ ଯେଉଁ ପୂର୍ବାନୁମାନ କରୁଥିଲେ, ତାହା ସତ ହେବାକୁ ଯାଉଛି। ନାଇଟ୍‌ କର୍ଫ୍ୟୁ, ସପ୍ତାହାନ୍ତ ସଟ୍‌ଡାଉନ୍, ଲକ୍‌ଡାଉନ୍‌ କିଛି ହଠାତ୍‌ କାମ ଦେଉନି। ଆକ୍ରାନ୍ତଙ୍କ ସଂଖ୍ୟା ଏବେ ହୁ’ ହୁ ହୋଇ ବଢ଼ୁଥିବାରୁ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ହଜାରେ ଉପରେ ରହୁଛି। ଫଳରେ ସ୍ଥିତି ନିୟନ୍ତ୍ରଣକୁ ଆସିବାକୁ ଆହୁରି ତିନିରୁ ଚାରି ମାସ ଲାଗିବ ବୋଲି ବିଏମ୍‌ସିର ଜଣେ ଅଧିକାରୀ କହିଛନ୍ତି। ଉକ୍ତ ଅଧିକାରୀଙ୍କ କହିବାନୁଯାୟୀ, ଗତବର୍ଷ ଏପ୍ରିଲ ଓ ମେ’ରେ ଦୁଇ ଅଙ୍କ ବିଶିଷ୍ଟ ଆକ୍ରାନ୍ତ ଚିହ୍ନଟ ହେଉଥିବା ବେଳେ ଜୁଲାଇ ବେଳକୁ ଏହା ତିନି ଅଙ୍କ ଛୁଇଁଥିଲା। ସେପ୍ଟେମ୍ବରରେ କରୋନା ପିକ୍‌ରେ ଥିଲା। ଏକ ଅଙ୍କକୁ ଖସିବାକୁ ପ୍ରାୟ ୫ମାସ ଲାଗିଥିଲା। ଗତବର୍ଷ ଯେତିକି ସର୍ବାଧିକ ଦୈନିକ ଆକ୍ରାନ୍ତ ଥିଲା, ଏବେ ପ୍ରତିଦିନ ତାହାର ଦେଢ଼ଗୁଣା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏବେ କରୋନା ପିକ୍‌ରେ ଥିବାରୁ ଦୈନିକ ହଜାରେରୁ ୧୧ଶହ ମଧ୍ୟରେ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଏହାବାଦ୍ ଏବେ ଆକ୍ରାନ୍ତଙ୍କ ତୁଳନାରେ ସୁସ୍ଥଙ୍କ ସଂଖ୍ୟା କମ୍‌ ରହୁଛି। ଯେତେବେଳେ ସୁସ୍ଥଙ୍କ ସଂଖ୍ୟା ଲଗାତାର ଭାବେ ଆକ୍ରାନ୍ତଙ୍କ ସଂଖ୍ୟାଠାରୁ ଅଧିକ ରହିବ, ସେତେବେଳେ କରୋନା ପିକ୍‌ରୁ ଖସିଲା ବୋଲି ଜାଣିବା। ଯଦି ପ୍ରଥମ ପର୍ଯ୍ୟାୟ ଭଳି ଆକ୍ରାନ୍ତଙ୍କ ସଂଖ୍ୟା କମିବ, ତେବେ ରାଜଧାନୀରେ ଆକ୍ରାନ୍ତଙ୍କ ସଂଖ୍ୟା ଏକ ଅଙ୍କକୁ ଖସିବାକୁ ଅକ୍ଟୋବର ମାସ ହୋଇଯିବ।

ଚଳିତ ଏପ୍ରିଲରେ ରାଜଧାନୀରେ କରୋନା ଉପରମୁହାଁ ହୋଇଥିଲା। କେବଳ ଏପ୍ରିଲରେ ୧୧୯୬୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୧ଜଣଙ୍କର ମୃତ୍ୟୁ ହୋଇଥିଲା। ହେଲେ ମେ’ରେ ୯ଦିନରେ ୯୧୯୯ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୯ଜଣଙ୍କର ମୃତ୍ୟୁ ହୋଇସାରିଲାଣି। ପୂରା ଏପ୍ରିଲ ମାସରେ ଯେତିକି ଆକ୍ରାନ୍ତ ଚିହ୍ନଟ ହୋଇଥିଲେ, ତାର ୮୦%ରୁ ଅଧିକ ଆକ୍ରାନ୍ତ ୯ ଦିନରେ ଚିହ୍ନଟ ହୋଇସାରିଲେଣି। ଯେତିକି ଲୋକ ମରିଥିଲେ, ତା’ଠାରୁ ଅଧିକ ୮ଜଣ ମଲେଣି। ମାସ ପୂରିବାକୁ ଆହୁରି ୨୧ଦିନ ଥିବାରୁ ମେ’ ମାସ ଯେ ରାଜଧାନୀ ପାଇଁ ବିପଦର ମାସ ହେବ, ତାହା ଜଳଜଳ ଦିଶୁଛି।

ସବୁଠୁ ଚିନ୍ତାର ବିଷୟ ହେଉଛି, ଦୈନିକ ସଂକ୍ରମଣ ସଂଖ୍ୟା। ଗତ ୯ଦିନ ମଧ୍ୟରେ ମାତ୍ର ଦୁଇଥର ହଜାରେ ତଳକୁ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ୧୧ଶହ ଉପରେ ଦୁଇଥର ରହିଲାଣି। ତେଣୁ ଚାରି ଅଙ୍କରେ ଥିବା ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା କେବେ ଏକ ଅଙ୍କକୁ ଆସିବ, ତାହାକୁ ରାଜଧାନୀବାସୀଙ୍କ ଅପେକ୍ଷା।

ସୂଚନାଯୋଗ୍ୟ, ଆଜି ୧୦୮୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୯୦୬ଜଣ ସୁସ୍ଥ ହୋଇଛନ୍ତି, ଜଣଙ୍କର ମୃତ୍ୟୁ ହୋଇଛି। ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଓ ସୁସ୍ଥ ସଂଖ୍ୟା ପାଖାପାଖି ରହୁଥିବାରୁ ଖୁବ୍‌ଶୀଘ୍ର ରାଜଧାନୀରେ ସ୍ଥିତି ସୁଧୁରିବ ବୋଲି ଆଶା କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe