ଧୁମ୍‌ଧାମରେ ପାଳନ ହେଲା ଓଡ଼ିଆ ନବବର୍ଷ: ପୂଜା ପାଇଲେ ଅଞ୍ଜନୀ ସୂତ

ହୋମ, ଭଜନକୀର୍ତ୍ତନରେ କମ୍ପିଲା ମନ୍ଦିର

ଧୁମ୍‌ଧାମରେ ପାଳନ ହେଲା ଓଡ଼ିଆ ନବବର୍ଷ: ପୂଜା ପାଇଲେ ଅଞ୍ଜନୀ ସୂତ

ଭୁବନେଶ୍ବର: ଆଜି ରାଜଧାନୀବାସୀ ମହାବିଷୁବ ସଂକ୍ରାନ୍ତିକୁ ଧୁମଧାମରେ ପାଳନ କରିଛନ୍ତି। ଓଡ଼ିଆ ନବବର୍ଷ, ହନୁମାନ ଜୟନ୍ତୀ ଥିବାରୁ ପୂରା ରାଜଧାନୀ ଉତ୍ସବମୁଖର ହୋଇଉଠିଥିଲା। ହୋମ, ଯଜ୍ଞ ସାଙ୍ଗକୁ ହନୁମାନ ଚାଳିଶା ପାଠରେ ରାଜଧାନୀର ପରିବେଶ ଆଧ୍ୟାତ୍ମିକତାରେ ଭରି ଯାଇଥିଲା। ସକାଳୁ ଆବାଳ ବୃଦ୍ଧବନିତା ଶିବ ମନ୍ଦିରକୁ ଯାଇ ସଂକ୍ରାନ୍ତି ପୂଜା କରିଥିଲେ। ସେହିଭଳି ମେରୁଯାତ୍ରା ପାଇଁ ବିଭିନ୍ନ ଶକ୍ତିପୀଠରେ ଝାମୁଯାତ୍ରାର ନିଆଁରେ ବ୍ରତଧାରୀମାନେ ଚାଲିଥିଲେ। ରାଜଧାନୀର ବିଭିନ୍ନ ହନୁମାନ ମନ୍ଦିରେ ବି ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ପ୍ରାୟ ସବୁ ହନୁମାନ ମନ୍ଦିରରେ ହନୁମାନ ଚାଳିଶା ପାଠ ଓ ହୋମଯଜ୍ଞ ଆୟୋଜନ କରାଯାଇଥିଲା। ମନ୍ଦିରକୁ ଆଲୋକମାଳାରେ ସଜା ଯିବା ସହ ଭକ୍ତଙ୍କୁ ଖରାରୁ ରକ୍ଷା ପାଇଁ ଛାମୁଣ୍ଡିଆ ବନ୍ଧା ଯାଇଥିଲା। ସିଆରପି ଛକରେ ଥିବା ହନୁମାନ ମନ୍ଦିରରେ ବ୍ୟାପକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହା ସମେତ ବିଜେବି ନଗର, ବରମୁଣ୍ଡା, ଗଣ୍ଡମୁଣ୍ଡା, ୟୁନିଟ୍-୬, କୋଚିଲେଇ ହାଟ ଓ ଡୁମୁଡୁମା ପ୍ରଭୃତି ହନୁମାନ ମନ୍ଦିର ଉତ୍ସବମୁଖର ହୋଇପଡ଼ିଥିଲା। ଖରା ସତ୍ତ୍ବେ ହନୁମାନ ଜୟନ୍ତୀ, ଯଜ୍ଞ ଓ ପ୍ରସାଦବଣ୍ଟନ ଆଦି ସ୍ବତନ୍ତ୍ର ପ୍ରସ୍ତୁତି ପାଇଁ ଦିନ ତମାମ ମନ୍ଦିରରେ ଗହଳି ଦେଖିବାକୁ ମିଳିଥିଲା। ଜୈନ ଧର୍ମାବଲମ୍ବୀମାନେ ମହା ସମାରୋହରେ ମହାବୀରଙ୍କ ପୂଜାର୍ଚ୍ଚନା କରିଥିଲେ। ପଣା ସଂକ୍ରାନ୍ତି ବିଧି ଓ ପରମ୍ପରା ଅନୁସାରେ ଆଜି ସବୁଆଡ଼େ ପଣାର ମହକ ଭରି ରହିଥିଲା। ସବୁ ମନ୍ଦିରରେ ପଣା ଭୋଗ ଲାଗି ହେବା ସହିତ ଭକ୍ତମାନଙ୍କୁ ପଣା ବଣ୍ଟନ କରାଯାଇଥିଲା। ତେବେ କେବଳ ମନ୍ଦିର କମିଟି ପକ୍ଷରୁ ନୁହେଁ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ପକ୍ଷରୁ ମଧ୍ୟ ପଣା ବଣ୍ଟନ ହୋଇଥିଲା। ପଣା ସଂକ୍ରାନ୍ତି ଅବସରରେ ଲୋକମାନେ ନିଜ ନିଜ ଘରର ଚଉରା ଉପରେ ମାଟି ମାଠିଆ(ବସୁନ୍ଧରା ଠେକି)ରେ ପାଣି ରଖି ତୁଳସୀ ପୂଜା କରିଥିଲେ।

publive-image

ସିଆର୍‌ପି ହନୁମାନ ମନ୍ଦିର
ସିଆରପି ଛକସ୍ଥିତ ସଂକଟମୋଚନ ହନୁମାନ ମନ୍ଦିରରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି। ମନ୍ଦିରରେ ଗତ ୫ ତାରିଖରୁ ପୂଜାର୍ଚ୍ଚନା, ହୋମଯଜ୍ଞ ଓ ଭଜନ କୀର୍ତ୍ତନ ଆଦି ରୀତିନୀତି ଅନୁଯାୟୀ ଅନୁଷ୍ଠିତ ହୋଇଆସୁଥିବା ବେଳେ ଆଜି ଅପରାହ୍ନ ୩ଟାରେ ଏହାର ପୂର୍ଣ୍ଣାହୁତି ଦିଆଯାଇଥିଲା। ଅଜୟ କୁମାର ପଟ୍ଟନାୟକ କର୍ତ୍ତା ଭାବେ କାର୍ଯ୍ୟ ସଂପାଦନ କରିଥିଲେ। ଆଜି ସକାଳେ ଠାକୁରଙ୍କ ମଙ୍ଗଳ ଆଳତି, ସୂର୍ଯ୍ୟପୂଜା, ବାଲ୍ୟ ଭୋଗ, ବ୍ୟାସ ପୂଜା, ଗ୍ରନ୍ଥ ପୂଜା ପରେ ସମୂହ ସୁନ୍ଦରାକାଣ୍ଡ ପାଠ ଓ ହୋମ ଯଜ୍ଞ ଆରମ୍ଭ ହୋଇଥିଲା। ଠାକୁରଙ୍କ ନିକଟରେ ୨୯ ପ୍ରକାର ଅନ୍ନ, ବ୍ୟଞ୍ଜନ, ମିଷ୍ଟାନ୍ନ ଭୋଗ ଲାଗିଥିଲା। ଏଥିରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଯୋଗ ଦେଇଥିଲେ। ଅପରାହ୍ନରେ ୭ହଜାର ଭକ୍ତ ପ୍ରସାଦ ସେବନ ପରେ ସଂଧ୍ୟାରେ ସଂଧ୍ୟା ଆଳତି ଓ ଭଜନ ସମାରୋହ ଆୟୋଜିତ ହୋଇଥିଲା। କାର୍ଯ୍ୟକ୍ରମରେ ଆଶିଷ ମହାନ୍ତି, ହରିହର ରଥ, ଦିଲ୍ଲୀପ ଚୌଧୁରୀ, ସୂର୍ଯ୍ୟନାରାୟଣ ମହାପାତ୍ର ସହଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe