ଇଂରାଜୀ ବିଦ୍ୟାଳୟରେ ଓଡ଼ିଆ ପାଠ୍ୟକ୍ରମକୁ ମଧ୍ୟ କଡ଼ାକଡ଼ି କରାଯାଉ: ସୌମ୍ୟ

Advertisment

‘ଛାଇ ପଛରେ ଗୋଡ଼ାଉଥିବା ଅତୀତ’ ଓ ‘ଝଡ଼ ପରର ପୃଥିବୀ’ ଲୋକାର୍ପିତ

‘ଛାଇ ପଛରେ ଗୋଡ଼ାଉଥିବା ଅତୀତ’ ଓ ‘ଝଡ଼ ପରର ପୃଥିବୀ’ ଲୋକାର୍ପିତ

ଇଂରାଜୀ ବିଦ୍ୟାଳୟରେ ଓଡ଼ିଆ ପାଠ୍ୟକ୍ରମକୁ ମଧ୍ୟ କଡ଼ାକଡ଼ି କରାଯାଉ: ସୌମ୍ୟ

ଭୁବନେଶ୍ବର: ଓଡ଼ିଆ ଏକ ସମୃଦ୍ଧ ଭାଷା ଓ ଏହାର ଇତିହାସ ହଜାରେ ବର୍ଷ ପୁରୁଣା। ଏହା ଶାସ୍ତ୍ରୀୟ ମାନ୍ୟତା ମଧ୍ୟ ପାଇଛି। କିନ୍ତୁ ହୀନମନ୍ୟତା ପାଇଁ ଓଡ଼ିଆର ବ୍ୟବହାର କମିବା ସହ ଅବହେଳାର ଶିକାର ହେଉଛି। ଓଡ଼ିଆକୁ ସମସ୍ତେ ନିମ୍ନ ମଧ୍ୟବିତ୍ତ ଭାଷା ବୋଲି ଭାବୁଛନ୍ତି। ଆମ ସମାଜରେ ବିଶିଷ୍ଟ ବର୍ଗର ବ୍ୟକ୍ତିମାନେ ବହୁଳ ଭାବେ ଇଂରାଜୀର ବ୍ୟବହାର କରୁଥିବାରୁ ତଳସ୍ତରର ଲୋକ ତାହାକୁ ଅନୁକରଣ କରୁଛନ୍ତି। ସରକାରୀ ସ୍ତରରେ ବି ଓଡ଼ିଆକୁ ଆନ୍ତରିକତାର ସହ ଗୁରୁତ୍ବ ମିଳୁ ନାହିଁ। ତେଣୁ ଓଡ଼ିଆ ଅଧ୍ୟାପକମାନେ ଏହାର ଦୃଢ଼ ପ୍ରତିବାଦ କରନ୍ତୁ। ଇଂରାଜୀ ମାଧ୍ୟମ ସ୍କୁଲଗୁଡ଼ିକରେ ବାଧ୍ୟତାମୂଳକ ଓଡ଼ିଆ ପାଠ୍ୟକ୍ରମକୁ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ।

ଓଡ଼ିଆକୁ ସମସ୍ତେ ନିମ୍ନ ମଧ୍ୟବିତ୍ତ ଭାଷା ଭାବୁଛନ୍ତି

ସେହିପରି ବର୍ତ୍ତମାନର ପିଲାଙ୍କୁ ସ୍ମାର୍ଟଫୋନ୍‌ ମାଧ୍ୟମରେ ଗଦ୍ୟ ପଢ଼ାଇବାକୁ ଉଦ୍ୟମ କରାଯାଉ। ଏଥିରେ ଆମେ ସଫଳ ହୋଇପାରିଲେ ଆମ ଭାଷା ତା’ର ପୁରୁଣା ଗୌରବ ଫେରି ପାଇବ। ଜଗବନ୍ଧୁ ଆଚାର୍ଯ୍ୟଙ୍କ କବିତା ପୁସ୍ତକ ‘ଛାଇ ପଛରେ ଗୋଡ଼ାଉଥିବା ଅତୀତ’ ଓ ବିଜୟଲକ୍ଷ୍ମୀ ମହାନ୍ତିଙ୍କ ଗଳ୍ପ ପୁସ୍ତକ ‘ଝଡ଼ ପରର ପୃଥିବୀ’ର ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଆଜି ଏହା କହିଛନ୍ତି।

ବୁଦ୍ଧ ମନ୍ଦିର ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ କବୀ ପ୍ରତିଭା ଶତପଥୀ ତାଙ୍କ ସଭାପତିତ୍ବ ଭାଷଣରେ କହିଲେ ଯେ ମାତୃଭାଷା ଆମର ଚକ୍ଷୁ, ଅନ୍ୟ ସବୁ ଭାଷା ପ୍ରଚକ୍ଷୁ। ତେଣୁ ମାତୃଭାଷାକୁ ଆଦୌ ଅବହେଳା କରିବା ଉଚିତ ନୁହେଁ। ସମ୍ମାନିତ ଅତିଥି ପ୍ରଫେସର୍‌ ଆଦିକନ୍ଦ ସାହୁ କହିଲେ, ଲୋକଙ୍କ ଭିତରେ ନିବିଡ଼ ସମ୍ପର୍କ ସ୍ଥାପନ କରିବାର ଏକ ପ୍ରମୁଖ ମାଧ୍ୟମ ସାହିତ୍ୟ। ଅନ୍ୟତମ ସମ୍ମାନିତ ଅତିଥି ଓଡ଼ିଶା ସାହିତ୍ୟ ଏକାଡେମିର ସଭାପତି ହୃଷୀକେଶ ମଲ୍ଲିକ ଗଳ୍ପ ଓ କବିତା ପୁସ୍ତକ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଓଡ଼ିଆ ଭାଷା ଆ‌ଜି ଅଧ୍ୟାପକମାନଙ୍କ କଲମ ଚାଳନା ଦ୍ବାରା ବଞ୍ଚି ରହିଛି ବୋଲି ସେ କହିଥିଲେ। ମୁଖ୍ୟବକ୍ତା ଓଡ଼ିଆ ଶାସ୍ତ୍ରୀୟ ଅଧ୍ୟୟନ କେନ୍ଦ୍ରର ନିର୍ଦ୍ଦେଶକ ବସନ୍ତ ପଣ୍ଡା କହିଲେ, ଯେତେ ଇଂରାଜୀ ବହୁଳ ସମାଜ ହେଲେ ମଧ୍ୟ ଆମ ଭାଷା କେବେ ମରିବ ନାହିଁ। ଓଡ଼ିଆ ଭାଷାକୁ ଆମେ ସମସ୍ତେ ମିଳିମିଶି ସମୃଦ୍ଧ କରିବା ଦିଗରେ କାର୍ଯ୍ୟ କରିବା ଉଚିତ। କେନ୍ଦ୍ର ସରକାରଙ୍କ ନୂଆ ଶିକ୍ଷାନୀତିରେ ଉଲ୍ଲେଖ ଅଛି, ସବୁ ସ୍କୁଲରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ମାତୃଭାଷାରେ ପାଠ ପଢ଼ାଯିବ।

ପୁସ୍ତକଦ୍ବୟକୁ ସମୀକ୍ଷ କରି ପ୍ରଫେସର୍‌ ସଂଘମିତ୍ରା ମିଶ୍ର କହିଲେ, ପରମ୍ପରା, ପରିବେଶ, ସ୍ମୃତିକୁ ଦୃଷ୍ଟିରେ ରଖି ଏହି ପୁସ୍ତକଦ୍ବୟ ରଚନା କରାଯାଇଛି। ସାହିତ୍ୟ ସୃଷ୍ଟିରେ ଏହା ଏକ ସଫଳ ଉପାଦାନ। ସମାଜର ବିଭିନ୍ନ ଦିଗକୁ ନେଇ ଅନୁଭାବାତ୍ମ ଉପାଦାନକୁ ସାହିତ୍ୟ ଆକାରରେ ଏଥିରେ ସ୍ଥାନ ଦିଆଯାଇଛି। ପ୍ରକାଶନୀ ସଂସ୍ଥା ‘ସ୍ବାବଲମ୍ବୀ’ର ପ୍ରକାଶକ ସନ୍ତୋଷ ବାରିକ ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe