ଓକାକ୍ ସିଇଓଙ୍କ ହ୍ୱାଟସଆପ୍ ହ୍ୟାକ୍ ଘଟଣା: କାରବାର ପଛରେ ନାଇଜେରିଆ ଠକ

Advertisment

ଆକାଉଣ୍ଟ ଅଚଳ ପୂର୍ବରୁ ଉଠାଇ ନେଇଛନ୍ତି ଟଙ୍କା

ଆକାଉଣ୍ଟ ଅଚଳ ପୂର୍ବରୁ ଉଠାଇ ନେଇଛନ୍ତି ଟଙ୍କା

ଓକାକ୍ ସିଇଓଙ୍କ ହ୍ୱାଟସଆପ୍ ହ୍ୟାକ୍ ଘଟଣା: କାରବାର ପଛରେ ନାଇଜେରିଆ ଠକ

ମନୋଜ ପଟ୍ଟନାୟକ

ଭୁବନେଶ୍ବର : ଓଡ଼ିଶା କମ୍ପ୍ୟୁଟର୍‌ ଆପ୍ଲିକେସନ୍ ସେଣ୍ଟର(ଓକାକ୍)ର ସିଇଓ ତଥା ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ବିଭାଗ ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ବାଟ୍‌ସଆପ୍ ହ୍ୟାକ୍ ଘଟଣାରେ କ୍ରାଇମବ୍ରାଞ୍ଚକୁ ନୂଆ ଲିଙ୍କ୍ ମିଳିଛି। ହ୍ୟାକ୍ କରି ୭ଲକ୍ଷ ଟଙ୍କା ଲୁଟ୍ ପଛରେ ନାଇଜେରୀୟ ସାଇବର ଠକଙ୍କ ହାତ ରହିଛି। ଟଙ୍କା ଯାଇଥିବା ତିନୋଟି ବ୍ୟାଙ୍କ ଆକାଉଣ୍ଟକୁ ଅଚଳ କରାଯିବା ପୂର୍ବରୁ ଠକମାନେ ଟଙ୍କା ଉଠାଇ ନେଇଛନ୍ତି। ଦୁଇଟି ବ୍ୟାଙ୍କ ଆକାଉଣ୍ଟରେ ଯଥାକ୍ରମେ ୧୦୦୦ ଓ ୧୧୦୦ ଟଙ୍କା ରହିଥିବା ଜଣାପଡ଼ିଛି। ସେହିପରି ତଦନ୍ତକାରୀ ଟିମ୍‌ର ଜଣେ ଅଧିକାରୀ କୌଶଳକ୍ରମେ ଠକ ସହ କଥା ହୋଇଛନ୍ତି। ବେଙ୍ଗାଲୁରୁରୁ ଏହି ଅପରେସନ୍ ହୋଇଥିବା କୁହାଯାଉଛି। ସେମାନଙ୍କୁ ଟ୍ରାକ୍ କରି ଏକ ଟିମ୍ ଖୁବଶୀଘ୍ର ବେଙ୍ଗାଲୁରୁ ଯିବ ବୋଲି ଜଣାପଡ଼ିଛି।

ଅନ୍ୟପକ୍ଷରେ ସାଇବର ବିଶେଷଜ୍ଞ ପ୍ରଶାନ୍ତ ସାହୁ କହିଛନ୍ତି, ନାଇଜେରୀୟ ସାଇବର ଅପରାଧୀମାନେ ଦିଲ୍ଲୀ, ବେଙ୍ଗାଲୁରୁ, ମୁମ୍ବାଇ, କାନପୁର ଭଳି କେତେକ ସହରରେ ରହି ଠକେଇ କରୁଛନ୍ତି। ଏବେ ହ୍ବାଟ୍‌ସଆପ୍ ହ୍ୟାକ୍ କରି ଟଙ୍କା ଲୁଟିବା କୌଶଳକୁ ଆପଣାଇଛନ୍ତି। ବିଶେଷକରି ଏମାନେ ସୁନ୍ଦରୀ ଝିଅଙ୍କ ଫଟୋ ଲଗାଇ ଅଶ୍ଳୀଳ ଚାଟିଂ କରନ୍ତି। ଏହାସହ ମାଟ୍ରିମୋନିଆଲ ସାଇଟ୍ ଖୋଲି ବିବାହ ପ୍ରସ୍ତାବ ଦେଇ ଟଙ୍କା ଲୁଟ୍ କରନ୍ତି। ଆକାଉଣ୍ଟରେ ଠକେଇ ଟଙ୍କା ପହଞ୍ଚିବା ମାତ୍ରେ ଏମାନେ ଖାଲି କରି ଦିଅନ୍ତି। ଅନଲାଇନ୍‌ ଜରିଆରେ ଟଙ୍କା ଟ୍ରାନ୍ସଫର୍‌ କରି ଦିଅନ୍ତି ନଚେତ୍ ସିଧାସଳଖ ଏଟିଏମ୍ କାଉଣ୍ଟରରୁ ଉଠାଇ ନିଅନ୍ତି। ଏହା ସହିତ ବିଟ୍‌-କଏନକୁ ପରିବର୍ତ୍ତନ କରିଦେବାର ନଜିର୍ ମଧ୍ୟ ରହିଛି। ସାଇବର ଅପରାଧୀଙ୍କୁ ଧରିବା କ୍ରାଇମବ୍ରାଞ୍ଚ ପାଇଁ ସବୁଠୁ ବଡ଼ ଚ୍ୟାଲେଞ୍ଜ ପାଲଟିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe